ମେହିଦି ହାସନ୍‌ ୫, ସାକିବ୍‌ ୪: ଜିମ୍ବାୱେ ୨୭୬ରେ ଅଲ୍‌ଆଉଟ୍‌

ହରାରେ : ମହମୁଦୁଲା ଓ ତସ୍‌କିନ ଅହମ୍ମଦଙ୍କ କୀର୍ତ୍ତିମାନଭରା ନବମ ୱିକେଟ୍‌ ଭାଗୀଦାରି ପରେ ମେହିଦି ହାସନ୍‌ ଓ ସାକିବ୍‌ ଅଲ୍‌ ହାସନ୍‌ଙ୍କ ଘାତକ ବୋଲିଂ ବଳରେ ଘରୋଇ ଜିମ୍ବାୱେ ବିପକ୍ଷ ଏକମାତ୍ର ଟେ‌ଷ୍ଟ୍‌ର ପ୍ରଥମ ପାଳିରେ ଭ୍ରମଣକାରୀ ବାଂଲାଦେଶ ୧୯୨ ରନ୍‌ର ଅଗ୍ରଣୀ ପାଇଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରଥମ ପାଳିରେ ୪୬୮ ରନ୍‌ କରିବା ପରେ ଜିମ୍ବାୱେ ପ୍ରଥମ ପାଳିକୁ ୨୭୬ ରନ୍‌ରେ ସୀମିତ ରଖିଦେଇଛି। ମେହିଦି ହାସନ୍‌ (୫/୮୨) ଓ ସାକିବ୍‌ (୪/୮୨) ମିଳିତ ଭାବେ ଘରୋଇ ଦଳର ୯ ୱିକେଟ୍‌ ବାଣ୍ଟିନେଇଥିଲା ବେଳେ ଅବଶିଷ୍ଟ ୱିକେଟ୍‌ଟି ତସ୍‌କିନ୍‌ ଅହମ୍ମଦଙ୍କୁ ମିଳିଥିଲା।

ପ୍ରଥମ ୪ ବ୍ୟାଟ୍‌ସମ୍ୟାନ୍‌ଙ୍କ ଚମତ୍କାର ବ୍ୟାଟିଂ ବଳରେ ଭଲ ଆରମ୍ଭ ପାଇଥିବା ଜିମ୍ବାୱେ ଏକ ସମୟରେ ୧୭୬/୧ ଏବଂ ୨୬୧/୫ରେ ପହଞ୍ଚିଥିଲା। ହେଲେ ପରବର୍ତୀ ୧୫ ରନ୍‌ ଭିତରେ ଶେଷ ୫ ୱିକେଟ୍‌ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟି କୈତାନୋ (୮୭) ଓ ଅଧିନାୟକ ବ୍ରେଣ୍ଡନ ଟେଲର (୮୧) ଅର୍ଦ୍ଧଶତକ ଜମାଇଥିଲା ବେଳେ ଓପ୍‌ନର ମିଲ୍‌ଟନ୍‌ ଶୁମ୍ବା (୪୧), ଡିଅନ୍‌ ମିର୍‌ସ (୨୭) ଓ ମଧ୍ୟକ୍ରମରେ ୱିକେଟ୍‌ରକ୍ଷକ ରେଗିସ୍‌ ଚକାଭା (୩୧*) ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରିଥିଲେ। ହେଲେ ଲଗାତାର ୪ ଓଭରରେ ୪ଟି ୱିକେଟ୍‌ ଦଖଲ କରି ମେହିଦି ହାସନ୍‌ ଜିମ୍ବାୱେକୁ ରୋକି ଦେଇଥିଲେ। ଶେଷ ବ୍ୟାଟ୍‌ସମ୍ୟାନ୍‌ ରିଚାର୍ଡ ଏନଗାରାଭେଙ୍କୁ ଆଉଟ୍‌ କରି ସାକିବ୍‌ ଘରୋଇ ଦଳର ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ୪ ଜଣ ବ୍ୟାଟ୍‌ସମ୍ୟାନ୍‌ ଖାତା ଖୋଲିପାରିନଥିଲେ।

ଜବାବରେ ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ବାଂଲାଦେଶ ଦ୍ବିତୀୟ ପାଳିରେ କୌଣସି ୱିକେଟ୍‌ ନହରାଇ ୪୫ ରନ୍ କରିଛି। ୧୭ ଓଭର ଖେଳିଥିବା ବାଂଲାଦେଶ ପକ୍ଷରୁ ଦୁଇ ଓପ୍‌ନର ସୈଫ୍ ହାସନ୍‌ (୨୦) ଓ ସଦ୍‌ମାନ ଇସ୍‌ଲାମ (୨୨) କ୍ରିଜ୍‌ରେ ରହିଛନ୍ତି।

ସମ୍ବନ୍ଧିତ ଖବର