ହରାରେ: ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟ ଜିମ୍ବାୱେ ମଧ୍ୟ ଚଳିତ ବର୍ଷର ଦିନିକିଆ ବିଶ୍ବକପ୍ ଲାଗି ଯୋଗ୍ୟତା ଅର୍ଜନ କରିପାରିଲାନି। ବୁଲାୱାୟୋରେ ଚାଲିଥିବା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍ରେ ମଙ୍ଗଳବାର ଜିମ୍ବାୱେକୁ ସ୍କଟଲାଣ୍ଡ୍ ୩୧ ରନ୍ରେ ପରାସ୍ତ କରି ବିଶ୍ବକପ୍ ଯୋଗ୍ୟତାର ନିକଟତର ହୋଇଛି। ଆୟୋଜକ ଜିମ୍ବାୱେ ସୁପର୍ ସିକ୍ସରେ ୫ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ସହ ଅଭିଯାନ ଶେଷ କରିଛି। ଅନ୍ୟପକ୍ଷରେ ୪ ମ୍ୟାଚ୍ରୁ ତୃତୀୟ ବିଜୟ ସହିତ ସ୍କଟ୍ଲାଣ୍ଡ୍ ନିଜ ସମ୍ଭାବନା ବଢ଼ାଇ ଦେଇଛି। ଆୟର୍ଲାଣ୍ଡ୍, ୱେଷ୍ଟଇଣ୍ଡିଜ୍ ପରେ ଜିମ୍ବାୱେକୁ ପରାସ୍ତ କରି ସ୍କଟଲାଣ୍ଡ୍ ୬ ପଏଣ୍ଟ ସହ ଟେବୁଲ୍ର ଦ୍ବିତୀୟ ସ୍ଥାନକୁ ଉଠିଛି। ଶେଷ ସୁପର୍ ସିକ୍ସ ମ୍ୟାଚ୍ରେ ସ୍କଟ୍ଲାଣ୍ଡ୍ ଭେଟିବ ଅନ୍ୟତମ ଦାବିଦାର ନେଦରଲାଣ୍ଡ୍ସ ସହିତ। ନେଦରଲାଣ୍ଡ୍ସ ୪ ପଏଣ୍ଟରେ ଥିବାରୁ ବୃହତ ବ୍ୟବଧାନରେ ସ୍କଟଲାଣ୍ଡ୍କୁ ହରାଇ ପାରିଲେ ହିଁ ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିପାରିବ। ନହେଲେ ଉନ୍ନତ ଏନ୍ଆର୍ଆର୍ ରଖିଥିବାରୁ ସ୍କଟଲାଣ୍ଡ୍ ସ୍ବଳ୍ପ ବ୍ୟବଧାନରେ ହାରିଲେ ମଧ୍ୟ ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିପାରିବ। ପୂର୍ବରୁ ଦୁଇ ଥର ବିଜେତା ୱେଷ୍ଟ୍ଇଣ୍ଡିଜ୍ ସୁପର୍ ସିକ୍ସରେ ହ୍ୟାଟ୍ରିକ୍ ପରାଜୟ ସହିତ ବିଶ୍ବକପ୍ ଯୋଗ୍ୟତାରୁ ମଧ୍ୟ ବାଦ୍ ପଡ଼ିସାରିଛି।
ମଙ୍ଗଳବାର ପ୍ରଥମେ ବ୍ୟାଟିଂ କରିଥିବା ସ୍କଟ୍ଲାଣ୍ଡ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ ମଧ୍ୟ ୮ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା। ନିମ୍ନକ୍ରମ ବ୍ୟାଟର୍ ମାଇକେଲ୍ ଲିସ୍କ ସର୍ବାଧିକ ୪୮ ରନ୍ (୩୪ ବଲ୍) କରିଥିବାବେଳେ ପ୍ରାରମ୍ଭିକ ବ୍ୟାଟର୍ ମ୍ୟାଥ୍ୟୁ କ୍ରସ୍ (୩୮), କ୍ରିଷ୍ଟୋଫର ମ୍ୟାକବ୍ରାଇଡ୍ (୨୮)ଙ୍କ ବାଦ୍ ବ୍ରେଣ୍ଡନ୍ ମ୍ୟାକଲେନ୍ (୩୪), ଜର୍ଜ ମୁନସେ (୩୧)ଙ୍କ ଛୋଟ ଛୋଟ ପାଳି ଶେଷକୁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ସିନ୍ ୱିଲିୟମ୍ସ ୩, ତେଣ୍ଡାଇ ଚତାରା ୨, ରିଚାର୍ଡ ଏନ୍ଗର୍ଭା ୧ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଜିମ୍ବାୱେ ଅଷ୍ଟମ ଓଭର ଭିତରେ ୪ ୱିକେଟ୍ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସିକନ୍ଦର ରାଜା (୩୪) ଏବଂ ୱେସଲି ମାଧୱେରେ (୪୦)ଙ୍କୁ ସାଥି କରି ରୢାନ୍ ବୁର୍ଲ (୮୩ ରନ୍) ଦୁଇଟି ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ରୢାନ୍ ବୁର୍ଲ ବିଦାୟ ନେବା ପରେ ଜିମ୍ବାୱେ ଆଶା ମଉଳି ଯାଇଥିଲା। ଶେଷକୁ ଘରୋଇ ଦଳ ୪୧.୧ ଓଭରରେ ୨୦୩ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଜିମ୍ବାୱେର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିବା କ୍ରିସ୍ ସୋଲ୍ (୭-୦-୩୩-୩) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବ୍ରେଣ୍ଡନ୍ ମ୍ୟାକମୁଲେନ୍ (୨/୩୧) ଏବଂ ମାଇକେଲ୍ ଲିସ୍କ (୨/୩୩) ମଧ୍ୟ ଜିମ୍ବାୱେକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ସାଫ୍ୟା ସରିଫ୍, ମାର୍କ ୱାଟ୍, କ୍ରିସ୍ ଗ୍ରିଭ୍ସ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।