ସୁପର-୧୨ରେ ଜିମ୍ବାଓ୍ବେ : ଭାରତ ଓ ପାକିସ୍ତାନ ଥିବା ଗ୍ରୁପ-୨ରେ ସାମିଲ

ନୂଆଦିଲ୍ଲୀ : ଟି-୨୦ ବିଶ୍ବକପର ସୁପର-୧୨ ସ୍ତରକୁ ଉନ୍ନୀତ ହୋଇଛି ଜିମ୍ବାଓ୍ବେ ଦଳ । ଶୁକ୍ରବାରଦିନ ସ୍କଟଲାଣ୍ଡକୁ ୫ ଓ୍ବିକେଟରେ ପରାସ୍ତ କରି ଏହି ଆଫ୍ରିକୀୟ ଦଳ ସୁପର-୧୯କୁ ଉନ୍ନୀତ ହୋଇଛି ।

ସୁପର-୧୨ର ଗ୍ରୁପ-୨ରେ ସାମିଲ ହୋଇଛି ଜିମ୍ବାଓ୍ବେ । ଏହି ଗ୍ରୁପରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ନେଦରଲାଣ୍ଡସ ଅଛନ୍ତି । ଗ୍ରୁପ-ବି ର ଶୀର୍ଷ ଦଳ ଭାବେ ଜିମ୍ବାଓ୍ବେ ସୁପର-୧୨ର ଗ୍ରୁପ-୨ରେ ସ୍ଥାନ ପାଇଛି । ସେହିପରି ଗ୍ରୁପ-ଏର ରନର୍ସ ଅପ ଦଳ ନେଦରଲାଣ୍ଡସ ମଧ୍ୟ ସୁପର-୧୨ର ଗ୍ରୁପ-୨ରେ ସ୍ଥାନ ପାଇଛି । ଶେଷଥର ପାଇଁ ଜିମ୍ବାଓ୍ବେ ୨୦୧୬ ଟି-୨୦ ବିଶ୍ବକପରେ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା ।

ହୋବାର୍ଟଠାରେ ଖେଳାଯାଇଥିବା ଆଜିର ମ୍ୟାଚରେ ସ୍କଟଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୩୨ରନ କରିଥିଲା । ଏହାର ଜବାବରେ ଜିମ୍ବାଓ୍ବେ ୧୮.୩ ତମ ଓଭରରେ ୫ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ (୧୩୩) ହାସଲ କରିନେଇଥିଲା । ଦଳ ପକ୍ଷରୁ କ୍ରେଗ ଇରଭିନ ୫୮ ଓ ସିକନ୍ଦର ରାଜା ୪୦ ରନ କରିଥିଲେ । ରାଜା ବୋଲିଂରେ ବି ସଫଳତା ହାସଲ କରି ଗୋଟିଏ ଓ୍ବିକେଟ ନେଇଥିଲେ । ଆସନ୍ତା ଶନିବାର ଅର୍ଥାତ୍ ଅକ୍ଟୋବର ୨୨ରୁ ସୁପର-୧୨ ମ୍ୟାଚଗୁଡ଼ିକ ଆରମ୍ଭ ହେବ । ଭାରତ ନିଜର ପ୍ରଥମ ମ୍ୟାଚରେ ରବିବାରଦିନ ପାକିସ୍ତାନକୁ ଭେଟିବ ।

ସମ୍ବନ୍ଧିତ ଖବର