ଜିମ୍ବାୱେର ଭାରତ ଗସ୍ତରେ ଆଇପିଏଲ୍‌ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଆଇପିଏଲ୍‌ ଏବେ ଜିମ୍ବାୱେ କ୍ରିକେଟ୍‌ ଦଳର ଭାରତ ଗସ୍ତରେ ପ୍ରତିବନ୍ଧକ ସାଜିଛି। ଚଳିତ ବର୍ଷର ଆପିଏଲ୍‌ ତାରିଖ ଘୋଷଣା ପରେ ମାର୍ଚରେ ଜିମ୍ବା‌ୱେର ପୂର୍ବ ନିର୍ଧାରିତ ଭାରତ ଗସ୍ତ ସୂଚୀକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଫଳରେ ଜିମ୍ବାୱେ ଗସ୍ତ ସୂଚୀ କାଣ୍ଟଛାଣ୍ଟ୍‌ ହେବ ନା ସ୍ଥଗିତ ରହିବ ଅଥବା ପୂରା ବାତିଲ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି। ଯଦିଓ ଜିମ୍ବାୱେ ଗସ୍ତ ପାଇଁ ଏପର୍ଯ୍ୟନ୍ତ ନିର୍ଦିଷ୍ଟ ତାରିଖ ସ୍ଥିର ହୋଇନାହିଁ ତଥାପି ମାର୍ଚ ମାସରେ ହିଁ ଭ୍ରମଣକାରୀ ଦଳ ଆସି ଗୋଟିଏ ଟେଷ୍ଟ୍‌ ସାଙ୍ଗକୁ ୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ଥିଲା। ହେଲେ ଭାରତର ସାଂପ୍ରତିକ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ ଗସ୍ତ ଫେବ୍ରୁଆରି ୧୦ ତାରିଖରେ ଶେଷ ହେବ। ଏହାପରେ ଅଷ୍ଟ୍ରେଲିଆ ଦଳ ୨ ଟ୍ବେଣ୍ଟି-୨୦ ଏବଂ ୫ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ପାଇଁ ଭାରତ ଗସ୍ତରେ ଆସିବ। ଏହି ସୀମିତ ଓଭର ଶୃଙ୍ଖଳା ଫେବ୍ରୁଆରି ୨୪ରୁ ମାର୍ଚ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପୁଣି ନିର୍ବାଚନ ବର୍ଷ ଦୃଷ୍ଟିରୁ ଏଥର ଆଇପିଏଲ୍‌ ମାର୍ଚ ୨୩ରୁ ଆରମ୍ଭ ହେବାର ସ୍ପଷ୍ଟ ସୂଚନା ମିଳିସାରିଛି। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା ସରିବା ଏବଂ ଆଇପିଏଲ୍‌ ଆରମ୍ଭ ହେବା ମଧ୍ୟରେ ମାତ୍ର ୧୦ ଦିନ ଖାଲି ରହିବ। ଏହି ସମୟ ମଧ୍ୟରେ ଜିମ୍ବାୱେ ଶୃଙ୍ଖଳା କରିବା କେତେଦୂର ସମ୍ଭବ ତା’କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏନେଇ ଚଳିତ ସପ୍ତାହରେ ବିସିସିଆଇ ମୁଖ୍ୟଙ୍କ ସହ ଜିମ୍ବାୱେ କ୍ରିକେଟ୍‌ ପରିଚାଳନା ନିର୍ଦେଶକ ଗିଭ୍‌‌ମୋର ମାକୋନି ଆଲୋ‌ଚନା କରିବେ। ଫଳରେ ସୂଚୀ କାଣ୍ଟଛାଣ୍ଟ୍‌ କରି କେବଳ ଗୋଟିଏ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିବାକୁ ନଚେତ୍‌ ସ୍ଥଗିତ ରଖିବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିପାରନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର