ପାକିସ୍ତାନକୁ ଜିମ୍ବାୱେର ସୁପର୍‌ ଓଭର ଝଟ୍‌କା

ରାୱଲପିଣ୍ଡି: ପାକିସ୍ତାନ-ଜିମ୍ବାୱେ ତୃତୀୟ ଦିନିକିଆକୁ ଭ୍ରମଣକାରୀ ଦଳ ଉତ୍କଣ୍ଠାପୂର୍ଣ୍ଣ ଭାବେ ସୁପରଓଭରରେ ଜିତି ନେଇଛି। ମଙ୍ଗଳବାରର ସୁପର ରୋମାଞ୍ଚଭରା ଏହି ମ୍ୟାଚ୍‌ରେ ଉଭୟ ଦଳ ୨୭୮ ରନ୍ ଲେଖାଏଁ କରିବା ପରେ ମ୍ୟାଚ୍ ଟାଇ ରହିଯାଇଥିଲା। ସୁପରଓଭରରେ କିନ୍ତୁ ଜିମ୍ବାୱେ ବୋଲର ବ୍ଲେସିଂ ମୁଜାରବନୀ ପାକିସ୍ତାନକୁ ପୂରା ଘାଇଲା କରି ଦେଇଥିଲେ। ପ୍ରଥମ ଓ ଚତୁର୍ଥ ବଲ୍‌ରେ ୱିକେଟ୍ ନେଇ ଘରୋଇ ପାକିସ୍ତାନକୁ ଚମତ୍କାର ଢଙ୍ଗରେ ୨/୨ରେ ଅଟକାଇ ଦେଇଥିଲେ ସେ। ୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ସିକନ୍ଦର ରାଜା ଓ ବ୍ରେଣ୍ଡନ୍ ଟେଲର ମାତ୍ର ତିନିଟି ବଲ୍‌ରେ ହାସଲ କରିବା ପରେ ଜିମ୍ବାୱେ ନାଟକୀୟ ବିଜୟ ହାସଲ କରିଥିଲା। ଆଜିର ଏହି ଜମାଣିଆ ବିଜୟ ସତ୍ତ୍ବେ ତିନି ଟିକିଆ ଶୃଙ୍ଖଳାକୁ ଜିମ୍ବାୱେ ୨-୧ରେ ହାରିଥିଲା। କାରଣ ପ୍ରଥମ ଦୁଇ ମୁକାବିଲା ଜିତି ପାକିସ୍ତାନ ପୂର୍ବରୁ ଶୃଙ୍ଖଳା ପକେଟସ୍ଥ କରି ନେଇଥିଲା।

ସୁପରଓଭର ପୂର୍ବରୁ ଏହି ମ୍ୟାଚ୍ ନାଟକୀୟ ଭାବେ ଟାଇ ରହିଥିଲା। ୨୭୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନ ୮୮ ରନ୍‌ରେ ଅଧାଦଳ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ହେଲେ ଅଧିନାୟକ ବାବର ଆଜମ (୧୨୫ ରନ୍, ୧୨୫ ବଲ୍, ୧୩ ଚୌକା, ୧ ଛକା) କିନ୍ତୁ ଲଢ଼ିବା‌ ଛାଡ଼ିନଥିଲେ। ଲଢ଼ୁଆ ଶତକ ଅର୍ଜନ କରି ପାକିସ୍ତାନକୁ ପୁନର୍ବାର ମ୍ୟାଚ୍‌କୁ ଫେରାଇ ଆଣିଥିଲେ। ତେବେ ନିଜ ଖେଳ ଜୀବନର ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିବା ଜିମ୍ବାୱେର ଯୁବ ଦ୍ରୁତ ବୋଲର ବ୍ଲେସିଂ ମୁଜାରବନୀ ୪୯ତମ ଓଭରର ଶେଷ ବଲ୍‌ରେ ବାବରଙ୍କୁ ବିଦାୟ କରି ମ୍ୟାଚ୍‌ରେ ରୋମାଞ୍ଚ କରିଦେଇଥିଲେ। ଶେଷ ଓଭରରୁ ବିଜୟ ପାଇଁ କିନ୍ତୁ ପାକିସ୍ତାନକୁ ୧୩ ରନ୍‌ର କଷ୍ଟକର ଲକ୍ଷ୍ୟ ଥିଲା। ରିଚାର୍ଡ ଏନ୍‌ଗରଭାଙ୍କ ଏହି ଓଭରର ପ୍ରଥମ ପାଞ୍ଚ ବଲ୍‌ରୁ ପାକିସ୍ତାନର ଦଶମ ୱିକେଟ୍ ଯୋଡ଼ି ମହମ୍ମଦ ମୁସା ଓ ମହମ୍ମଦ ହାସନେନ୍ ୮ ରନ୍ ଅମଳ କରି ନେଇଥିଲେ। ଫଳରେ ଶେଷ ବଲ୍‌କୁ ବିଜୟ ପାଇଁ ଆଉ ୫ ରନ୍‌ର ଦରକାର ଥିଲା। ଏଭଳି ଚାପଗ୍ରସ୍ତ ସ୍ଥିତିରେ ମୁସା ଏକ୍ସଟ୍ରା କଭର ସୀମା ରେଖା ବାହାରକୁ ପଠାଇ ଚୌକା ହାତେଇ ନେଇଥିଲେ। ଫଳରେ ମ୍ୟାଚ୍ ଟାଇ ରହି ଯାଇଥିଲା।

ଏହା ପୂର୍ବରୁ ବ୍ରେଣ୍ଡନ୍ ଟେଲର (୫୬ ରନ୍, ୬୮ ବଲ୍‌, ୮ ଚୌକା)ଙ୍କ ଅର୍ଧଶତକ ଏବଂ ସିନ୍ ୱିଲିୟମ୍ସ (୧୧୮* ରନ୍, ୧୩୫ ବଲ୍, ୧୩ ଚୌକା, ୧ ଛକା)ଙ୍କ ଶତକ ବଳରେ ଜିମ୍ବାୱେ ନିର୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୨୭୮ ରନ୍ କରିଥିଲା। ଏହାର ଜବାବରେ ପାକିସ୍ତାନ ୯ ୱିକେଟ୍ ହରାଇ ସେହି ୨୭୮ ରନ୍‌ରେ ଅଟକି ଯାଇଥିଲା। ବାବରଙ୍କ ଛଡ଼ା ୱାହାବ ରିଆଜ (୫୨ ରନ୍, ୫୬ ବଲ୍, ୩ ଚୌକା, ୨ ଛକା) ମହତ୍ବପୂର୍ଣ୍ଣ ଅର୍ଧଶତକ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର