ସେମିରେ ଜୋକୋଭିକ୍‌-ନିଶିକୋରି, କିସ୍‌-ଓସାକା

ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନରେ ସେମିଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡାନ୍ତ ହୋଇଯାଇଛି। ପୁୁରୁଷ ଏକକରେ ପୂର୍ବତନ ବିଜେତା ନୋଭାକ ଜୋଭୋଭିକ୍‌ଙ୍କ ସହ ଜାପାନର କେଇ ନିଶିକୋରି ଏବଂ ରାଫେଲ ନାଦାଲ-ଜୁଆନ ମାର୍ଟିନ ଡେଲ୍‌ ପୋତ୍ରୋଙ୍କ ମଧ୍ୟରେ ମୁକାବିଲା ହେବ। ଉଭୟ ସେମିଫାଇନାଲ୍‌ ଶନିବାର ଖେଳାଯିବ। ସେହିଭଳି ଶୁକ୍ରବାର ମହିଳା ଏକକ ସେମିଫାଇନାଲ୍‌ରେ ସେରେନା ଓ୍ଵିଲୟମ୍ସ-ଆନାସ୍ତେସିଆ ସେବାସୋଭା ଓ ମାଡିସନ୍‌ କିସ୍‌-ନାଓମି ଓସାକାଙ୍କ ମଧ୍ୟରେ ଖେଳାଯିବ। ଗୁରୁବାର ପୁରୁଷ ଏକକର ଏକ କ୍ୱାର୍ଟର ଫାଇନାଲ୍‌ରେ ନୋଭାକ ଜୋଭୋଭିକ୍‌ ୬-୩, ୬-୪, ୬-୪ରେ ଅଷ୍ଟ୍ରେଲିଆର ଜନ୍‌ ମିଲ୍‌ମ୍ୟାନ୍‌ଙ୍କୁ ହରାଇ ଦେଇଥିଲେ। ପୂର୍ବ ରାଉଣ୍ଡରେ ରୋଜର ଫେଡେରର୍‌ଙ୍କୁ ହରାଇଥିବା ମିଲ୍‌ମ୍ୟାନ୍‌ କିନ୍ତୁ ଜୋଭୋଭିକ୍‌ଙ୍କ ଆଗରେ ସେଭଳି ପ୍ରଭାବୀ ପ୍ରଦର୍ଶନ କରିନପାରି ସିଧାସଳଖ ସେଟ୍‌ରେ ହାରିଯାଇଥିଲେ। ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ରେ ଜାପାନୀ ତାରକା କେଇ ନିଶିକୋରି ୨-୬, ୬-୪, ୭-୬ (୫), ୪-୬, ୬-୪ରେ ମାରିନ୍‌ ସିଲିକଙ୍କୁ ମାତ୍‌ ଦେଇଥିଲେ।

ଜାପାନ ପାଇଁ ମଧ୍ୟ ଗୁରୁବାର ଐତିହାସିକ ଦିବସ ଥିଲା। କାରଣ ନିଶିକୋରିଙ୍କ ସହିତ ମହିଳା ଏକକରେ ମଧ୍ୟ ନାଓମି ଓସାକା ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଥିଲେ। ଓସାକା ୬-୨, ୬-୧ରେ ୟୁକ୍ରେନୀୟ ତରୁଣୀ ଲେସିଆ ସୁରେଙ୍କୋଙ୍କୁ ହରାଇ ଦେଇଥିଲେ। ଏକ ନିର୍ଦ୍ଦିଷ୍ଟ ଗ୍ରାଣ୍ଡ ସ୍ଲାମ୍‌ରେ ପୁରୁଷ ଓ ମହିଳା ବର୍ଗ ସେମିଫାଇନାଲ୍‌କୁ ଉଠି ନିଶିକୋରି ଏବଂ ଓସାକା ପ୍ରଥମ ଜାପାନୀ ଯୋଡ଼ି ହେବାର ଗୌରବ ପାଇଛନ୍ତି। ଓସାକାଙ୍କ ବିଜୟ ସମ୍ପର୍କରେ ନିଶିକୋରି କହିଛନ୍ତି ଏହା ବଡ଼ କଥା। ସେ ଏବେ ଟାଇଟଲ୍‌ ଜିତିପାରିବେ, ଏପରିକି ଗ୍ରାଣ୍ଡ୍‌ ସ୍ଲାମ୍‌ ସଫଳତା ମଧ୍ୟ ପାଇପାରିବେ। ମୋ ନିଜ ପାଇଁ ମଧ୍ୟ ସୁଯୋଗ ରହିଛି ବୋଲି ନିଶିକୋରି କହିଥିଲେ। ଓସାକା ମଧ୍ୟ ୨୨ ବର୍ଷ ପରେ ପ୍ରଥମ ଜାପାନୀ ଭାବେ ଏକ ଗ୍ରାଣ୍ଡ୍‌ ସ୍ଲାମ୍‌ ସେମିରେ ପହଞ୍ଚିଥିଲା ବେଳେ ଆମେରିକାର ମାଡିସନ୍‌ କିସ୍‌ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୟୁଏସ୍‌ ଓପନ୍‌ ସେମିଫାଇନାଲ୍‌କୁ ଉଠିଛନ୍ତି। ମହିଳା ଏକକର ଅନ୍ୟ ଏକ କ୍ୱାର୍ଟରଫାଇନାଲ୍‌ରେ ମାଡିସନ୍‌ ନିଜ ଶକ୍ତିଶାଳୀ ସର୍ଭିସ୍‌ ଓ ଫୋରହ୍ୟାଣ୍ଡ୍‌ ବଳରେ ୩୦ ନମ୍ବର ମାନ୍ୟତା ସ୍ପେନୀୟ ଖେଳାଳି କାର୍ଲା ସୁଆରେଜ୍‌ ନାଭାରୋଙ୍କୁ ହରାଇ ଦେଇଥିଲେ। ଓସାକାଙ୍କ ବିପକ୍ଷରେ କିସ୍‌ଙ୍କ ସାମ୍ପ୍ରତିକ ପ୍ରଦର୍ଶନ ୩-୦ ରହିଛି। ଜୁନ୍‌ ମାସରେ ରୋଲାଁ ଗ୍ୟାରୋସ ତୃତୀୟ ରାଉଣ୍ଡ୍‌ରେ କିସ୍‌ ତାଙ୍କୁ ହରାଇଥିଲେ। ସେହିଭଳି ଗତବର୍ଷ ଫାଇନାଲ୍‌ରେ ନିଜ ଦେଶର ସ୍ଲୋଆନ୍‌ ଷ୍ଟିଫେନ୍‌ସଙ୍କଠାରୁ ହାରିଥିବା ମାଡିସନ୍‌ କିସ୍‌ଙ୍କ ପାଇଁ ଆଉ ଏକ ସୁଯୋଗ ଆସିଛି। ଏଥର ସେମିଫାଇନାଲ୍‌ ଉଠିଥିବା ମହିଳା ବର୍ଗର ୪ ଜଣଙ୍କ ମଧ୍ୟରୁ କେବଳ ସେରେନା ଓ୍ଵିଲିୟମ୍‌ସ ୨୩ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟର ଅଭିଜ୍ଞତା ରଖିଛନ୍ତି। ଅନ୍ୟ ୩ ଜଣ ନିଜ ନିଜ ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟ ଲକ୍ଷ୍ୟରେ ରହିଛନ୍ତି।

ସମ୍ବନ୍ଧିତ ଖବର