ମେଲ୍ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍ ଓପନ୍ର ମହିଳା ଏକକରେ ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ଆମେରିକାର ସେରେନା ୱିଲିୟମ୍ସଙ୍କ ଅଭିଯାନ ଶେଷ ହୋଇଯାଇଛି। ବୁଧବାର କ୍ବାର୍ଟର୍ ଫାଇନାଲ୍ରେ ୨୩ ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ତଥା ଷୋଡ଼ଷ ମାନ୍ୟତା ସେରେନାଙ୍କୁ ୪-୬, ୬-୪, ୫-୭ ସେଟ୍ରେ ସପ୍ତମ ମାନ୍ୟତା ଚେକ୍ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭା ମାତ୍ ଦେଇ ବିଦାୟ ରାସ୍ତା ଦେଖାଇଛନ୍ତି। ଫଳରେ ୨୪ ଗ୍ରାଣ୍ଡ୍ ସ୍ଲାମ୍ କୀର୍ତିମାନର ସମକକ୍ଷ ହେବାକୁ ସେରେନାଙ୍କୁ ଫ୍ରେଞ୍ଚ୍ ଓପନ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ମାତୃତ୍ବ ପାଇଁ ଟେନିସ୍ କୋର୍ଟରୁ ଦୂରେଇ ରହିଥିବା ସେରେନା ଗତ ବର୍ଷ ଫେରି ଦୁଇଟି ଗ୍ରାଣ୍ଡ ସ୍ଲାମ୍ ୱିମ୍ବଲ୍ଡନ୍ ଓ ୟୁଏସ୍ ଓପନ୍ ଫାଇନାଲ୍ରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ତେବେ ସେରେନାଙ୍କୁ ହରାଇ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ରେ ପହଞ୍ଚିଥିବା ପ୍ଲିସ୍େକାଭା ଫାଇନାଲ୍ରେ ସ୍ଥାନ ପକ୍କା କରିବା ପାଇଁ ଜାପାନ୍ର ନାଓମି ଓସାକାଙ୍କୁ ଭେଟିବେ। ଅନ୍ୟଏକ କ୍ବାର୍ଟର ଫାଇନାଲ୍ରେ ଚତୁର୍ଥ ମାନ୍ୟତା ଓସାକା ସିଧାସଳଖ ୬-୪, ୬-୧ ସେଟ୍ରେ ଷଷ୍ଠ ମାନ୍ୟତା ୟୁକ୍ରେନର ଇଲିନା ସ୍ବିତୋଲିନାଙ୍କୁ ହରାଇ ପ୍ରଥମ ଥର ଲାଗି ଏଠାରେ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଏଥିସହ ୧୯୯୪ ପରେ ଓସାକା ପ୍ରଥମ ଜାପାନୀ ମହିଳା ଖେଳାଳି ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ଗତ ବର୍ଷ ୟୁଏସ୍ ଓପନ୍ରେ ସେରେନାଙ୍କୁ ହରାଇ ଓସାକା ପ୍ରଥମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ନିଜ ନାମରେ କରିଥିଲେ।
ପୁରୁଷ ଏକକରେ ଷୋଡ଼ଷ ମାନ୍ୟତା ମିଲୋସ ରାଓନିକ୍ଙ୍କୁ ବିଦାୟ ରାସ୍ତା ଦେଖାଇଛନ୍ତି ୨୮ତମ ମାନ୍ୟତା ଲୁକାସ ପୌଲି। ଫ୍ରାନ୍ସର ୨୪ ବର୍ଷୀୟ ପୌଲି ୭-୬, ୬-୩, ୬-୭, ୬-୪ ସେଟ୍ରେ କାନାଡ଼ାର ରାଓନିକ୍ଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍ରେ ପୌଲି ଶୀର୍ଷ ମାନ୍ୟତା ତଥା ୧୪ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ନୋଭାକ ଜୋକୋଭିକଙ୍କୁ ଭେଟିବେ। ସର୍ବିଆ ତାରକା ଜୋକୋଭିକ ୬-୧, ୪-୧ ସେଟ୍ରେ ଅଷ୍ଟମ ମାନ୍ୟତା ଜାପାନର କେଇ ନିଶିକୋରିଙ୍କୁ ହରାଇ ଏଠାରେ ସପ୍ତମ ଟ୍ରଫି ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଏହି ମ୍ୟାଚ୍ର ପ୍ରଥମ ସେଟକୁ ଜୋକୋଭିକ୍ ଜିତିଥିଲା ବେଳେ ଦ୍ବିତୀୟ ସେଟ୍ ୪-୧ରେ ଆଗୁଆ ନିଶିକୋରି ପଛୁଆ ଥିଲା ବେଳେ ଆହତ ଯୋଗୁଁ ଓହରି ଯାଇଥିଲେ।