ତୁରିନ: ଚଳିତ ଏଟିପି ଫାଇନାଲ୍ସରୁ ବିଶ୍ବ ମାନ୍ୟତାର ଶୀର୍ଷ ତାରକା ନୋଭାକ୍ ଜୋକୋଭିକ୍ଙ୍କ ଅଭିଯାନ ଶେଷ ହୋଇଯାଇଛି। ଶନିବାର ସେମିଫାଇନାଲ୍ରେ ଏହି ସର୍ବିଆ ତାରକାଙ୍କୁ ୬-୭, ୬-୪ ଓ ୬-୩ ସେଟ୍ରେ ପରାସ୍ତ କରି ଆଲେକ୍ଜାଣ୍ଡର ଭେରେଭ୍ ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ଫଳରେ ବର୍ଷ ଶେଷ ପ୍ରତିଯୋଗିତାରେ ଷଷ୍ଠ ଥର ଟ୍ରଫି ଜିତିବାର ଆଶା ଜୋକୋଭିକ୍ଙ୍କର ବାଧାପ୍ରାପ୍ତ ହୋଇଛି।
ଏଥି ସହିତ ଜର୍ମାନି ତାରକା ଭେରେଭ୍ ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିଲା ବେଳେ ଟ୍ରଫି ପାଇଁ ରୁଷିଆର ଡାନିଲ ମେଦ୍ଭେଦେଭଙ୍କ ସହ ଲଢ଼ିବେ। ଭେରେଭ୍ ମଧ୍ୟ ୨୦୧୮ରେ ଏଟିପି ଫାଇନାଲ୍ସ ଟ୍ରଫି ଜିତିଥିଲେ। ଅନ୍ୟ ସେମିଫାଇନାଲ୍ରେ ବିଜେତା ମେଦ୍ଭେଦେଭ୍ ସିଧାସଳଖ ୬-୪ ଓ ୬-୨ରେ ନରୱେ ତାରକା କାସ୍ପର ରୁଦ୍ଙ୍କୁ ପରାସ୍ତ କରିଥିଲେ। ରାଉଣ୍ଡ ରବିନ୍ ପର୍ଯ୍ୟାୟରେ ଅପରାଜେୟ ରହିଥିବା ବିଶ୍ବ ମାନ୍ୟତାର ଦ୍ବିତୀୟ ମେଦ୍ଭେଦେଭ୍ ଏଟିପି ଫାଇନାଲ୍ସରେ କ୍ରମାଗତ ଭାବେ ନବମ ବିଜୟ ହାସଲ କରିଥିଲେ।