ଲକ୍ଷ୍ନୌ: ଚଳିତ ରଣଜୀ ଟ୍ରଫି ପ୍ରତିଯୋଗିତାର କ୍ବାର୍ଟର୍‌ ଫାଇନାଲ୍‌ ଲଢ଼େଇ ମଙ୍ଗଳବାରଠାରୁ ଆରମ୍ଭ ହେବ। ‌ଏଥିରେ ବିଦର୍ଭ-ଉତ୍ତରାଖଣ୍ଡ, ସୌରାଷ୍ଟ୍ର-ଉତ୍ତରପ୍ରଦେଶ, କର୍ଣ୍ଣାଟକ-ରାଜସ୍ଥାନ ଏବଂ କେରଳ-ଗୁଜରାଟ ମୁହାଁମୁହିଁ ହେବେ। ୩ ଶତକ ସହ ଭାରତକୁ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଭେଟି ଦେଇଥିବା ଚେତେଶ୍ବର ପୂଜାରା ଖେଳିବା ନେଇ ସୋମବାର ‌ସ୍ପଷ୍ଟ ହୋଇଛି। ଉତ୍ତରପ୍ରଦେଶ ବିପକ୍ଷରେ ସେ ସୌରାଷ୍ଟ୍ର ପକ୍ଷରୁ ପଡ଼ିଆକୁ ଓହ୍ଲାଇବେ। ପୂଜାରା ଫେରିବା ସହ ଚଳିତ ଋତୁରେ ଦଳ ପକ୍ଷରୁ ସର୍ବାଧିକ ରନ୍‌ କରିଥିବା ସେଲ୍‌ଡନ୍‌ ଜାକ୍‌ସନ୍‌ (୬୧୩ ରନ୍‌) ଓ ହାର୍ଭିକ ଦେସାଇ (୫୩୮ ରନ୍‌)ଙ୍କୁ ‌ନେଇ ସୌରାଷ୍ଟ୍ରର ବ୍ୟାଟିଂ ଲାଇନ୍‌ଅପ୍‌ ଦୃଢ଼ ହୋଇଛି। ଫଳରେ ଗ୍ରୁପ୍‌-ସି’ର ଶୀର୍ଷ ଦଳ ‌ସୁରେଶ ରାଇନାଙ୍କ ନେତୃତ୍ବରେ ଖେଳୁଥିବା ଉତ୍ତରପ୍ରଦେଶକୁ କଡ଼ା ଟକ୍କର ଦେଇ ‌ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ନେଇ ଆଶାବାଦୀ ରହିଛି ସୌରାଷ୍ଟ୍ର।