ଚେନ୍ନାଇ : ଶୁକ୍ରବାର ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ୭ ୱିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ପ୍ରଥମେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ହାଇଦ୍ରାବାଦ ପାଳିକୁ ୧୩୪/୭ରେ ସୀମିତ ରଖିବା ପରେ ଡେଭନ କନୱେ ଓ ଋତୁରାଜ ଗାଏକ୍ବାଡଙ୍କ ୮୭ ରନ୍‌ର ଭାଗୀଦାରି ଦଳ ବିଜୟକୁ ସହଜ କରିଦେଇଥିଲା। ଶେଷରେ କନ୍‌ୱେଙ୍କ ୫୭ ବଲ୍‌ରୁ ଅପରାଜିତ ୭୭ ରନ୍‌ ବଳରେ ଚେନ୍ନାଇ ୧୮.୪ ଓଭରରେ ୩ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ନେଇଥିଲା। ଗାଏକ୍ବାଡ଼-କନ୍‌ୱେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳୁଥିଲା ବେଳେ ପାୱାରପ୍ଲେ ମଧ୍ୟରେ ୧୦.୦୦ ହାରରେ ରନ୍ ସଂଗ୍ରହ କରିଥିଲେ।

Advertisment

publive-image

ହେଲେ ଦୁର୍ଭାଗ୍ୟବଶତଃ ଗାଏକ୍ବାଡ଼ ରନ୍‌ଆଉଟ୍‌ ହୋଇଯାଇଥିଲେ। ଉମ୍ରାନ ମଲ୍ଲିକଙ୍କୁ କନୱେ ସିଧା ଖେଳିଥିଲା ବେଳେ ବଲ୍‌ ଉମ୍ରାନଙ୍କ ଆଙ୍ଗୁଠି ଛୁଇଁ ଷ୍ଟମ୍ପରେ ବାଜିଥିଲା। ସେତେବେଳକୁ ଋତୁରାଜ କ୍ରିଜ୍‌ ବାହାରକୁ ଆସିଯାଇଥିବାରୁ ରନ୍‌ଆଉଟ୍‌ ହୋଇଯାଇଥିଲେ। ତେବେ ବିଜୟ ପାଇଁ ପଥ ପରିସ୍କାର କରିସାରିଥିଲେ ସୁଦ୍ଧା ଆଜିଙ୍କ୍ୟ ରାହାଣେ, ଅମ୍ବାତି ରାୟୁଡୁ ଦୁଇ ଓଭର ବ୍ୟବଧାନରେ ମୟଙ୍କ ମାର୍କଣ୍ଡେୟଙ୍କ ଦ୍ବାରା ଆଉଟ୍‌ ହୋଇଯିବାରୁ ଚେନ୍ନାଇ ପାଇଁ ବିଜୟ ବିଳମ୍ବିତ ହୋଇଥିଲା। ହେଲେ ୱାସିଂଟନ୍‌ ସୁନ୍ଦରଙ୍କୁ ଚୌକା ମାରି ମୋଇନ୍‌ ଅଲ୍ଲୀ ୮ ବଲ୍‌ ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲେ। ସର୍ବାଧିକ ୱିକେଟ୍‌ ନେଇଥିବା ରବୀନ୍ଦ୍ର ଜାଦେଜା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

publive-image