ଭୁବନେଶ୍ବର: ଏଏଫ୍‌ସି କପ୍‌ର ନିଜର ଶେଷ ଗ୍ରୁପ୍‌ ଷ୍ଟେଜ୍‌ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ସୋମବାର ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ବସୁନ୍ଧରା କିଙ୍ଗ୍ସକୁ ଭେଟିବ। ଏହି ମ୍ୟାଚ୍‌ ରାତି ୭.୩୦ରେ ଖେଳାଯିବ। ନିଜର ଶେଷ ୪ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଚମତ୍କାର ପ୍ରଦର୍ଶନ କରି ମାଜିୟା ଏସ୍‌ଆଣ୍ଡ୍‌ଆର୍‌ସିକୁ ଉଭୟ ଘରେ ଓ ବାହାରେ ଜିତିଥିଲା ବେଳେ ମୋହନ ବାଗାନ ସୁପର ଜାଏଣ୍ଟସ୍‌କୁ ତା’ ମାଟିରେ ହରାଇଥିଲା। ଓଡ଼ିଶା ଦଳ ବସୁନ୍ଧରା କିଙ୍ଗ୍ସ ବିପକ୍ଷ ପୂର୍ବ ମ୍ୟାଚ୍‌କୁ ୨-୩ରେ ହାରିଥିଲେ ମଧ୍ୟ ଘରୋଇ ପଡ଼ିଆରେ ପ୍ରତିଶୋଧ ସହ ପୂରା ୩ ପଏଣ୍ଟ କରାୟତ୍ତ କରିବାକୁ ଚେଷ୍ଟା କରିବ। ସଂପ୍ରତି ଓଡ଼ିଶା ଏଫସି ୯ ପଏଣ୍ଟ ସହ ଟେବୁଲରେ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଶୀର୍ଷରେ ବସୁନ୍ଧରା କିଙ୍ଗ୍ସ (୧୦ ପଏଣ୍ଟ୍‌) ରହିଛି। ଉଭୟ ଦଳ ‌ସୋମବାର ମ୍ୟାଚ୍‌ ଜିତି ଶୀର୍ଷ ସ୍ଥାନ ସହ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବେ। ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଏଫ୍‌ଓିର ସର୍ଜିଓ ଲୋବେରୋ କହିଛନ୍ତି, ‘‘‌ସୋମବାର ମ୍ୟାଚ୍‌ ଚମତ୍କାର ହେବ। କ୍ଲବ୍‌ ଭଲ ସ୍ଥିତିରେ ରହିଛି ଏବଂ ଆମେ ଲଢ଼େଇ କରିବାକୁ ପ୍ରସ୍ତୁତ। ଖେଳାଳିଙ୍କ ପାଇଁ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ଥିବାରୁ ଶେଷ ପର୍ଯ୍ୟନ୍ତ ପଡ଼ିଆରେ ଲଢ଼େଇ କରିବୁ। ଏବେ କୌଣସି ଚାପରେ ନାହୁଁ। କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ସମର୍ଥନରେ ଆମେ ମ୍ୟାଚ୍‌କୁ ଉପଭୋଗ କରିବୁ’’।