ଆବୁଧାବି: ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ଆବୁଧାବି ଟେଷ୍ଟର ପରିସମାପ୍ତି ଘଟିଲା। ୟୁଏଇ ଗସ୍ତରେ ଥିବା ଶ୍ରୀଲଙ୍କା ଦଳ ନିରପେକ୍ଷ ସ୍ଥାନ ଭାବେ ଏଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଘରୋଇ ପାକିସ୍ତାନ ଦଳକୁ ୨୧ ରନ୍ରେ ପରାସ୍ତ କରିଦେଲା। ମ୍ୟାଚ୍ରେ ମୋଟ ୧୩୬ ରନ୍ ବ୍ୟୟକରି ୧୧ ଓ୍ଵିକେଟ୍ ଦଖଲ କରିଥିବା ସିଂହଳୀ ସ୍ପିନର ରଙ୍ଗନା ହେରାଥ୍ ବିଜୟର ନାୟକ ବନିଗଲେ। ପ୍ରଥମ ପାଳିରେ ୯୩ ରନ୍ରେ ୫ ଓ ଦ୍ୱିତୀୟ ପାଳିରେ ୪୩ ରନ୍ରେ ୬ ଓ୍ଵିକେଟ୍ ଅକ୍ତିଆର କରିଥିବା ହେରାଥ୍ଙ୍କୁ ଶେଷରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଲା। ଏଥି ସହିତ ଶ୍ରୀଲଙ୍କା ଦଳ ୨ ଟେଷ୍ଟ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଲା। ଏହି ନାଟକୀୟ ଟେଷ୍ଟରେ ହେରାଥ୍ ମଧ୍ୟ ପ୍ରଥମ ବାମହାତୀ ସ୍ପିନର ଭାବେ ୪୦୦ ଓ୍ଵିକେଟ୍ ପୂରଣ କରିବାର କୀର୍ତିମାନ ପ୍ରତିଷ୍ଠା କରିଛନ୍ତି।
ସୋମବାର ଥିଲା ଏହି ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିବସ। ସ୍ପିନରଙ୍କ ଆଧିପତ୍ୟ ଯୋଗୁଁ ଶେଷ ଦିନ ମୋଟ ୭୪.୩ ଓଭର ଖେଳରେ ଉଭୟ ଦଳର ମୋଟ ୧୬ ଓ୍ଵିକେଟ୍ର ପତନ ଘଟିଲା। ସେଥିରୁ ସିଂହଳୀ ଦଳ ଚତୁର୍ଥ ଦିବସର ଅସମାପ୍ତ ସ୍କୋର୍ ୬୯/୪ରୁ ଖେଳି ୬୬.୫ ଓଭରରେ ୧୩୮ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ପଞ୍ଚମ ଦିବସରେ ଶ୍ରୀଲଙ୍କା ପୂର୍ବ ଦିନ ସ୍କୋର୍ରେ ଆଉ ୬୯ ରନ୍ ଯୋଡ଼ି ଅବଶିଷ୍ଟ ୬ ଓ୍ଵିକେଟ୍ ହରାଇବା ପରେ ପାକିସ୍ତାନ ସମ୍ମୁଖରେ ୧୩୬ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା। ଓ୍ଵିକେଟ୍ରକ୍ଷକ ନିରୋସାନ୍ ଡିକ୍େଓ୍ଵଲାଙ୍କ ୪୦ ଶ୍ରୀଲଙ୍କା ପକ୍ଷରୁ ଦ୍ୱିତୀୟ ପାଳିର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଥିଲା। ପାକିସ୍ତାନ ପକ୍ଷରୁ ପ୍ରଥମ ପାଳିରେ ୩ ଓ୍ଵିକେଟ୍ ନେଇଥିବା ୟାସିର୍ ଶାହା ଦ୍ୱିତୀୟ ପାଳିରେ ୫ ଓ୍ଵିକେଟ୍ ନେଇ ବିଜୟ ସୁଯୋଗ ଦେଇଥିଲେ। ହେଲେ ପ୍ରଥମ ପାଳିରେ ୩ ରନ୍ର ଅଗ୍ରଣୀ ପାଇଥିବା ପାକିସ୍ତାନ ଦ୍ୱିତୀୟ ପାଳିରେ ସ୍ପିନ୍ ଜାଲରେ ଛନ୍ଦି ହୋଇ ପଡ଼ିଥିଲା। ଦୁଇ ସିଂହଳୀ ସ୍ପିନର ହେରାଥ୍ (୬/୪୩) ଓ ଦିଲ୍ରୁଓ୍ଵାନ୍ ପେରେରା (୩/୪୬) ପାକିସ୍ତାନର ବିପର୍ଯ୍ୟୟ ଘଟାଇଥିଲେ। ଯାହା ଫଳରେ ପାକିସ୍ତାନ ୪୭.୪ ଓଭରରେ ମାତ୍ର ୧୧୪ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇ ପରାଜୟକୁ ଆଦରି ନେଲା। ପାକିସ୍ତାନ ଦ୍ୱିତୀୟ ପାଳିରେ ଆସାଦ୍ ସଫିକ୍ (୨୦), ହାରିସ୍ ସୋହେଲ୍ (୩୪) ଓ ଅଧିନାୟକ ସର୍ଫରାଜ ଅହମ୍ମଦ (୧୯) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ। ପୂର୍ବରୁ ଶ୍ରୀଲଙ୍କା ପ୍ରଥମ ପାଳିରେ ୪୧୯ ରନ୍ କରିଥିଲା ବେଳେ ପାକିସ୍ତାନ ୪୨୨ ରନ୍ କରିଥିଲା।
ସଂକ୍ଷିପ୍ତ ସ୍କୋର୍: ଶ୍ରୀଲଙ୍କା ପ୍ରଥମ ପାଳି: ୪୧୯ (ଦୀନେଶ ଚାନ୍ଦିମଲ୍-୧୫୫, ଦିମୁଥ୍ କରୁଣାରତ୍ନେ-୯୩, ନିରୋସାନ୍ ଡିକ୍େଓ୍ଵଲା-୮୩, ମହମ୍ମଦ ଆବାସ୍-୩/୭୫, ୟାସିର୍ ଶାହା-୩/୧୨୦, ହାସନ୍ ଅଲ୍ଲୀ-୨/୮୮)। ପାକିସ୍ତାନ ପ୍ରଥମ ପାଳି: ୪୨୨ (ସନ୍ ମାସୁଦ୍-୫୯, ସାମି ଅସ୍ଲାମ୍-୫୧, ଆଝାର ଅଲ୍ଲୀ-୮୫, ହାରିସ୍ ସୋହେଲ୍-୭୬, ସୁରଙ୍ଗ ଲାକ୍ମଲ୍-୨/୪୨, ବିଶ୍ୱ ଫର୍ନାଣ୍ଡୋ-୨/୭୭, ରଙ୍ଗନା ହେରାଥ୍-୫/୯୩)। ଶ୍ରୀଲଙ୍କା ଦ୍ୱିତୀୟ ପାଳି: ୧୩୮ (ନିରୋସାନ୍ ଡିକ୍େଓ୍ଵଲା-୪୦, ୟାସିର୍ ଶାହା-୫/୫୧, ମହମ୍ମଦ ଆବାସ୍-୨/୨୨)। ପାକିସ୍ତାନ ଦ୍ୱିତୀୟ ପାଳି: ୧୧୪ (ହାରିସ୍ ସୋହେଲ୍-୩୪, ରଙ୍ଗନା ହେରାଥ୍-୬/୪୩, ଦିଲ୍ରୁଓ୍ଵାନ୍ ପେରେରା-୩/୪୬)।
ଆବୁଧାବି ଟେଷ୍ଟ୍: ଶ୍ରୀଲଙ୍କାଠୁ ହାରିଲା ପାକିସ୍ତାନ
ପ୍ରଥମ ବାମହାତୀ ସ୍ପିନର ଭାବେ ହେରାଥ୍ଙ୍କ ୪୦୦ ଟେଷ୍ଟ୍ ଓ୍ଵିକେଟ୍ ପୂରଣ
/sambad/media/post_attachments/wp-content/uploads/2017/10/111-herath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)