ରାଉରକେଲା: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଫାଉଣ୍ଡେସନ ଓ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଫାଉଣ୍ଡେସନ (ଡିଟିଏସଆରଡିଏଫ୍)ର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ‘ଗୋଟିଏ ପାଦ ଆଗକୁ’ କାର୍ଯ୍ୟକ୍ରମ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ହକି ପ୍ରତିଭାଙ୍କୁ ଅନ୍ବେଷଣ କରିବା ଓ ହକିର ଆହୁରି ବିକାଶ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ରାଉରକେଲା ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସମାରୋହରେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଫାଉଣ୍ଡେସନର ଅଧ୍ୟକ୍ଷ ଦିଲୀପ ତିର୍କି କହିଲେ, ‘‘ତୃଣମୂଳ ସ୍ତର ହକି ହେଉଛି ଭିତ୍ତିପ୍ରସ୍ତର, ଯଦି ଏହାକୁ ମଜଭୁତ କରାଯିବ, ତେବେ ଆମେ କେବେ ପଛକୁ ଫେରି ଚାହିଁବୁ ନାହିଁ। ଆମର ପ୍ରଥମ ଦାୟିତ୍ୱ ଠିକ୍ ପ୍ରତିଭା ଖୋଜିବା ଓ ସେମାନଙ୍କୁ ଠିକ୍ ଭାବେ ତାଲିମ ଦେବା। ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଭିଡିଓ ବାର୍ତ୍ତାରେ କେବଳ ଓଡିଶାରେ ନୁହେଁ, ସମଗ୍ର ଦେଶରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ହକିକୁ ପ୍ରୋତ୍ସାହନ ଦେବା ସହିତ ଅଧିକ ଗ୍ରାମୀଣ ପ୍ରତିଭାଙ୍କ ବିକାଶ ତଥା ଭାରତରେ ହକିର ଭବିଷ୍ୟତ ଗଠନ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଜେଏସ୍‌ପି ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଥିଲେ, ପିଲାମାନଙ୍କୁ ଯଦି ଠିକ୍ ବୟସରେ ଖେଳିବା ପାଇଁ ଉପଯୁକ୍ତ ତାଲିମ ଓ ଆବଶ୍ୟକ ପରିବେଶ ଯୋଗାଇ ଦିଆଯାଏ, ତେବେ ଓଡିଶା ହକି ବହୁତ ଆଗକୁ ଯିବ। ଜେଏସପି ଫାଉଣ୍ଡେସନ୍ ଓ ଡିଟିଏସ୍‌ଆର୍‌ଡିଏଫ୍‌ର ମିଳିତ ପ୍ରୟାସରେ ରାଜ୍ୟରେ ତୃଣମୂଳ ସ୍ତରର ହକିର ମାନ ବଦଳିବ। ଏହି କାର୍ଯ୍ୟକ୍ରମ ଏକ ଆନ୍ଦୋଳନ ତଥା ଏକ ବଡ଼ ପରିବର୍ତ୍ତନର ଆରମ୍ଭ ବୋଲି ସେ କହିଥିଲେ।

Advertisment

ଏହି ଅବସରରେ ବିଧାୟକ ସୁବ୍ରତ ତରାଇ, ବିନୟ ଟପ୍ପୋ, ମଙ୍ଗଳା କିସାନ, ପ୍ରଖ୍ୟାତ ହକି ତାରକା ଧ୍ୟାନଚାନ୍ଦ ଅଶୋକ କୁମାର, ବୀରେନ୍ଦ୍ର ଲାକ୍ରା, ଇଗ୍ନେସ ତିର୍କି, ସୁଭଦ୍ରା ପ୍ରଧାନ, ହକି ପ୍ରଶିକ୍ଷକ ଅଜୟ ବଂଶଲ ପ୍ରମୁଖ ଯୋଗଦେଇଥିଲେ। ଜେଏସ୍‌ପିର ସଭାପତି ତଥା ସିଏସ୍‌ଆର ଗ୍ରୁପ୍‌ର ମୁଖ୍ୟ ପ୍ରଶାନ୍ତ ହୋତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଡିଜିଏମ୍‌ ସିଏସ୍‌ଆର ଭର୍ଜିଲ କୁମାରୀ ଲାକ୍ରା, ଡିଟିଏସ୍‌ଆର୍‌ଡିଏଫ୍ ରାକେଶ ମହାନ୍ତି ଓ ରାଜୁ ମହାନ୍ତି ସହାୟତା କରିଥିଲେ। ଏହି ଅବସରରେ ୫୦୦୦ ଉଦୀୟମାନ ହକି ଖେଳାଳିଙ୍କୁ ହକି କିଟ୍, ହକି ଷ୍ଟିକ୍ସ, ବଲ୍ ଓ ଜର୍ସି ପ୍ରଦାନ କରା ଯାଇଥିଲା। ଗ୍ରାମାଞ୍ଚଳର ହକି ପ୍ରଶିକ୍ଷଣ ଦେଇ ୧୩ ଜଣ ଅନ୍ତର୍ଜାତୀୟ ହକି ତାରକା ସୃଷ୍ଟି କରିଥିବା ଡୋମିନିକ୍ ଟପ୍ପୋଙ୍କୁ ତାଙ୍କର ଆଜୀବନ ଅବଦାନ ଫାଉଣ୍ଡେସନ ପକ୍ଷରୁ ୨୫,୦୦୦ ଟଙ୍କା ପ୍ରଦାନ କରିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।