ମୁମ୍ବାଇ: ବିସିସିଆଇ ସମ୍ପାଦକ ଜୟ ଶାହ ତୃତୀୟ ଥର ପାଇଁ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ବୁଧବାର ଏସିସିର ବାର୍ଷିକ ସାଧାରଣ ବୈଠକରେ ଶାହଙ୍କୁ ଏହି ଦାୟିତ୍ବ ମିଳିଛି। ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ (ଏସ୍‌ଏଲ୍‌ସି) ସଭାପତି ସାମି ସିଲ୍‌ଭା ପ୍ରସ୍ତାବ ଦେଇଥିଲେ। ଏହାକୁ ସମସ୍ତ ସଦସ୍ୟ ସମର୍ଥନ ଜଣାଇଥିଲେ। ସାମି ସିଲ୍‌ଭା କହିଥିଲେ ଯେ, ଏସିସିର ଉନ୍ନତି ତଥା ସଦସ୍ୟ ରାଷ୍ଟ୍ରମାନଙ୍କରେ କ୍ରିକେଟ୍‌ ଉପରକୁ ଯିବାରେ ଜୟ ଶାହଙ୍କ ବଡ଼ ଭୂମିକା ରହିଛି। କେବଳ ଏତିକି ନୁହେଁ, ବାଂଲାଦେଶ, ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କାର ନୂଆ ପ୍ରତିଭାଙ୍କୁ ‌ପ୍ରୋତ୍ସାହିତ କରାଇବାରେ ମଧ୍ୟ ଶାହଙ୍କ ଅବଦାନ ରହିଛି। ଏସିସି ବୋର୍ଡର ସମର୍ଥନ ‌ପରେ ଶାହ ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।