ପଟିଆଲା: ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ଆଥ୍‌ଲେଟିକ୍ ପ୍ରଶିକ୍ଷକ ଯୋଗୀନ୍ଦର ସିଂହ ସୈନିଙ୍କର ପରଲୋକ ଘଟିଛି। ଭାରତର ଅନ୍ୟତମ ଶ୍ରେ‌ଷ୍ଠ ଟ୍ରାକ୍‌ ଓ ଫିଲ୍‌ଡ ତାରକା ଯୋଗୀନ୍ଦର ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ରବିବାର ପରଲୋକ ଗମନ କରିଛନ୍ତି। ତାଙ୍କୁ ୯୦ ବର୍ଷ ହୋଇଥିଲା। ୧୯୭୦ରୁ ୯୦ ଦଶକ ମଧ୍ୟରେ ବହୁବର୍ଷ ଧରି ସେ ଜାତୀୟ ମୁଖ୍ୟ ଆଥ୍‌ଲେଟିକ୍‌ ପ୍ରଶିକ୍ଷକ ରହିଥିଲେ। କିଛି ଦିନ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲନଥିଲା ବୋଲି ଭାରତୀୟ ଆଥ୍‌ଲେଟିକ୍‌ ଫେଡେରେସନ୍‌ ସଭାପତି ଆଦିଲେ ସୁମରିୱାଲା କହିଛନ୍ତି। ଏହି ଆଥ୍‌ଲେଟିକ୍‌ ଗୁରୁ ୧୯୩୦ ଜାନୁଆରି ୧ ତାରିଖରେ ପଞ୍ଜାବର ହୋସିଆରପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ବିଜ୍ଞାନ ସ୍ନାତକ ଥିଲେ ଏବଂ ଶାରିରୀକ ଶିକ୍ଷାରେ ଡିପ୍ଲୋମା ଏବଂ ଏନ୍‌ଆଇଏସ୍‌ ପଟିଆଲାରେ ପ୍ରଶିକ୍ଷଣ ପାଠ୍ୟକ୍ରମ ଶେଷ କରି ୧୯୫୪ରେ ଆଥ୍‌ଲେଟିକ୍‌ ପ୍ରଶିକ୍ଷକ ହୋଇଥିଲେ। ୧୯୭୦ରେ ତତ୍‌କାଳୀନ ଭାରତୀୟ ଆମେଚର ଆଥ୍‌ଲେଟିକ୍‌ ଫେଡେରେସନ୍‌ର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ। ଭାରତୀୟ ଆଥ୍‌ଲେଟିକ୍ସ ପାଇଁ ତାଙ୍କ ଅବଦାନ ନିମନ୍ତେ ୧୯୯୭ରେ ତାଙ୍କୁ ମିଳିଥିଲା ଦ୍ରୋଣାଚାର୍ଯ୍ୟ ପୁରସ୍କାର। ସେ ଭାରତୀୟ ଆଥ୍‌ଲେଟିକ୍ସ ଦଳର ପ୍ରଶିକ୍ଷକ ଥିଲା ବେଳେ ଦଳ ୧୮ ପଦକ ଜିତିଥିଲା। ସେଥିରେ ୮ ସ୍ବର୍ଣ୍ଣ ସାମିଲ ଥିଲା। ୨୦୦୪ ପର୍ଯ୍ୟନ୍ତ ପ୍ରଶିକ୍ଷଣ ସହ ସଂପୃକ୍ତ ରହିବା ପରେ ଭାରତୀୟ ଆଥ୍‌ଲେଟିକ୍‌ ଫେଡେରେସନ୍‌ର ଉପଦେଷ୍ଟା ଦାୟିତ୍ବ ତୁଲାଇଥିଲେ। ଏବେ ତାଙ୍କ ପରଲୋକ ଦେଶ ପାଇଁ ବିରାଟ କ୍ଷତି ବୋଲି ସୁମରିୱାଲା କହିଛନ୍ତି। ସୈନିଙ୍କ ପରଲୋକ ଖବର ପାଇଁ ଅଲିମ୍ପିଆନ୍‌ ଧାବିକା ଦୂତି ଚାନ୍ଦ ଏବଂ ପ୍ରଶିକ୍ଷକ ସୁଶାନ୍ତ ରାୟ ମଧ୍ୟ ଶୋକପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।