ବେଜିଂ: ଆଗାମୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ବନ୍ଧୁକଚାଳନାରେ ଭାରତକୁ ପଞ୍ଚମ ଟିକେଟ ମିଳିଯାଇଛି। ଗତବର୍ଷ ନୂ୍ଆଦିଲ୍ଲୀ ବିଶ୍ବକପ୍ ବେଳେ ଅଞ୍ଜୁମ୍ ମୁଦ୍ଗିଲ୍ ଓ ଅପୂର୍ବୀ ଚାନ୍ଦିଲା (ମହିଳା ୧୦ ମିଟର ଏୟାର ରାଇଫଲ୍), ସୌରଭ ଚୌଧୁରୀ (ପୁରୁଷ ୧୦ ମିଟର ଏୟାର ପିସ୍ତଲ) ଏହି ଯୋଗ୍ୟତା ହାସଲ କରିସାରିଥିଲା ବେଳେ ଚଳିତ ବିଶ୍ବକପ୍ ଅବସରରେ ଶୁକ୍ରବାର ଦିବ୍ୟାଂଶ ସିଂହ ପନ୍ୱାର ରୌପ୍ୟ ପଦକ ଜିତି ଚତୁର୍ଥ ଭାରତୀୟ ଭାବେ ଟିକେଟ ହାତେଇଥିଲେ। ଏହାର ଦିନକ ପରେ ଶନିବାର ଅଭିଷେକ ବର୍ମା ଏକ୍ଷେତ୍ରରେ ପଞ୍ଚମ ଭାରତୀୟ ହୋଇଛନ୍ତି। ବେଜିଂ ବିଶ୍ବକପ୍ରେ ଅଭିଷେକ ପୁରୁଷ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ଶନିବାର ସ୍ବର୍ଣ୍ଣିମ ସଫଳତା ହାତେଇବା ସାଙ୍ଗକୁ ଅଲିମ୍ପିକ୍ସ ଟିକେଟ୍ କରାୟତ କରିନେଇଛନ୍ତି। ପ୍ରଥମ ଥର ପାଇଁ ବିଶ୍ବକପ୍ ଫାଇନାଲ୍ରେ ଅଂଶଗ୍ରହଣ କରିଥିବା ଅଭିଷେକ ମୋଟ ୨୪୨.୭ ସ୍କୋର୍ କରି ପ୍ରଥମ ସ୍ଥାନ ଦଖଲ କରିଥିଲେ। ଏହି ବର୍ଗର ୮ ଜଣିଆ ଫାଇନାଲ୍ରେ ସେ ସ୍ବର୍ଣ୍ଣ ପଦକ କରାୟତ କରିଥିଲା ବେଳେ ରୁଷିଆର ଆର୍ତେମ୍ ଚେର୍ନୋସଭ୍ (୨୪୦.୪) ରୌପ୍ୟ ଏବଂ କୋରିଆର ସିଉଙ୍ଗ୍ଉ (୨୨୦.୦) କାଂସ୍ୟ ପଦକ ପାଇଥିଲେ। ସଂଯୋଗବଶତଃ ଅଭିଷେକ ଗତବର୍ଷ ନୂଆଦିଲ୍ଲୀ ବିଶ୍ବକପ୍ରେ ପଦାର୍ପଣ କରିଥିଲେ ମଧ୍ୟ ଫାଇନାଲ୍କୁ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲେ। ହେଲେ ବେଜିଂରେ ସେ ଯୋଗ୍ୟତାପର୍ଯ୍ୟାୟରେ ମୋଟ ୫୮୫ ସ୍କୋର୍ କରି ଫାଇନାଲ୍ ପ୍ରବେଶ କରିଥିଲେ। ସେ ଏକମାତ୍ର ଭାରତୀୟ ଭାବେ ଫାଇନାଲ୍ ପହଞ୍ଚିଥିଲା ବେଳେ ସୁଯୋଗ ହାତଛଡ଼ା ନକରି ସ୍ବର୍ଣ୍ଣ ପଦକ ଉପରେ କବ୍ଜା କରିନେଇଥିଲେ। ଅନ୍ୟ ଦୁଇ ଭାରତୀୟ ସାହଜାର୍ ରିଜ୍ଭି ଓ ଅର୍ଜୁନ ସିଂହ ଚିମା ଯଥାକ୍ରମେ ୩୨ ଓ ୫୪ତମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଅଭିଷେକ ଏହା ପୂର୍ବରୁ ଏସୀୟ କ୍ରୀଡ଼ା ପଦାର୍ପଣରେ କାଂସ୍ୟ ପଦକ ଜିତିଥିଲେ। ଚଳିତ ବିଶ୍ବକପ୍ରେ ଭାରତ ପାଇଁ ଏହା ଚତୁର୍ଥ ପଦକ ଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp