ଭୁବନେଶ୍ବର: ଚଳିତ ଇଣ୍ଡିଆନ୍‌ ମହିଳା ଲିଗ୍‌ (ଆଇଡବ୍ଲୁଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତା‌ରେ ଓଡ଼ିଶା ଏଫ୍‌ସି ବିଜୟ ଧାରାକୁ ଫେରିଛି। ବୁଧବାର ଗ୍ରୁପ୍‌-ବି’ ଅନ୍ତର୍ଗତ ନିଜର ତୃତୀୟ ମ୍ୟାଚ୍‌ରେ ଏହି ଭୁବନେଶ୍ବର ଭିତ୍ତିକ ଦଳ ୪-୦ ଗୋଲ୍‌ରେ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିୟନକୁ ପରାସ୍ତ କରିଥିଲା। ଏହି ବିଜୟ ସହ ଓଡ଼ିଶା ଏଫ୍‌ସି (୬ ପଏଣ୍ଟ) ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି। ପୂର୍ବରୁ ସିଆର୍‌ପିଏଫ୍‌ ଏଫ୍‌ସିକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଦଳ ରବିବାର କିକ୍‌‌ଷ୍ଟାର୍ଟ ଏଫ୍‌ସିଠୁ ହାରିଯାଇଥିଲା।

Advertisment

ବୁଧବାର ଅହମଦାବାଦର ଟ୍ରାନ୍‌ସଷ୍ଟାଡିଆରେ ଖେଳାଯାଇଥିବା ମ୍ୟାଚ୍‌ର ସପ୍ତଦଶ ମିନିଟ୍‌ରେ ଅଞ୍ଜୁ ତମାଙ୍ଗଙ୍କ ଗୋଲ୍‌ରେ ଓଡ଼ିଶା ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ଅଧିନାୟିକା ବାଲା ଦେବୀ (୨୫ ମିନିଟ୍‌) ଗୋଲ୍‌ ଦେଇ ଦଳକୁ ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରଖିଥିଲେ। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଯଶୋଦା ମୁଣ୍ଡା (୪୬ ମିନିଟ୍‌) ଦଳ ପାଇଁ ତୃତୀୟ ଗୋଲ୍‌ ଦେଇଥିଲେ। ‌ଇନ୍‌ଜୁରି ସମୟରେ ଲିଣ୍ଡା କମ୍‌ (୯୦+୭ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ଏଫ୍‌ସି ବିଜୟ ବ୍ୟବଧାନକୁ ୪-୦ କରିଥିଲା।