ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଓ ବିଶ୍ବ ଚାମ୍ପିଅନ୍ସିପ୍ ପଦକ ବିଜେତା ଭିନେଶ ଫୋଗତଙ୍କୁ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ଟିକେଟ୍ ମିଳିଛି। ଭାରତୀୟ କୁସ୍ତ ମହାସଂଘ (ଡବ୍ଲୁଏଫ୍ଆଇ) ଆଡ୍ ହକ୍ ପ୍ୟାନେଲ୍ ଏହି ଅନୁମତି ଦେଇଛି। ହେଲେ ଏସଂକ୍ରାନ୍ତରେ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ସହିତ କୌଣସି ଆଲୋଚନା କରାଯାଇନଥିବାରୁ ଅନ୍ୟ କୁସ୍ତିଯୋଦ୍ଧା ଓ ପ୍ରଶିକ୍ଷକମାନେ ଏହାର ପ୍ରତିବାଦ କରିବେ ବୋଲି ଅଣ୍ଟା ଭିଡିଛନ୍ତି। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍ ହକ୍ ପ୍ୟାନେଲ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ବଜରଙ୍ଗଙ୍କୁ ୬୫ କେଜି ଫ୍ରିଷ୍ଟାଇଲ୍ ଏବଂ ଭିନେଶଙ୍କୁ ୫୩ କେଜିରେ ଲଢିବା ପାଇଁ ଅନୁମତି ଦିଆଯାଇଛି। ଏହାବ୍ୟତୀତ ଅନ୍ୟ ୬ ଓଜନବର୍ଗରେ ଟ୍ରାଏଲ୍ସ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଡବ୍ଲୁଏଫ୍ଆଇ ପୂର୍ବତନ ସଭାପତିଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବାରୁ ଏହି ଦୁଇ କୁସ୍ତିଯୋଦ୍ଧା କୌଣସି ଆନ୍ତର୍ଜାତିକ ଇଭେଣ୍ଟରେ ଅଂଶଗ୍ରହଣ କରିପାରିନଥିଲେ। କିନ୍ତୁ ଉଭୟଙ୍କ ଓଜନବର୍ଗରେ ସୁଜିତ କଲାକଲ ଓ ଅନ୍ତିମ୍ ପଙ୍ଘଲ୍ ଭଲ ପ୍ରଦର୍ଶନ ଦେଇଥିଲେ ବି ସେମାନଙ୍କୁ ସିଧାସଳଖ ସୁଯୋଗ ମିଳିପାରିନାହିଁ। ସେହିପରି ଆନ୍ଦୋଳନରେ ସାମିଲ୍ ଥିବା ସାକ୍ଷୀ ମଲ୍ଲିକ, ସତ୍ୟବ୍ରତ କାଡ଼ିଆନ୍, ଜିତେନ୍ଦର କିହ୍ନା, ସଙ୍ଗୀତା ଫୋଗଟ୍ଙ୍କ ପ୍ରତି ଆଡ୍ ହକ୍ ପ୍ୟାନେଲ୍ କୌଣସି ନମନୀୟତା ଅବଲମ୍ବନ କରିନାହିଁ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp