ସିଡ୍ନି : ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଅପରାଜେୟ ଥିବା ଭାରତ ଫାଇନାଲ୍ ସ୍ଥାନ ପାଇଁ ଗୁରୁବାର ଇଂଲଣ୍ଡକୁ ଭେଟିବ। ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ସପ୍ତମ ସଂସ୍କରଣରେ ପହଞ୍ଚିଥିଲା ବେଳେ ପୂର୍ବରୁ ଭାରତ କେବେ ବି ଫାଇନାଲ୍ରେ ପହଞ୍ଚିପାରିନାହିଁ। ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ ଦେଇଥିବାରୁ ଭାରତ ପ୍ରଥମ ଥର ଫାଇନାଲ୍ ଖେଳିବା ଆଶାରେ ରହିଛି। ବିଜେତା ଅଷ୍ଟ୍ରେଲିଆକୁ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତୀ ଗ୍ରୁପ୍ ମ୍ୟାଚ୍ରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ପରାଜିତ କରି ୪ ମ୍ୟାଚ୍ରୁ ୮ ପଏଣ୍ଟ୍ ସହ ଶୀର୍ଷରେ ରହି ସେମିଫାଇନାଲ୍ରେ ପ୍ରବେଶ କରିଥିଲା।
ଚଳିତ ବିଶ୍ବକପ୍ ପ୍ରଦର୍ଶନ ଅନୁଯାୟୀ ସଂପ୍ରତି ଭାରତ ପଲା ଭାରୀ ରହିଛି। କିନ୍ତୁ ଇତିହାସ ଇଂଲଣ୍ଡ ସପକ୍ଷରେ ରହିଛି। ଉଭୟ ଦଳ ମଧ୍ୟରେ ୫ ଥର ମୁହାଁମୁହିଁ ହୋଇଥିଲା ବେଳେ ସବୁ ମ୍ୟାଚ୍ ଇଂଲଣ୍ଡ ଜିତିଛି। ଶେଷ ଥର ଲାଗି ୱେଷ୍ଟ୍ଇଣ୍ଡିଜ୍ରେ ଅନୁଷ୍ଠିତ ବିଶ୍ବକପ୍ର ସେମିଫାଇନାଲ୍ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଇଂଲଣ୍ଡ ୮ ୱିକେଟ୍ରେ ଜିତି ଫାଇନାଲ୍ରେ ପହଞ୍ଚିଥିଲା। ଏହା ପୂର୍ବରୁ ଭାରତ ୨୦୦୯, ୨୦୧୨, ୨୦୧୪ ଓ ୨୦୧୬ ସଂସ୍କରଣ ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡଠୁ ହାରିଥିଲା। ହେଲେ ଏବେ ଆମେ ଦଳଗତ ପ୍ରଦର୍ଶନ ଦେଇଚାଲିଛୁ। ଗୋଟିଏ କି ଦୁଇଟି ଖେଳାଳିଙ୍କ ଉପରେ ଭରସା କରୁନୁ। ଏଥର ଦଳର ୭ ଜଣ ଖେଳାଳି ଗତ ସଂସ୍କରଣ ସେମିଫାଇନାଲ୍ରେ ଖେଳିଥିଲେ। ସେମାନେ ଏଥର କିଛି ଅଲଗା କରିବା ଲକ୍ଷ୍ୟରେ ରହିଛନ୍ତି ବୋଲି ଭାରତୀୟ ଅଧିନାୟିକା ହରମନ୍ପ୍ରୀତ କୌର କହିଛନ୍ତି।
ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ତ୍ରିକୋଣୀୟ ଶୃଙ୍ଖଳାରେ ଇଂଲଣ୍ଡକୁ ହରାଇ ଥିବାରୁ ଭାରତର ମନୋବଳ ଦୃଢ଼ ରହିଛି। ଭାରତର ଆଗଧାଡ଼ିର ବ୍ୟାଟର୍ ଲୟରେ ଅଛନ୍ତି। ୧୬ ବର୍ଷୀୟା ବ୍ୟାଟର୍ ଶେଫାଳି ବର୍ମା ୪ ମ୍ୟାଚ୍ରେ ୪୦.୨୫ ହାରରେ ୧୬୧ ରନ୍ ସଂଗ୍ରହ କରିଛନ୍ତି ଏବଂ ସଦ୍ୟ ପ୍ରକାଶିତ ବିଶ୍ବ ମାନ୍ୟତାରେ ଶୀର୍ଷ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାର ସର୍ବାଧିକ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ସେ ଇଂଲଣ୍ଡର ନାତାଲି ସିଭର (୨୦୨) ଓ ହିଦର ନାଇଟ୍ (୧୯୩)ଙ୍କ ପଛକୁ ତୃତୀୟରେ ରହିଛନ୍ତି। ଜେମିମା ରୋଦ୍ରିଗୁଏଜ୍ ଅଧିକ ରନ୍ କରିପାରିନାହାନ୍ତି ହେଲେ ଭଲ ସହଯୋଗ କରିଛନ୍ତି। ମଧ୍ୟଭାଗରେ ଭେଡ଼ା କୃଷ୍ଣମୂର୍ତ୍ତି, ଶିଖା ପାଣ୍ଡେ ଓ ରାଧା ଯାଦବଙ୍କ ପ୍ରଦର୍ଶନ ସେତେଟା ଭଲ ନାହିଁ। ଅଭିଜ୍ଞ ଦୁଇ ବ୍ୟାଟର୍ ହରମନ୍ପ୍ରୀତ ଓ ସ୍ମୃତି ମାନ୍ଧାନା ଭଲ କରି ନଥିଲେ ମଧ୍ୟ ସେମିଫାଇନାଲ୍ରେ ଫେରିବା ଆଶାରେ ଅଛନ୍ତି। ବୋଲିଂରେ ଲେଗ୍ ସ୍ପିନର ପୁନମ ଯାଦବ (୯ ୱିକେଟ୍) ସର୍ବାଧିକ ୱିକେଟ୍ ଦଖଲକାରୀଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି। ଶିଖା ପାଣ୍ଡେ (୭ ୱିକେଟ୍)ଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି।
ଅନ୍ୟପକ୍ଷରେ ଇଂଲଣ୍ଡ ଗ୍ରୁପ୍-ବିରେ ୪ରୁ ୩ ମ୍ୟାଚ୍ ଜିତି ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍ରେ ପହଞ୍ଚିଛି। ଏହି ଦଳର ବ୍ୟାଟିଂ ହେଉଛି ବଳ। ନାତାଲି ୩ ଅର୍ଧଶତକ ସହ ୬୭.୩୩ ହାରରେ ୨୦୨ ରନ୍ ସଂଗ୍ରହ କରି ତାଲିକାର ଶୀର୍ଷରେ ରହିଛନ୍ତି। ଭାରତୀୟ ବୋଲର ନାତାଲିଙ୍କୁ ଅଟକାଇ ଦେଲେ ବିଜୟ ସହଜ ହେବାର ସମ୍ଭାବନା ରହିବ। ଇଂଲଣ୍ଡର ଲେଗ୍ ସ୍ପିନର ସୋଫି ଏକ୍ଲେଷ୍ଟୋନ୍ (୮ ୱିକେଟ୍) ଓ ଦ୍ରୁତ ବୋଲର ଅନ୍ୟା ସ୍ରବସୋଲେ (୭ ୱିକେଟ୍) ସର୍ବାଧିକ ୱିକେଟ୍ ଦଖଲକାରୀଙ୍କ ମଧ୍ୟରେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି।
ସେମିଫାଇନାଲ୍ ସଂରକ୍ଷିତ ଦିବସକୁ ଯିବନି
ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ ମ୍ୟାଚ୍ କୌଣସି କାରଣରୁ ବାଧାପ୍ରାପ୍ତ ହେଲେ ସଂରକ୍ଷିତ ଦିବସରେ ପୂନର୍ବାର ଖେଳାଯିବନି ବୋଲି ବୁଧବାର ଆଇସିସି ସ୍ପଷ୍ଟ କରିଛି। ଗୁରୁବାର ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ସେମିଫାଇନାଲ୍ରେ ବର୍ଷା ଆଶଙ୍କା ଥିବା ନେଇ ପାଣିପାଗ ବିଭାଗ ଆଗୁଆ ସୂଚନା ଦେଇଥିଲା। ସେମିଫାଇନାଲ୍ ବର୍ଷା ଯୋଗୁଁ ବାତିଲ ହେଲେ ସଂରକ୍ଷିତ ଦିବସରେ ଏହାକୁ ପୂନର୍ବାର ଖେଳାଯିବା ଲାଗି କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ କେଭି ରର୍ବଟ୍ସ ଆଇସିସିକୁ ଅନୁରୋଧ କରିଥିଲେ। ହେଲେ ଆଇସିସି ଏହାକୁ ପ୍ରତ୍ୟାଖାନ କରିବା ସହ ମ୍ୟାଚ୍ ବାତିଲ ହେଲେ ଗ୍ରୁପ୍ ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ ବୋଲି ସ୍ପଷ୍ଟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/india-vs-england.jpeg)