କଟକ: କଟକର ବିଭିନ୍ନ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଶୁକ୍ରବାର ୪ଟି ମ୍ୟାଚ୍ ଖେଳାଯାଇଛି। ଏଥିରେ ମାଲକାନଗିରି, ଯାଜପୁର, ଭଦ୍ରକ ଓ କେନ୍ଦୁଝର ବିଜୟୀ ହୋଇଛନ୍ତି। ବିଡ଼ାନାସୀ ପଡ଼ିଆରେ ମାଲକାନଗିରି ୧୦ ୱିକେଟ୍ରେ ନୟାଗଡ଼କୁ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନୟାଗଡ଼ ୫ ଓଭରରେ ୨ ୱିକେଟ୍ ହରାଇ ୨୬ ରନ୍ ସଂଗ୍ରହ କରିଥିଲା। ଜବାବରେ ମାଲକାନଗିରି ମାତ୍ର ୨.୨ ଓଭରରେ କୌଣସି ୱିକେଟ୍ ନହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।
ରେଭେନ୍ସା ପଡ଼ିଆ ନଂ-୨ରେ ଯାଜପୁର ୪୮ ରନ୍ରେ କୋରାପୁଟକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଯାଜପୁର ନିର୍ଦ୍ଧାରିତ ୮ ଓଭରରେ ବିନା କ୍ଷତିରେ ୭୬ ରନ୍ କରିଥିଲା। ଦଳ ପକ୍ଷରୁ କାଜଲ ଜେନା ଧୂଆଁଧାର ବ୍ୟାଟିଂ କରି ୨୫ ବଲରୁ ୪୦ ରନ୍ ଏବଂ ଅଲିପ୍ସା ବିଶ୍ବାଳ ୨୯ ରନ୍ କରିଥିଲେ। ଜବାବରେ କୋରାପୁଟ ୮ ୱିକେଟ୍ ହରାଇ ୨୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ବିଡ଼ାନାସୀ ପଡ଼ିଆରେ ଭଦ୍ରକ ୬ ୱିକେଟ୍ରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କେନ୍ଦ୍ରାପଡ଼ା ୩ ୱିକେଟ୍ ହରାଇ ୯୦ ରନ୍ କରିଥିଲା। କେନ୍ଦ୍ରାପଡ଼ା ପକ୍ଷରୁ ସୀତୁ ନାୟକ ସର୍ବାଧିକ ୪୬ ରନ୍ ସଂଗ୍ରହ କରିଥିଲେ। ଜବାବରେ ଭଦ୍ରକ ଦଳ ୧୮.୧ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ରେଭେନ୍ସା ପଡ଼ିଆ ନଂ-୨ରେ କେନ୍ଦୁଝର ୧୪୩ ରନ୍ରେ ଢେଙ୍କାନାଳକୁ ମାତ୍ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା କେନ୍ଦୁଝର ୨ ୱିକେଟ୍ ହରାଇ ୧୮୫ରନ୍ କରିଥିଲା। କେନ୍ଦୁଝର ଖେଳାଳି ତାନ୍ବୀ ରଞ୍ଜନା (୧୦୭ ରନ୍, ୬୫ ବଲ୍) ଶତକ ଅର୍ଜନ କରିଥିବା ବେଳେ ଅର୍ଚ୍ଚନା ପରିଡ଼ା (୫୨ ରନ୍) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଜବାବରେ ଢେଙ୍କାନାଳ ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୪୨ ରନ୍ କରିପାରିଥିଲା।