ମୁମ୍ବାଇ : ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍ ଶତକ ପରେ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି। ୱାଙ୍ଖଡେ ଷ୍ଟାଡିୟମ୍ରେ ଶୁକ୍ରବାର ରାତିରେ ଶୀର୍ଷ ସ୍ଥାନରେ ସୁରକ୍ଷିତ ଥିବା ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ୨୭ ରନ୍ରେ ପରାସ୍ତ କରି ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନକୁ ଉଠିଛି। ଫଳରେ ରସିଦ୍ ଖାନ୍ (୪/୩୦, ୭୯* ରନ୍)ଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ମଧ୍ୟ ଫିକା ପଡ଼ିଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୧୮/୫ ସ୍କୋର କରିଥିଲା ବେଳେ ଗୁଜରାଟ ୧୯୧/୮ରେ ଅଟକି ଯାଇଥିଲା। ଟାଇଟନ୍ସର ଶୀର୍ଷ ୩ ବ୍ୟାଟର ଦୁଇ ଅଙ୍କରେ ପହଞ୍ଚିପାରିନଥିଲା ବେଳେ ୫୫ ରନ୍ ମଧ୍ୟରେ ଅଧା ଖେଳାଳି ପାଭିଲିଅନ୍ ଫେରିଯାଇଥିଲେ। ମଧ୍ୟକ୍ରମରେ ବିଜୟ ଶଙ୍କର ଦ୍ରୁତ ଭାବେ ରନ୍ ସଂଗ୍ରହ କରିଥିଲେ ସୁଦ୍ଧା ୨୯ ରନ୍ରେ ୱିକେଟ୍ ହରାଇଥିଲେ। କେବଳ ଡେଭିଡ୍ ମିଲର ଦଳର ଏକମାତ୍ର ସଫଳ ବ୍ୟାଟର ଭାବେ ରାହୁଲ ତିୱାତିଆଙ୍କୁ ସାଥୀ କରି ଷଷ୍ଠ ୱିକେଟ୍ରେ ୪୫ ରନ୍ ଯୋଡ଼ି ଦଳକୁ ୧୦୦ ରନରେ ପହଞ୍ଚାଇଥିଲେ। କିନ୍ତୁ ଇମ୍ପାକ୍ଟ ପ୍ଲେୟାର ଆକାଶ ମଧୱାଲ ତାଙ୍କୁ ଏଲ୍ବିଡବ୍ଲୁ କରିବାରୁ ପୁଣି ଥରେ ଟାଇଟନ୍ସ ବିପର୍ଯ୍ୟୟ ମୁହାଁ ହୋଇଥିଲା। ହେଲେ ଅଷ୍ଟମ ସ୍ଥାନରେ ବ୍ୟାଟିଂ ଆସିଥିବା ରସିଦ୍ ଖାନ୍ ବିସ୍ଫୋରକ ବ୍ୟାଟିଂ କରି ୨୧ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ଦର୍ଶକଙ୍କ ମନୋରଂଜନ କରିଥିଲେ। ଟ୍ବେଣ୍ଟି-୨୦ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ବି ଦଳକୁ ଜିତାଇବା ପାଇଁ ତାହା ପର୍ଯ୍ୟାପ୍ତ ହୋଇନଥିଲା। ରସିଦଙ୍କ ବିସ୍ଫୋରକ ପାଳିରେ ୩ ଚୌକା ଓ ୧୦ ଛକା ସାମିଲ ଥିଲା। ଜୋସେଫ୍ଙ୍କ ସହ ନବମ ୱିକେଟ୍ରେ ରସିଦ୍ ୪୦ ବଲ୍ରୁ ୮୮* ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲେ।
ଏଥିପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ରୋହିତଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ବେଳେ ରସିଦ୍ ଖାନ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ରସିଦ୍ ଗୋଟିଏ ପଟରୁ ରନ୍ ଉପରେ ନିୟନ୍ତ୍ରଣ ଆଣିବା ସାଙ୍ଗକୁ ୱିକେଟ୍ ଦଖଲ କରିଚାଲିଥିଲା ବେଳେ ଅନ୍ୟପଟରେ ସୂର୍ଯ୍ୟ ବିସ୍ଫୋରକ ବ୍ୟାଟିଂ କରିଚାଲିଥିଲେ। ଈଶାନ କିଶନ ଓ ରୋହିତ ପ୍ରଥମରୁ ରକ୍ଷଣାତ୍ମକ ଖେଳିଥିଲେ ବି ଧିରେଧିରେ ରନ୍ ଗତି ବଢାଇଥିଲେ। ପାୱାରପ୍ଲେ ଶେଷ ବେଳକୁ ଦଳ ବିନା କୌଣସି କ୍ଷତିରେ ୬୧ ରନ୍ ସଂଗ୍ରହ କରିନେଇଥିଲା। ହେଲେ ପାୱାରପ୍ଲେର ପରବର୍ତ୍ତୀ ଓଭରରେ ରସିଦ୍ ଖାନ୍ ଉଭୟ ରୋହିତ (୨୯) ଓ ଈଶାନ (୩୧)ଙ୍କୁ ଆଉଟ୍ କରି ଗୁଜରାଟକୁ ଯୁଗଳ ସଫଳତା ଦେଇଥିଲେ। ରସିଦ୍ ତାଙ୍କ ପରବର୍ତ୍ତୀ ଓଭରରେ ନେହଲ ୱାଧେରା (୧୫)ଙ୍କୁ ଆଉଟ୍ କରିବାରୁ ମୁମ୍ବାଇର ରନ୍ ଗତି ଧିମା ହୋଇଯାଇଥିଲା। ସୂର୍ଯ୍ୟକୁମାର ଯାଦବ ଓ ବିଷ୍ଣୁ ବିନୋଦ ଚତୁର୍ଥ ୱିକେଟ୍ରେ ୬୫ ରନ୍ ଯୋଡ଼ି ପୁଣି ଥରେ ମୁମ୍ବାଇକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ। ୨୦ ବଲ୍ରୁ ୨ ଚୌକା, ୨ ଛକା ସହାୟତାରେ ୩୦ ରନ୍ କରିଥିଲା ବେଳେ ବିଷ୍ଣୁଙ୍କୁ ମୋହିତ ଶର୍ମା ଆଉଟ୍ କରିଥିଲେ। କିନ୍ତୁ ସୂର୍ଯ୍ୟକୁମାର ତାଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରଖିବା ସହିତ ଚୌକା, ଛକାର ବର୍ଷା କରି ଶେଷ ବଲ୍ରେ ଶତକ (୧୦୩* ରନ୍, ୪୯ ବଲ୍) ପୂରଣ କରିଥିଲେ। ସୂର୍ଯ୍ୟଙ୍କ ପାଳିରେ ୧୧ ଚୌକା ଓ ୬ ଛକା ସାମିଲ ଥିଲା। ବିଶେଷକରି ପ୍ରଥମ ୧୦ ଓଭରରେ ୯୬ ରନ୍ ହୋଇଥିଲା ବେଳେ ଶେଷ ୧୦ ଓଭରରେ ୧୨୨ ରନ୍ ସଂଗୃହୀତ ହୋଇଥିଲା। ଏପରିକି ଶେଷ ୯ ଓଭରରୁ ଦଳ ୧୧୭ ରନ୍ ଉଠାଇବାରୁ ସ୍କୋର୍ ୨୦୦ ଅତିକ୍ରମ କରିବାରେ ସହାୟକ ହୋଇଥିଲା। ଗୁଜରାଟ ଟାଇଟନ୍ସ ପାଇଁ ରସିଦ ସଫଳ ବୋଲର (୪-୦-୩୦-୪) ରହିଥିଲେ।