ସେଞ୍ଚୁରିଅନ : କେପଟାଉନ ଭଳି ସେଞ୍ଚୁରିଅନରେ ମଧ୍ୟ ଭାରତ ଅଠାକାଠିରେ ପଡ଼ିଛି। ପରାଜୟ ଦ୍ୱାର ଦେଶରେ ରହି ମ୍ୟାଚ୍ ଓ ଶୃଙ୍ଖଳା ପରାଜୟର ଦ୍ୱାର ଦେଶରେ ଅଛି। ଦକ୍ଷିଣ ଆଫ୍ରିକା ୨୮୭ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ବେଳେ ଘରୋଇ ଦ୍ରୁତ ବୋଲରଙ୍କ ବଲ୍କୁ ବୁଝି ପାରୁ ନଥିବା ଭାରତ ମଙ୍ଗଳବାର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ମାତ୍ର ୩୫ ରନ୍ କରିଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଏବଂ ଲୋକେଶ ରାହୁଲଙ୍କ ସହ ଅଧିନାୟକ ବିରାଟ କୋହଲି ପାଭିଲିୟନ ଫେରି ଯାଇଛନ୍ତି। ତଥାପି ଭାରତ ବିଜୟ ଲକ୍ଷ୍ୟଠାରୁ୨୫୩ ରନ୍ ପଛରେ ରହିଛି। ଏଣୁ ବୁଧବାର ମ୍ୟାଚ୍ ବଞ୍ଚାଇ ପାରିଲେ ଭାରତୀୟ ଦଳ ପାଇଁ ଏହା ବଡ଼ ସଫଳତା ହେବ।
ରାହୁଲ-ବିଜୟ-କୋହଲିଙ୍କ ୨୬
ଦକ୍ଷିଣ ଆଫ୍ରିକା ପିଚ୍ରେ ଚତୁର୍ଥ ପାଳିରେ ବ୍ୟାଟିଂ କରି ୨୮୭ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିବା ଏକବାର କଷ୍ଟକର ଥିଲା। ଭାରତର ଦ୍ୱିତୀୟ ପାଳି ଆରମ୍ଭରୁ ଏକଥା ମଧ୍ୟ ସ୍ପଷ୍ଟ ହୋଇ ଯାଇଥିଲା। ଭାରତୀୟ ପ୍ରାରମ୍ଭିକ ଯୋଡ଼ି ଲୋକେଶ ରାହୁଲ ଏବଂ ମୁରଲୀ ବିଜୟ ପ୍ରଥମ ୭ ଓଭର ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବୋଲିଂ ବାହିନୀର ନୂଆ ବଲ୍ ଆକ୍ରମଣକୁ ପ୍ରତିହତ କରିଥିଲେ। ହେଲେ ଅଷ୍ଟମ ଓଭରରେ ବିଜୟଙ୍କ ଛୋଟିଆ ଭୁଲ ଦକ୍ଷିଣ ଆଫ୍ରିକାକୁ ଚାପ ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିଥିଲା। କାଗିସୋ ରବାଦା ବୋଲିଂ କରୁଥିବା ଅଷ୍ଟମ ଓଭରର ପଞ୍ଚମ ବଲ୍ ଯେତିକି ଉଠିବା କଥା ସେତିକି ଉଠି ନଥିଲା। ବିଜୟ ଏହାକୁ କଟ୍ କରିବାକୁ ଚେଷ୍ଟା କରୁଥିଲା ବେଳେ ବଲ୍ ତାଙ୍କ ବ୍ୟାଟ୍ ଧାରରେ ବାଜି ଷ୍ଟମ୍ପକୁ ଚାଲି ଯାଇଥିଲା। ଲେଗ୍ ଷ୍ଟମ୍ପ ଉପୁଡ଼ିଯିବା ସହ ବିଜୟ ନିରାଶ ହୋଇ ପାଭିଲିୟନ ଫେରିଥିଲେ। ଭାରତ ମାତ୍ର ୧୨ ରନ୍ରେ ତା’ର ପ୍ରଥମ ଓ୍ଵିକେଟ୍ ହରାଇଥିଲା। ୪ ରନ୍ ପରେ ରାହୁଲ ବି ବିଜୟଙ୍କ ପଦାଙ୍କ ଅନୁସରଣ କରିଥିଲେ। ଲୁଙ୍ଗି ଏନ୍ଗିଡିଙ୍କ ବଲ୍ରେ ଆଶ୍ଚର୍ଯ୍ୟଜନକ ସଟ୍ ଖେଳି ସେ କେଶବ ମହାରାଜଙ୍କ ହାତରେ ଧରା ପଡ଼ିଥିଲେ। ୧୬ ରନ୍ରେ ଭାରତ ତା’ର ଦୁଇ ପ୍ରାରମ୍ଭିକ ଯୋଡ଼ିକୁ ହରାଇଥିଲା। ସବୁଠାରୁ ବଡ଼ ଝଟ୍କା କିନ୍ତୁ ଷୋଡ଼ଶ ଓଭରରେ ଲାଗିଥିଲା। ଏନ୍ଗିଡିଙ୍କ ଅଫ୍ ଷ୍ଟମ୍ପ ବାହାରେ ପଡ଼ିଥିବା ବଲ୍ ହଠାତ୍ ଭିତରକୁ ପଶି ଅଧିନାୟକ ବିରାଟ କୋହଲିଙ୍କ ପ୍ୟାଡ୍ରେ ବାଜିଥିଲା। ଅମ୍ପାୟାର ତୁରନ୍ତ ଆଉଟ୍ ସଂକେତ ଦେଇଥିଲେ। ହେଲେ କୋହଲି ରିଭ୍ୟୁ କରିଥିଲେ। ଏଥିରେ ମଧ୍ୟ ତାଙ୍କୁ ନିସ୍ତାର ମିଳି ନଥିଲା। ପାର୍ଥିବ ପଟେଲ ୫* ଏବଂ ଚେତେଶ୍ୱର ପୂଜାରା ୧୧* ରନ୍ରେ ଥିଲା ବେଳେ ଦିନର ଖେଳ ବନ୍ଦ ହୋଇଥିଲା। ସେତେବେଳକୁ ଭାରତ ୩ ଓ୍ଵିକେଟ୍ ହରାଇ ମାତ୍ର ୩୫ ରନ୍ କରିଥିଲା।
ସାମିଙ୍କ ସଫଳ ସ୍ପେଲ୍
ସୋମବାର ୨ ଓ୍ଵିକେଟ୍ ବିନିମୟରେ ୯୦ ରନ୍ କରିଥିବା ଦକ୍ଷିଣ ଆଫ୍ରିକା ଆଜି ଆଉ ୧୬୮ ରନ୍ ଯୋଡ଼ି ବଳକା ୮ ଓ୍ଵିକେଟ୍ ହରାଇଥିଲା। ୪ ଓ୍ଵିକେଟ୍ ନେଇ ଦ୍ରୁତ ବୋଲର ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ପାଳିକୁ ୩୦୦ ରନ୍ ତଳେ ସୀମିତ ରଖିବାର ପ୍ରମୁଖ ଭୂମିକା ତୁଲାଇଥିଲେ। ଦିନର ପ୍ରଥମ ଓ୍ଵିକେଟ୍ ଭାବେ ସେ ବିପଜ୍ଜନକ ଏବି ଡିଭିଲିୟର୍ସ(୮୦)ଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ଏବି ଶତକ ଦିଗରେ ଅଗ୍ରସର ହେଉଥିଲା ବେଳେ ସାମିଙ୍କ ଲେନ୍ଥ ବଲ୍କୁ ସ୍କୋୟାର ଅଞ୍ଚଳକୁ କଟ୍ କରୁଥିଲା ବେଳେ ପାର୍ଥିବ ପଟେଲଙ୍କ ହାତରେ ଧାରା ପଡ଼ି ଯାଇଥିଲା। ସେତେବେଳକୁ ଦକ୍ଷିଣ ଆଫ୍ରିକା ସ୍କୋର ୧୪୪/୩ ଥିଲା। ୭ ରନ୍ ପରେ ତାଙ୍କ ଯୋଡ଼ିଦାର ଡିନ୍ ଏଲଗାର ମଧ୍ୟ ସାମିଙ୍କ ଶିକାର ବନିଥିଲେ। ଏହା ପୂର୍ବରୁ ଅବଶ୍ୟ ଡିଭିଲିୟର୍ସ ଓ ଏଲଗାର ତୃତୀୟ ଓ୍ଵିକେଟରେ ୧୪୧ ରନ୍ର ମହତ୍ୱପୂର୍ଣ୍ଣ ଭାଗୀଦାରି କରି ଦେଇଥିଲେ। ୭ ଓଭରିଆ ସ୍ପେଲ୍ରେ ତିନିଟି ଓ୍ଵିକେଟ୍ ଅମଳ କରି ସାମି ଦକ୍ଷିଣ ଆଫ୍ରିକାକୁ ଦୋହଲାଇ ଦେଇଥିଲେ। ଏହା ପରେ ଈଶାନ୍ତ ଶର୍ମା ଭର୍ନାନ ଫିଲାଣ୍ଡର ଏବଂ କେଶବ ମହାରାଜ (୬)ଙ୍କୁ ଚକମା ଦେଇ ଭାରତକୁ ଯୁଗଳ ସଫଳତା ଭେଟି ଦେଇଥିଲେ। ଯସପ୍ରୀତ ବୁମରା ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ (୪୮)ଙ୍କୁ ନିଜ ଫଲୋଥ୍ରୁରେ କଟ୍ ଆଣ୍ଡ ବୋଲ୍ଡ କରିବା ପରେ ଦକ୍ଷିଣ ଆଫ୍ରିକା ପାଳି ରନରେ ସମୀତ ହୋଇ ଯାଇଥିଲା। ଏନ୍ଗିଡିଙ୍କୁ ବିଜୟଙ୍କ ହାତରେ କ୍ୟାଚ୍ କରାଇ ଅଶ୍ୱିନ ଦକ୍ଷିଣ ଆଫ୍ରିକା ପାଳିରେ ମୁଣ୍ଡି ମାରିଥିଲେ। ବଲ୍ ଉଚ୍ଚ ନୀଚ୍ଚ ରହୁଥିବାରୁ ସୋମବାର ତୃତୀୟ ଦିନରେ ବ୍ୟାଟିଂ କରିବା କଷ୍ଟକର ଥିଲା। ହେଲେ ଚତୁର୍ଥ ଦିନରେ ବ୍ୟାଟିଂ କିନ୍ତୁ ଅପେକ୍ଷାକୃତ ସହଜ ଥିଲା। ଡିଭିଲିୟର୍ସଙ୍କୁ ମଝିରେ ମଝିରେ ଦୁର୍ବଳ ବଲ୍ ପକାଇବା ମଧ୍ୟ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳିରେ ୨୫୮ ରନ୍ କରି ନେଇଥିଲା। ପ୍ରଥମ ପାଳିରେ ୨୮ ରନ୍ରେ ଆଗୁଆ ଥିବାରୁ ଭାରତ ସମ୍ମୁଖରେ ୨୮୭ ରନର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକା ୩୩୫ ରନ୍ କରିଥିଲା ବେଳେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ୧୫୩ ସତ୍ତ୍ୱେ ୩୦୭ ରନ୍ କରି ପାରିଥିଲା।
ଅମ୍ପାୟାରଙ୍କୁ ଅପମାନ ଦେଇ କୋହଲି ଦଣ୍ଡିତ
ସେଞ୍ଚୁରିଅନ୍, ୧୬|୧: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅମ୍ପାୟାରଙ୍କ ସହ ଆାଶାଳୀନ ବ୍ୟବହାର ପାଇଁ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିବସରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି ବେଳେ ବଲ୍ର ଖରାପ ସ୍ଥିତି (ଓଦା)କୁ ନେଇ କୋହଲି ଅମ୍ପାୟାର ମିଚେଲ୍ ଗଗ୍ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ। ୨୫ତମ ଓଭରରେ ଏହି ଘଟଣା ଘଟିଥିଲା। ହେଲେ ଗଗ୍ କିଛି ଶୁଣିନଥିଲେ। ବର୍ଷା ଛାଡ଼ିବା ପରେ ମ୍ୟାଚ୍ ଖେଳାଯାଇଥିଲା ବେଳେ କୋହଲି ରାଗ ଓ ବିରକ୍ତି ଭାବରେ ବଲ୍କୁ ପଡ଼ିଆରେ ଫେପାଡ଼ିଥିଲେ। ଏଭଳି ବ୍ୟବହାର ଆଇସିସି ଆଚରଣ ବିଧି ଉଲଂଘନ କରିଥିଲା। ଏହାକୁ ଲେବଲ୍-୧ ଅପରାଧ ଭାବେ ବିବେଚନା କରାଯାଇଥିଲା। ଫଳରେ ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ୍ କୋହଲିଙ୍କୁ ଜରିମାନା ଦଣ୍ଡ ଶୁଣାଇଥିଲେ। ତାଙ୍କ ମ୍ୟାଚ୍ ପାଉଣାର ୨୫ ପ୍ରତିଶତ କଟାଯିବା ସହିତ କୋହଲିଙ୍କୁ ୧ ବିଯୁକ୍ତ ପଏଣ୍ଟ୍ ମଧ୍ୟ ପ୍ରଦାନ କରାଯାଇଛି। କୋହଲି ମଧ୍ୟ ଏଭଳି ପଏଣ୍ଟ୍ ପାଇବା ତାଙ୍କ ପାଇଁ ପ୍ରଥମ। ସେ ଯଦି ୨୪ ମାସ ମଧ୍ୟରେ ୪ରୁ ଅଧିକ ବିଯୁକ୍ତ ପଏଣ୍ଟ୍ ସଂଗ୍ରହ କରନ୍ତି, ତାହାଲେ ଏହା ନିଲମ୍ବିତ ପଏଣ୍ଟ୍କୁ ରୁପାନ୍ତର ହୋଇଯିବ। ଫଳରେ କୋହଲି ଗୋଟିଏ ଟେଷ୍ଟ କିମ୍ବା ଦୁଇଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ (ଆଗ ଯେଉଁ ଫର୍ମାଟ୍ ଥିବ)ରୁ ବାସନ୍ଦ ହେବେ। ଓଦା ବଲ୍କୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା ପରେ ଆଲୋକ ଅଭାବକୁ ନେଇ ଖେଳ ବନ୍ଦ ରହିବାକୁ ମଧ୍ୟ ଭାରତ ସହଜରେ ଗ୍ରହଣ କରିନଥିଲା। ଏପରିକି କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ତୁରନ୍ତ ମ୍ୟାଚ୍ ରେଫରିଙ୍କ କୋଠରୀକୁ ଯାଇ ଆଲୋଚନା କରିଥିବା ଦେଖାଯାଇଥିଲା।
ସେଞ୍ଚୁରିଅନ୍ ସଂଘର୍ଷ ଲକ୍ଷ୍ୟ ୨୮୭: ଭାରତ ୩୫/୩
/sambad/media/post_attachments/wp-content/uploads/2018/01/crick-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)