ଭୁବନେଶ୍ୱର: ସ୍ପେନ୍ ଗସ୍ତ ପାଇଁ ଶୁକ୍ରବାର ହକି ଇଣ୍ଡିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଭାରତୀୟ ଦଳ ଏହି ଗସ୍ତରେ ସ୍ପେନ୍ ସହ ୫ ମ୍ୟାଚ୍ ଖେଳିବ। ଆସନ୍ତା ୧୨ ତାରିଖରେ ପ୍ରଥମ ମ୍ୟାଚ୍ ଖେଳି ସ୍ପେନ୍ ଗସ୍ତ ଆରମ୍ଭ କରିବା ପରେ ୧୩, ୧୫, ୧୬ ଓ ୧୮ ତାରିଖରେ ପରବର୍ତୀ ୪ ମ୍ୟାଚ୍ ଖେଳି ଭାରତ ଗସ୍ତ ଶେଷ କରିବ। ସ୍ପେନ୍ ଗସ୍ତ ପରେ ଜୁଲାଇରେ ଲଣ୍ଡନରେ ଆୟୋଜିତ ମହିଳା ବିଶ୍ୱକପ୍କୁ ମଧ୍ୟ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏକ ସନ୍ତୁଳିତ ଦଳ ଘୋଷଣା କରିଛି। ଗତ ପଞ୍ଚମ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫିରୁ ବିଶ୍ରାମ ପାଇଥିବା ରାଣୀ ରାମ୍ପଲ୍ ଦଳକୁ ଫେରିବା ସହିତ ନେତୃତ୍ୱ ବଜାୟ ରଖିଛନ୍ତି। ତାଙ୍କୁ ସହାୟତା ଦେବାପାଇଁ ଅଭିଜ୍ଞ ଗୋଲ୍ରକ୍ଷିକା ସବିତାଙ୍କୁ ଦଳର ଉପଅଧିନାୟିକା ମନୋନୀତ କରାଯାଇଛି। ରାଣୀଙ୍କ ସହିତ ଏସୀୟ ଚାମ୍ପିଅନ୍ସ ଟ୍ରଫିରୁ ବିଶ୍ରାମ ପାଇଥିବା ଅଭିଜ୍ଞ ସୁଶୀଲା ଚାନୁ ପୁଖ୍ରମ୍ବାମ୍ ମଧ୍ୟ ସ୍ପେନ୍ ଗସ୍ତ ପାଇଁ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି।
ଏହି ଗସ୍ତ ପୂର୍ବରୁ ଆୟୋଜିତ ଜାତୀୟ ଶିବିରରେ ୪୮ ଜଣ ଖେଳାଳି ଯୋଗ ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିଛି। ସେଥିରେ ଓଡ଼ିଶାରୁ ୫ ଖେଳାଳି ସାମିଲ ହୋଇଛନ୍ତି। ଶିବିରରେ ୭ ଓଡ଼ିଆ ଖେଳାଳି ସାମିଲ ଥିଲା ବେଳେ ଦୀପ୍ଗ୍ରେସ୍ ଏକ୍କା, ସୁନିତା ଲାକ୍ରା, ଲିଲିମା ମିଞ୍ଜ୍, ନମିତା ଟପ୍ପୋ ଓ ଅନୁପା ବାର୍ଲା ସ୍ପେନ୍ ଗସ୍ତ ପାଇଁ ଦଳରେ ସ୍ଥାନ ଅକ୍ତିଆର କରିଥିଲା ବେଳେ ରଶ୍ମିତା ମିଞ୍ଜ୍, ଓ ବିରାଜିନୀ ଏକ୍କା ବାଦ୍ ପଡ଼ିଛନ୍ତି। ସ୍ପେନ୍ ଗସ୍ତରେ ଖେଳାଳିମାନଙ୍କ ପ୍ରଦର୍ଶନକୁ ଆକଳନ କରାଯାଇ ଆଗାମୀ ବିଶ୍ୱକପ୍ ସାଙ୍ଗକୁ ଜାକର୍ତା ଏସୀୟ କ୍ରୀଡ଼ା ଦଳ ଚୟନ ହେବ। ତେଣୁ ସ୍ପେନ୍ ଗସ୍ତ ଖେଳାଳିଙ୍କ ପାଇଁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବାର ସୁଯୋଗ ରହିବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍ କହିଛନ୍ତି। ସେଥିପାଇଁ ସ୍ପେନ୍ ବିପକ୍ଷ ୫ ମ୍ୟାଚ୍ରେ ଆମେ ଖେଳାଳିଙ୍କୁ ଅଦଳବଦଳ କରି ଖେଳିବାର ସୁଯୋଗ ଦେବୁ ବୋଲି ମାରିନ୍ କହିଛନ୍ତି। ଦଳରେ ୨ ଗୋଲ୍ରକ୍ଷିକାଙ୍କ ସହିତ ୬ ଜଣ ଲେଖାଏଁ ରକ୍ଷଣଭାଗ, ମଧ୍ୟଭାଗ ଓ ପୂରୋଭାଗ ଖେଳାଳିଙ୍କୁ ବଛାଯାଇଛି। ଏଠାରେ ସୂଚନାଯୋଗ୍ୟ, ରାଣୀଙ୍କ ଅନୁପସ୍ଥିତିରେ ଓଡ଼ିଆ ଝିଅ ସୁନୀତା ଲାକ୍ରା ପଞ୍ଚମ ଏସୀୟ ଚାମ୍ପିଅନ୍ସ ଟ୍ରଫି ଦଳର ନେତୃତ୍ୱ ନେଇଥିଲେ ଏବଂ ଭାରତକୁ ରୌପ୍ୟ ପଦକ ବିଜୟିନୀ ମଧ୍ୟ କରିଥିଲେ।
ଭାରତୀୟ ଦଳ: ସବିତା (ଉପଅଧିନାୟିକା) ଓ ସ୍ୱାତୀ (ଗୋଲ୍ରକ୍ଷିକା), ସୁନିତା ଲାକ୍ରା, ଦୀପ୍ଗ୍ରେସ୍ ଏକ୍କା, ସୁମନ ଦେବୀ ଥୋଡମ୍, ଦୀପିକା, ଗୁର୍ଜିତ୍ କୌର, ସୁଶୀଲା ଚାନୁ ପୁଖ୍ରମ୍ବାମ୍ (ରକ୍ଷଣଭାଗ), ନମିତା ଟପ୍ପୋ, ଲିଲିମା ମିଞ୍ଜ୍, ମୋନିକା, ନେହା ଗୋୟଲ, ନଭ୍ଜୋତ୍ କୌର, ନିକ୍କି ପ୍ରଧାନ (ମଧ୍ୟଭାଗ), ରାଣୀ ରାମ୍ପଲ୍ (ଅଧିନାୟିକା), ବନ୍ଦନା କାଟାରିୟା, ନଭ୍ନୀତ୍ କୌର, ଲାଲ୍ରେମ୍ସିଆମି, ଉଦିତା ଓ ଅନୁପା ବାର୍ଲା (ପୂରୋଭାଗ)।