ଜୟପୁର: ତାମିଲନାଡୁକୁ ଭିଜେଡି ନିୟମରେ ୧୧ ରନ୍ରେ ପରାସ୍ତ କରି ହିମାଚଳପ୍ରଦେଶ ପ୍ରଥମ ଥର ପାଇଁ ବିଜୟ ହଜାରେ ଟ୍ରଫି ସୀମିତ ଓଭର ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ଘରୋଇ କ୍ରିକେଟ୍ରେ ମଧ୍ୟ ହିମାଚଳପ୍ରଦେଶର ଏହା ହେଉଛି ପ୍ରଥମ ଟ୍ରଫି ବିଜୟ। ରବିବାରର ହାଇସ୍କୋରିଂ ଫାଇନାଲ୍ରେ ଆତ୍ମବିଶ୍ବାସଭରା ହିମାଚଳପ୍ରଦେଶକୁ ଶକ୍ତିଶାଳୀ ତାମିଲନାଡ଼ୁ ୩୧୫ ରନ୍ର କଷ୍ଟକର ବିଜୟ ଲକ୍ଷ୍ୟ ଦେଇଥିଲା। ତେବେ ୱିକେଟ୍ ରକ୍ଷକ ବ୍ୟାଟର୍ ଶୁଭମ ଅରୋରା (୧୩୬* ରନ୍, ୧୩୧ ବଲ୍, ୧୩ ଚୌକା, ୧ ଛକା)ଙ୍କ ବିସ୍ଫୋରକ ଶତକ ବଳରେ ହିମାଚଳପ୍ରଦେଶ ୪୭.୩ ଓଭରରେ ୪ ୱିକେଟ୍ ହରାଇ ୨୯୯ ରନ୍ କରିନେବା ସହ ବିଜୟ ଦ୍ବାରରେ ପହଞ୍ଚିଯାଇଥିଲା। ଖରାପ ଆଲୋକ ପାଇଁ କିନ୍ତୁ ଖେଳକୁ ସେହିଠାରେ ବନ୍ଦ କରି ଦିଆଯାଇଥିଲା। ସେତେବେଳକୁ ଭିଜେଡି ନିୟମରେ ହିମାଚଳପ୍ରଦେଶକୁ ବିଜୟ ପାଇଁ ୨୮୯ ରନ୍ର ଦରକାର ଥିଲା। ଏଣୁ ଏହି ଦଳକୁ ୧୧ ରନ୍ରେ ବିଜୟୀ ଘୋଷଣା କରାଯାଇଥିଲା। ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ତାମିଲନାଡ଼ୁ ଅଭିଜ୍ଞ ଖେଳାଳି ଦୀନେଶ କାର୍ତ୍ତିକ (୧୧୬ ରନ୍)ଙ୍କ ଶତକ ସହ ବାବା ଅପରାଜିତଙ୍କ ଦ୍ରୁତ ୮୦ ରନ୍ ବଳରେ ୪୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୩୧୪ ରନ୍ କରିଥିଲା। ବିଜୟୀ ହିମାଚଳପ୍ରଦେଶ ପକ୍ଷରୁ ଅରୋରାଙ୍କ ସହ ଅମିତ କୁମାର (୭୪) ଅର୍ଦ୍ଧଶତକୀୟ ଏବଂ ଅଧିନାୟକ ରିଶି ଧାୱନ ଦ୍ରୁତ ୪୨* ରନ୍ (୨୩ ବଲ୍, ୫ ଚୌକା, ୧ ଛକା)ର ପାଳି ଖେଳିଥିଲେ। ଅରୋରାଙ୍କୁ ତାଙ୍କ ସ୍ମରଣୀୟ ଶତକ ପାଇଁ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର: ତାମିଲନାଡ଼ୁ ୪୯.୪ ଓଭରରେ ୩୧୪ (ଦୀନେଶ କାର୍ତ୍ତିକ ୧୧୬, ବାବା ଅପରାଜିତ ୮୦, ପଙ୍କଜ ଯଶୱାଲ ୪/୫୯, ରିଶି ଧାୱନ ୩/୬୨)। ହିମାଚଳପ୍ରଦେଶ ୪୭.୩ ଓଭରରେ ୨୯୯/୪ (ଶୁଭମ ଅରୋରା ୧୩୬*, ଅମିତ କୁମାର ୭୪, ରିଶି ଧାୱନ ୪୨*, ବାବା ଅପରାଜିତ ୧/୪୫, ୱାସିଂଟନ୍ ସୁନ୍ଦର ୧/୪୭)।