ଅବସରପ୍ରାପ୍ତ ବିଚାରପତି କୃଷ୍ଣଚନ୍ଦ୍ର କରଙ୍କ ପରଲୋକ

ଚର୍ଚ୍ଚିତ ଛବିରାଣୀ ହତ୍ୟାର ରାୟ ଦେଇଥିଲେ

କେନ୍ଦ୍ରାପଡ଼ା: ଅବସରପ୍ରାପ୍ତ ଜିଲ୍ଲା ଓ ଦୌରାଜଜ୍‌ କୃଷ୍ଣଚନ୍ଦ୍ର କରଙ୍କ ଆଜି ସାନମଙ୍ଗଳାସ୍ଥିତ ଭଗବାନପୁର ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୧ବର୍ଷ ହୋଇଥିଲା। ଜଣେ ଖ୍ୟାତନାମା ବିଚାରପତି ହିସାବରେ ତାଙ୍କ ନାଁ ଥିଲା। ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ତ ମାମଲାରେ ଦୋଷୀଙ୍କୁ ଦଣ୍ତାଦେଶ ପ୍ରଦାନ କରି ସେତେବେଳେ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ସ୍ବର୍ଗତ କରଙ୍କ ଶେଷଦର୍ଶନ କରିଛନ୍ତି। ଶେଷ ସମୟରେ ତାଙ୍କ ନିକଟରେ ତିନି ପୁଅ ଆଇନଜୀବୀ ଦେବକିଶୋର କର, ସାମ୍ବାଦିକ ମନୋଜ କର, ବ୍ୟବସାୟୀ ର˚ଜନ କର, ବୋହୂ, ଝିଅ ନଳିନୀପ୍ରଭା, ଜ୍ବାଇଁ ଅମର ଦାସ, ଏକମାତ୍ର ଭଉଣୀ ବସୁମତି ଆଚାର୍ଯ୍ୟ, ଭଣଜା ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଏବ˚ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ବ୍ଲକ୍‌ ଅରୁଆକଦଳୀବଣରେ ୧୯୨୯ମସିହାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ କର ଜଣେ ଖ୍ୟାତନାମା ଓକିଲ ଥିଲେ। ଓଡ଼ିଶା ହାଇକୋର୍ଟରୁ ଓକିଲାତି ଜୀବନ ଆରମ୍ଭ କରିବା ପରେ ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୌରାଜଜ୍‌ ଭାବେ ସଫଳତାର ସହ କାର୍ଯ୍ୟ କରି ସମ୍ବଲପୁରରୁ ଅବସରଗ୍ରହଣ କରିଥିଲେ। କଟକ ଜିଲ୍ଲା ଦୌରାଜଜ୍‌ ହିସାବରେ ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ତ ମାମଲାରେ ଦୋଷୀଙ୍କୁ ଦଣ୍ତାଦେଶ ପ୍ରଦାନ କରି ଚର୍ଚ୍ଚାକୁ ଆସିଥିଲେ। ସୁପ୍ରିମକୋର୍ଟରେ ବି ତାଙ୍କ ରାୟ କାଏମ ରହିଥିଲା। ବିଚାରପତି ପଦରୁ ଅବସର ନେବା ପରେ କେନ୍ଦ୍ରାପଡ଼ା କୋର୍ଟରେ ଓକିଲାତି କରୁଥିଲେ। ସେ ଏକ ‘ବିରଳ ସ୍ମୃତି ଜଣେ ଅନୁଭବୀର’ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ପାରିବାରିକ ଜୀବନଠୁ ନେଇ ଚାକିରି ଜୀବନ ଏବ˚ ଛବିରାଣୀ ହତ୍ୟାକାଣ୍ତ ମାମଲା ସ˚ପର୍କିତ ଅନେକ ଅକୁହା କଥା ଉଲ୍ଲେଖ ରହିଛି।

ଅଧ୍ୟାପକ ରବୀନ୍ଦ୍ର କୁମାର ପଣ୍ତା, ସରୋଜିନୀ ଆଚାର୍ଯ୍ୟ, ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ରାଜେଶ ପଣ୍ତା, କେନ୍ଦ୍ରାପଡ଼ା ଓକିଲ ସ˚ଘ ସଭାପତି ସରୋଜରାଜ ସି˚ହ, ଆଇନଜୀବୀ ଗୌରପ୍ରସାଦ ମହାପାତ୍ର, ନାରାୟଣ ପ୍ରସାଦ ମହାପାତ୍ର, ଜିଲ୍ଲା ଜୀବନବିନ୍ଦୁ ସହ ସ˚ଯୋଜକ ହିରଣ୍ୟ କୁମାର ପଣ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ କରଙ୍କ ଶେଷଦର୍ଶନ କରିଥିଲେ। ଇଚ୍ଛାପୁର ନିକଟସ୍ଥ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସ˚ପନ୍ନ ହୋଇଛି। ପୁଅ ଦେବକିଶୋର କର ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର