ଓଡ଼ିଶା ସାହିତ୍ୟ ଏକାଡେମିର ବିଚିତ୍ର ନୀତି : ପୁରସ୍କାର ପାଇଁ ପୁସ୍ତକ ଦାଖଲ କରିବାକୁ ଆସି ଲେଖକ, ପ୍ରକାଶକ ନିରାଶ

ଶେଷ ତାରିଖରେ ସରକାରୀ କାର୍ଯ୍ୟାଳୟ ଛୁଟି

ଭୁବନେଶ୍ବର : ଶନିବାର ଥିଲା ୨୦୧୯, ୨୦ ଓ ୨୧ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ପୁସ୍ତକ ଦାଖଲର ଶେଷ ତାରିଖ। ଏଥିପାଇଁ ଶେଷ ଦିନରେ ପୁସ୍ତକ ଦାଖଲ କରିବାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲେଖକ, ପାଠକ ଓ ପ୍ରକାଶକମାନେ ଆସି ପହଞ୍ଚିଥିଲେ ରାଜଧାନୀସ୍ଥିତ ସଂସ୍କୃତି ଭବନଠାରେ। ହେଲେ ଆଜି କାର୍ଯ୍ୟାଳୟ ବନ୍ଦ ଥିଲା। ଯେତେବେଳେ ଏହି ବିଜ୍ଞପ୍ତି ପ୍ରକାଶ ପାଇଲା କରୋନା କାରଣରୁ ସରକାରୀ କାର୍ଯ୍ୟାଳୟ ଶନି ଓ ରବିବାର ବନ୍ଦ ରହୁଥିଲା। ସମସ୍ତଙ୍କ ଗୋଚରାର୍ଥେ ଏଭଳି ଭାବେ ଶନିବାରକୁ କିଭଳି ପୁସ୍ତକ ଦାଖଲର ଶେଷ ତାରିଖ ଭାବେ ରଖାଗଲା ସେ ନେଇ ଲେଖକ ଓ ପ୍ରକାଶକମାନେ ପ୍ରଶ୍ନ ଉଠାଇଛନ୍ତି।

କରୋନା କାରଣରୁ ପ୍ରତି ଶନି ଓ ରବିବାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବାର ଘୋଷଣା ହୋଇଥିଲା। ଏହା ସାଧାରଣ ଭାବେ ସରକାରୀ ଛୁଟି ଦିନ ହୋଇ ନ ଥିବାରୁ ଆଜି କାର୍ଯ୍ୟାଳୟ ବନ୍ଦ ନେଇ ଲେଖକମାନଙ୍କର କୌଣସି ଧାରଣା ନ ଥିଲା। ଶେଷ ତାରିଖ ଥିବାରୁ କେହି ଜଣେ କର୍ମଚାରୀଙ୍କୁ ଏକାଡେମି ପକ୍ଷରୁ ପୁସ୍ତକ ସଂଗ୍ରହ ପାଇଁ ନିୟୋଜିତ କରାଯାଇ ନ ଥିଲା। ଅନ୍ୟପକ୍ଷେ ନିୟମ ଅନୁଯାୟୀ ଯଦି ଶେଷ ତାରିଖରେ କୌଣସି ସରକାରୀ ଛୁଟିଦିନ ପଡ଼ୁଛି, ତେବେ ତାରିଖ ଘୁଞ୍ଚିବା କଥା ଓ ଏନେଇ ବିଧିବଦ୍ଧ ଭାବେ ନୋଟିସ୍‌ ବାହାରିବା କଥା। କିନ୍ତୁ ଏକାଡେମି ପକ୍ଷରୁ ସେଭଳି କିଛି ନୋଟିସ୍‌ କି ବିଜ୍ଞାପନ ବି ବାହାରି ନ ଥିଲା। ଫଳରେ ସୁଦୂର କଳାହାଣ୍ଡି, ମୟୂରଭଞ୍ଜ, କୋରାପୁଟ, ସୁନ୍ଦରଗଡ଼ ଭଳି ଜିଲ୍ଲାରୁ ଲେଖକ, ପ୍ରକାଶକ ଓ ‌ପାଠକମାନେ ଆସି ଆଜି ଘଣ୍ଟା ଘଣ୍ଟା ଅପେକ୍ଷା କରି ନିରାଶ ହୋଇ ଫେରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଏବେ ଶେଷ ତାରିଖ ସୋମବାର କିମ୍ବା ଅନ୍ୟ କୌଣସି ଦିନକୁ ଘୁଞ୍ଚିବ କି ନାହିଁ? ଯଦି ଘୁଞ୍ଚିବ ତେବେ ଏତେ ଦୂରରୁ ଆସିଥିବା ଲେଖକମାନେ କେଉଁଠି ରହିବେ ଓ ୨ ଦିନ କ’ଣ କରିବେ? ଯଦି ଏକାଡେମି ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପୁସ୍ତକ ଦାଖଲର ଶେଷ ତାରିଖ ଅର୍ଥାତ ୨୦ ତାରିଖ ଛୁଟି ଦିନ ପଡ଼ିବ ବୋଲି ଜାଣିଥିଲା ତେବେ ସର୍ବନିମ୍ନ ସୌଜ୍ୟନ୍ୟ ଦୃଷ୍ଟିରୁ ତାରିଖ ଘୁଞ୍ଚିବା ନେଇ ଆଗୁଆ ବିଜ୍ଞାପନଟିଏ ବାହାର କଲା ନାହିଁ କାହିଁକି?

ପ୍ରକାଶ ଥାଉ କି, ଜାନୁଆରି ୨୦ ତାରିଖରେ ଏକାଡେମିର ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାପନ ଅନୁଯାୟୀ ୨୦୧୯ ମସିହା (୨୦୧୬, ୨୦୧୭ ଓ ୨୦୧୮ ମସିହାରେ ପ୍ରକାଶିତ ପୁସ୍ତକ), ୨୦୨୦ ମସିହା (୨୦୧୭, ୨୦୧୮ ଓ ୨୦୧୯)ରେ ପ୍ରକାଶିତ ପୁସ୍ତକ ଓ ୨୦୨୧ ମସିହା (୨୦୧୮, ୨୦୧୯ ଓ ୨୦୨୦) ମସିହାରେ ପ୍ରକାଶିତ ପୁସ୍ତକ) ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ନିମନ୍ତେ ପୁସ୍ତକର ଆହ୍ବାନ ଦିଆଇଥିଲା। ଫେବ୍ରୁଆରି ୨୦ ତାରିଖକୁ ପୁସ୍ତକ ଦାଖଲର ଶେଷ ଦିନ ଭାବେ ଘୋଷଣା କରାଯାଇଥିଲା। ବିଜ୍ଞାପନ ଅନୁଯାୟୀ ରାଜ୍ୟର ବିଭିନ୍ନ ଜିଲ୍ଲାର ଲେଖକ, ପ୍ରକାଶକ ଓ ପାଠକମାନେ ଆଜି ଶେଷ ଦିନରେ ପୁସ୍ତକ ଦାଖଲ କରିବାକୁ ଆସି ଭୁବ‌ନେଶ୍ବରର ସଂସ୍କୃତି ଭବନରେ ପହଞ୍ଚିଥିଲେ। ତେବେ ଶନିବ‌ାର ଛୁଟି ନେଇ କୌଣସି ଗଣମାଧ୍ୟମରେ ଖବର ପ୍ରକାଶ ନ ପାଇବା ତଥା ଏକାଡେମି ଏହାର ୱେବସାଇଟ୍‌ରେ ନୋଟିସ୍‌ ଜାରି ନ କରାଯିବାକୁ ନେଇ ଅସନ୍ତୋ‌ଷ ତୀବ୍ର ହୋଇଥିଲା। କିଛି ଲେଖକ ନିଜ ନିମ ଗୁପ୍ତ ରଖି କହିଛନ୍ତି, ଓଡ଼ିଆ ଭା‌ଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବେପରୱା ନୀତି ଯୋଗୁଁ ଶେଷ ଦିନରେ ଆମେ ପୁସ୍ତକ ଦାଖଲ କରି ପାରିନାହୁଁ। ଏ ନେଇ ଖୁବ୍‌ଶୀଘ୍ର ଅନ୍ୟ ଏକ ଦିନ ଧାର୍ଯ୍ୟ ନ କଲେ ଏହା ଲେଖକଙ୍କ ପ୍ରତି ଅନ୍ୟାୟ ହେବ।

ଏ ସଂପର୍କରେ ସାହିତ୍ୟ ଏକାଡେମିର ସଚିବ ସୂଚୀସ୍ମିତା ମନ୍ତ୍ରୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର