କତା ଉଦ୍ୟୋଗ, ଭିତ୍ତିଭୂମି ଅଛି, ଦରକାର ଆହୁରି ପ୍ରୋତ୍ସାହନ

ଭୁବନେଶ୍ବର : ନଡ଼ିଆ ଉତ୍ପାଦନରେ ଓଡ଼ିଶାର ସ୍ଥାନ ଦେଶରେ ପଞ୍ଚମ। ରାଜ୍ୟରେ ସ୍ଥିତ ୪୮୦ କିଲୋମିଟର ବେଳାଭୂମିର ଉପକୂଳବର୍ତ୍ତୀ ୧୩ ଜିଲ୍ଲାରେ ୩୫ କୋଟି ନଡ଼ିଆ ଉତ୍ପାଦିତ ହୁଏ। ଏଥିରୁ ୫୦୯୦ ମେଟ୍ରିକ ଟନର କତା ପାରୁ ନିର୍ଗତ ହୁଏ। କିନ୍ତୁ ସମୁଦାୟ ଉତ୍ପାଦନର ୧୭.୪୨ ପ୍ରତିଶତ ଅର୍ଥାତ ୫୬୬ ଲକ୍ଷ ଟନ୍‌ କତାପାରୁ ହିଁ ଉପଯୋଗ ହୁଏ। କେବଳ କତାରେ ଓଡ଼ିଶା ୧ ହଜାର କୋଟି ଟଙ୍କାର କାରବାର କରିବାର ଭିତ୍ତିଭୂମି ରହିଥିଲେ ମଧ୍ୟ ବାର୍ଷିକ କେବଳ ୨୦୦ କୋଟି ଟଙ୍କାର ବ୍ୟବସାୟ ହୋଇ ପାରୁଥିବା କୟର୍‌ ବୋର୍ଡ ପକ୍ଷରୁ କୁହାଯାଇଛି।

ନଡ଼ିଆ ଉତ୍ପାଦନରେ ପଞ୍ଚମ, କିନ୍ତୁ ୧୭% କତାର ବ୍ୟବହାର
ଅନୁମୋଦନ ପରେ ବି ବ୍ୟବହାର ହୋଇପାରୁନି କତା ଜାଲି

thehotelsnearme.com

ଓଡ଼ିଶାରେ କତା ଶିଳ୍ପର ଭିତ୍ତିଭୂମି ଅଛି। କିନ୍ତୁ ପ୍ରୋତ୍ସାହନ ନାହିଁ। ତା’ର ଉଦାହରଣ ହେଉଛି, ସରକାରଙ୍କ ଅନୁମୋଦନ ପରେ ମଧ୍ୟ ଗ୍ରାମ୍ୟ ରାସ୍ତା ଏବଂ ଜାତୀୟ ରାଜପଥ ନିର୍ମାଣରେ କତାଜାଲର ଅନୁପଯୋଗ। କେନ୍ଦ୍ର କୟର୍‌ ବୋର୍ଡ ଗବେଷଣା ଅନୁଯାୟୀ, ରାସ୍ତା ନିର୍ମାଣରେ କତାଜାଲର ବ୍ୟବହାର ହେଲେ ରାସ୍ତାକୁ ଏଭଳି ବାନ୍ଧି ରଖେ ଯେ ଭାରୀଯାନ ଚଳାଚଳ ପରେ ମଧ୍ୟ ରାସ୍ତା ଖରାପ କିମ୍ବା ଏଥିରେ ଗାତ ହୁଏ ନାହିଁ। ରାସ୍ତାରେ ପାଣି ଜମି କୃତ୍ରିମ ବନ୍ୟା ସୃଷ୍ଟି ହେବ ନାହିଁ। ଏଥିଯୋଗୁଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ପ୍ରତିଶତ ରାସ୍ତାରେ କତାଜାଲି ବ୍ୟବହାରର ଅନୁମୋଦନ ଦେଇଛନ୍ତି। ମାତ୍ର ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ରାସ୍ତା ନିର୍ମାଣରେ ଏହାର ବ୍ୟବହାର କରୁନାହାନ୍ତି। ଏପରିକି ଗତବର୍ଷ କେନ୍ଦ୍ର କୟର୍‌ ବୋର୍ଡ ନିର୍ଦେଶକ(ମାର୍କେଟିଂ)ଓଡ଼ିଶା ଆସି ଏଥିସଂକ୍ରାନ୍ତରେ ରାଜ୍ୟ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସହିତ ଆଲୋଚନା କରିଥିଲେ। ସ୍କୁଲ, କାର୍ଯ୍ୟାଳୟରେ କତା ଟେବୁଲ, ବ୍ୟବହାରକୁ ଗୁରୁତ୍ବ ଦିଆଯାଇଥିଲା। ଏହାକୁ ନେଇ ସହମତି ପ୍ରକାଶ ପାଇଥିଲେ ମଧ୍ୟ କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇନାହିଁ। ଦ୍ବିତୀୟତଃ ରାଜ୍ୟରେ ନଡ଼ିଆ କତାପାରୁରୁ ରଶି, ଦଉଡ଼ି, ପା’ପୋଛ, ହସ୍ତଶିଳ୍ପ ସାମଗ୍ରୀ, କତା ଭୁବସ୍ତ୍ର, କତା ଗୁଣ୍ଡରୁ ଜୈବିକ ଖତ ପ୍ରସ୍ତୁତିର ସୁଯୋଗ ରହିଛି। ଯାହାଦ୍ବାରା ରାଜ୍ୟରେ ଗ୍ରାମୀଣ କତା କାରିଗରଙ୍କ ଜୀବିକାରେ ଉନ୍ନତି ଆସି ପାରିବ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ କତା କଣ୍ଢେଇର ଚାହିଦା ବିଦେଶରେ ରହିଛି। ମାତ୍ର ଏହାକୁ ସିଧାସଳଖ ଓଡ଼ିଶାର ବ୍ରାଣ୍ଡ ଭାବରେ ବାହାରକୁ ପଠାଯାଇ ପାରୁନାହିଁ। ବରଂ ଓଡ଼ିଶା କଣ୍ଢେଇକୁ ବାହାର ରାଜ୍ୟର ବ୍ୟବସାୟୀ ନିଜ ବ୍ରାଣ୍ଡ ଦେଇ ବିକ୍ରି କରୁଛନ୍ତି। ରାଜ୍ୟ ଏବଂ ବିଦେଶରେ କେବଳ କେରଳ ବ୍ରାଣ୍ଡର ଆଧିପତ୍ୟ ରହିଛି।

ଓଡ଼ିଶାରେ ଖୋର୍ଧା, ପୁରୀ, ଚନ୍ଦକା, କଟକରେ ବଡ଼ ଗଦି କାରଖାନା ରହିଛି। ଏଥିରେ କତା ମୁଖ୍ୟ କଞ୍ଚାମାଲ। ଏହି ସମସ୍ତ ବ୍ୟବସାୟୀ ଅଣଓଡ଼ିଆ। ବ୍ୟାପକ ଭାବରେ ଓଡ଼ିଆ କାରିଗର ଏହି ପେସାରେ ରହିଥିଲେ ମଧ୍ୟ ସେମାନେ ଅଣସଙ୍ଗଠିତ ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ବରୋଜଗାର ଯୋଜନା ଅନ୍ତର୍ଗତରେ ୫୦୦ ବ୍ୟବସାୟୀ ନିଜକୁ ପଞ୍ଜୀକୃତ କରିଛନ୍ତି। କିନ୍ତୁ ଯେତେ ପରିମାଣର ରାଜ୍ୟରେ ନଡ଼ିଆ ଚାଷ ହେଉଛି ସେହି ଭାବରେ ଦେଖିଲେ ଆହୁରି ଅଧିକ ପରିମାଣରେ ଲୋକେ ଏଥିରେ ସାମିଲ ହୋଇ ପାରିବେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିସଂକ୍ରାନ୍ତରେ ଯେଉଁଭଳି ପ୍ରୋତ୍ସାହନ ଦିଆଯିବା କଥା ତାହା ହୋଇପାରୁନଥିବା ଅଭିଯୋଗ ହୁଏ। ଦେଶରେ କେରଳରେ ସର୍ବାଧିକ ନଡ଼ିଆ ଉତ୍ପାଦନ ହୁଏ। ସେଠାକାର କତାପାରୁରୁ ପ୍ରସ୍ତୁତ ସାମଗ୍ରୀ ଦେଶର କତା ବଜାରକୁ କବ୍‌ଜା କରି ରଖିଛି। ଓଡ଼ିଶା ସରକାର ତାହା କେବେ ଶିଖିବେ, ଏହାକୁ ନେଇ ପ୍ରଶ୍ନବାଚୀ ରହିଛି। ଜାଗମରାସ୍ଥିତ କେନ୍ଦ୍ର ସରକାରଙ୍କ କୟର୍‌ ବୋର୍ଡ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଦେଶବନ୍ଧୁ ଦାଶ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ ଯୋଜନା ମାଧ୍ୟମରେ ସହାୟତା ପାଇଁ ନୂତନ କତା ଉଦ୍ୟୋଗୀ ୫୦ ଲକ୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଥିରେ ସରକାର ଋଣ ସହିତ ରିହାତି ପ୍ରଦାନ କରିବେ। କତା କାରିଗରଙ୍କ ପ୍ରୋତ୍ସାହନ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର କୟର୍‌ ବୋର୍ଡ ପକ୍ଷରୁ କାରିଗରଙ୍କୁ ଷ୍ଟାଇପେଣ୍ଡ ସହିତ ପ୍ରଶିକ୍ଷଣ ବ୍ୟବସ୍ଥା ରହିଛି। ଏହି ଶିଳ୍ପ ବିଷୟରେ ଅଧିକ ଜାଣିବାକୁ ଚାହିଁଲେ କୟର୍‌ ବୋର୍ଡ କାର୍ଯ୍ୟାଳୟକୁ ଆସିବାକୁ ମଧ୍ୟ ଶ୍ରୀ ଦାଶ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର