କରୋନା ପାଇଁ ଏସ୍‌ସିବିରେ ଅସ୍ତ୍ରୋପଚାର ପ୍ରଭାବିତ, ଦିନକୁ ୮୦ ବଦଳରେ ହେଉଛି ୪ରୁ କମ୍

କଟକ : ସରକାରଙ୍କ କରୋନା ସତର୍କତା ଯୋଗୁଁ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ (ଏସ୍‌ସିବି)ରେ ଅସ୍ତ୍ରୋପଚାର ସଂଖ୍ୟା ପାଖାପାଖି ୯୦ ପ୍ରତିଶତ କମିଛି। ପୂର୍ବରୁ ଦିନକୁ ୮୦ରୁ ୧୦୦ ଅସ୍ତ୍ରୋପଚାର ହେଉଥିଲା। ଏବେ ଏହି ସଂଖ୍ୟା ୪ରୁ କମ୍‌ରେ ପହଞ୍ଚିଛି। ଗତ ୨୦ ଦିନ ଧରି ଏହି ଅବସ୍ଥା ଲାଗିରହିଛି।

କରୋନାକୁ ଦୃଷ୍ଟିରେ ରଖି ସରକାର କେବଳ ଜରୁରୀକାଳୀନ ଅସ୍ତ୍ରୋପଚାର ବ୍ୟତୀତ ଅନ୍ୟ ଅସ୍ତ୍ରୋପଚାର ବନ୍ଦ ପାଇଁ ନିର୍ଦ୍ଦେଶ‌ ଦେଇଛନ୍ତି।ଯେଉଁଥିପାଇଁ ଅସ୍ତ୍ରୋପଚାର ସଂଖ୍ୟା କମିଛି ବୋଲି କୁହାଯାଉଛି। ସର୍ଜରି, ଅସ୍ଥିଶଲ୍ୟ, ଚକ୍ଷୁ ବିଭାଗ, ଇଏନ୍‌ଟି, ହୃଦ୍‌ରୋଗ ବିଭାଗ ସବୁଠି କମିଛି ଅସ୍ତ୍ରୋପଚାର ସଂଖ୍ୟା। ଯେଉଁଠି ଦିନକୁ ୮୦ରୁ ୧୦୦ଟି ଅସ୍ତ୍ରୋପଚାର ହେଉଥିଲା ସେଠାରେ ଏବେ ଗଲା ୨୦ ଦିନରେ ବି ସେତିକି ଅସ୍ତ୍ରୋପଚାର ହୋଇପାରିନାହିଁ।

କଟକ ବଡ଼ ଡାକ୍ତରଖାନା ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ରୋଗୀ ନିର୍ଭର କରିଥାନ୍ତି। ଏସ୍‌ସିବିର ୩୮ଟି ବିଭାଗ ମଧ୍ୟରୁ ୨୦ରୁ ଅଧିକ ବିଭାଗରେ ରହିଛି ଅସ୍ତ୍ରୋପଚାର(ଓଟି) ବ୍ୟବସ୍ଥା। ସପ୍ତାହର ଛୁଟି ଦିନକୁ ଛାଡ଼ିଦେଲେ ସବୁ ବିଭାଗର ନିୟମିତ ଓଟି ସହ ଟ୍ରମା ଓଟି ବି ରହିଛି। ଦୈନିକ ୮୦ରୁ ୧୦୦ଟି ଅସ୍ତ୍ରୋପଚାର ହିସାବକୁ ନେଲେ ମାସକୁ ପାଖାପାଖି ୧୮ଶହରୁ ୨ହଜାର ଅସ୍ତ୍ରୋପଚାର ହୋଇଥାଏ ଏସ୍‌ସିବିରେ। କିନ୍ତୁ ସରକାରଙ୍କ ‘କରୋନା’ ସତର୍କତା ପାଇଁ ଜାରି ନିର୍ଦ୍ଦେଶନାମା ଅନୁସାରେ ସବୁଦିନିଆ ଅସ୍ତ୍ରୋପଚାର ମାର୍ଚ୍ଚ ୨୦ ତାରିଖ ପରଠାରୁ ବନ୍ଦ ରହିଛି। କେବଳ ଜରୁରୀ ଅସ୍ତ୍ରୋପଚାର କରାଯାଉଛି। ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଅସ୍ଥିଶଲ୍ୟ ବିଭାଗରେ ଏହି ସମୟ ମଧ୍ୟରେ ୧୫ରୁ କମ ଅସ୍ତ୍ରୋପଚାର ହୋଇଛି।

ସୂଚନା ଅନୁସାରେ, ସର୍ଜରି ବିଭାଗରେ ଲକଡାଉନ୍‌ ସମୟ ଭିତରେ ମାତ୍ର ୪୯ଟି ଅସ୍ତ୍ରୋପଚାର କରାଯାଇଛି ଓ ୩୮ଟି ମାଇନର ଓଟି କରାଯାଇଛି। ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ ୭ଟି ଓପନ୍‌ ହାର୍ଟ ସର୍ଜରି କରାଯାଇଛି ଓ ୨ଟି ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଛି। ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କିନ୍ତୁ ଦୈନିକ ୧୨ଟି ଅସ୍ତ୍ରୋପଚାର ହୋଇଥିବା ଓ ପାଖାପାଖି ୬ଶହ ଶିଶୁ ଜନ୍ମ ନେଇଛନ୍ତି। ଅନ୍ୟପଟେ, ଏବେ ଆଉଟ୍‌ଡୋରକୁ ୬ଶହରୁ ସାଢେ ୬ଶହ ଭିତରେ ‌ରୋଗୀ ଆସୁଛନ୍ତି। ଅନ୍ୟପଟେ ଜରୁରୀକାଳୀନ ଓଟି ବ୍ୟବସ୍ଥା ପରିଚାଳନାରେ ମଧ୍ୟ ଗୁରୁତର ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା ରହିଛି। ଆଦେଶନାମା ଉଠିବା ବେଳକୁ ହୁଏତ ରୋଗୀର ରୋଗ ବଢ଼ି ସାରିଥିବ, ନଚେତ୍‌ ପୁଣି ଆଉ ଥରେ ତାରିଖ ପାଇଁ ଅପେକ୍ଷା କରିବାକୁ ପଡିବ। ଏଭଳି ବିଳମ୍ବିତ ପ୍ରକ୍ରିୟାରେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାର ଆଶଙ୍କା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର