କରୋନା ଭୟରେ ପୁସ୍ତକ ବାଣ୍ଟିବାକୁ ଅରାଜି ଶିକ୍ଷକ, ୭୦% ପିଲାଙ୍କ ପାଖରେ ପହଞ୍ଚିନି ପାଠ୍ୟପୁସ୍ତକ

ରାଉରକେଲା: କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟର ସମସ୍ତ ସ୍କୁଲକୁ ଆସନ୍ତା ଜୁନ୍‌ ୧୭ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ୯ମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେମିତି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଆଜିଠୁ ଦୂରଦର୍ଶନ ଓଡ଼ିଆରେ ଆରମ୍ଭ ହୋଇଛି ପାଠପଢ଼ା। ସେମିତି ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଘରେ ରହି ପାଠ ପଢ଼ିବାକୁ କୁହାଯାଇଛି। ସ୍କୁଲର ଶିକ୍ଷକମାନେ ଘର ଘର ବୁଲି ସମସ୍ତ ପିଲାଙ୍କ ଘରେ ପାଠ୍ୟପୁସ୍ତକ ମାଗଣାରେ ପହଞ୍ଚାଇବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୁନ୍ଦରଗଡ ଜିଲ୍ଲାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି। ଜିଲ୍ଲାର କେତେକ ବ୍ଲକରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଘରେ ଘରେ ବୁଲି ପିଲାଙ୍କୁ ବାଣ୍ଟୁଛନ୍ତି। ମାତ୍ର କରୋନା ଭୟରେ ଅନେକ ଶିକ୍ଷକ ଶିକ୍ଷତ୍ରୀ ପାଠ୍ୟପୁସ୍ତକ ବାଣ୍ଟିବାକୁ ଅରାଜି ହେଉଛନ୍ତି। ଏଥିପାଇଁ ଜିଲ୍ଲାରେ ପାଠ୍ୟପୁସ୍ତକ ବଣ୍ଟନରେ ସମସ୍ୟା ଦେଖାଦେଇଛି। ଅଦ୍ୟାବଧି ଜିଲ୍ଲାରେ ୩୦% ପିଲାଙ୍କ ଘରେ ପାଠ୍ୟପୁସ୍ତକ ପହଞ୍ଚିଛି। ୭୦% ପିଲାଙ୍କ ଘରେ ପହଞ୍ଚିପାରି ନାହିଁ। ଏତେ ସଂଖ୍ୟକ ପାଠ୍ୟପୁସ୍ତକ କେବେ ପିଲାଙ୍କ ପାଖରେ ପହଞ୍ଚିବ, ପିଲାକେବେ ପାଠ ପଢ଼ିବେ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ସେପଟେ ସାମାଜିକ ଦୂରତା ରହୁ ନଥିବାରୁ ପାଠ୍ୟପୁସ୍ତକ ବଣ୍ଟନକେନ୍ଦ୍ରକୁ ନ ଯିବାକୁ ଅଭିଭାବକମାନଙ୍କୁ ବାରଣ କରାଯାଇଛି। ଏହା ସତ୍ବେ କେତେକ ପା୍ଠ୍ୟପୁସ୍ତକ ବଣ୍ଟନ କେନ୍ଦ୍ରରେ ଦୈନିକ ଅଭିଭାବକ ଓ ପିଲାଙ୍କ ଭିଡ ଲାଗୁଥିବା ଦେଖିବାକୁ ମିଳୁଛି। ଅଧିକାଂଶ ପାଠ୍ୟପୁସ୍ତକ ବଣ୍ଟନ କେନ୍ଦ୍ର ଦାୟିତ୍ବରେ ଥିବା ଶିକ୍ଷକମାନେ ଅଭିଭାବକମାନଙ୍କୁ ଫେରାଇ ଦେଉଛନ୍ତି। କହୁଛନ୍ତି ସ୍କୁଲ ଖୋଲିଲେ ବଣ୍ଟନ କରାଯିବ।

ଏସବୁ ଭିତରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ କିପରି କୋର୍ସ ଶେଷ କରିବେ ତାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢ଼ିଯାଇଛି। ଏ ସଂକ୍ରାନ୍ତରେ ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି କହିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପାଠ୍ୟପୁସ୍ତକ ପିଲାଙ୍କ ଘରେ ପହଞ୍ଚାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଭୟରେ ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ପାଠ୍ୟପୁସ୍ତକ ବଣ୍ଟନ ପାଇଁ ଯିବାକୁ ଅରାଜି ହେଉଛନ୍ତି। ଏଥିପାଇଁ ପାଠ୍ୟପୁସ୍ତକ ନିର୍ଦ୍ଧାରିତ ସମୟ ଭିତରେ ବାଣ୍ଟିବା ସମ୍ଭବ ହେଉ ନାହିଁ। ପିଲାଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ଉଭୟ ଅଭିଭାବକ ଓ ଶିକ୍ଷକଶିକ୍ଷତ୍ରୀମାନଙ୍କୁ ସହଯୋଗ କରିବାକୁ ପ୍ରଧାନଶିକ୍ଷକମାନେ ଅନୁରୋଧ କରିଛନ୍ତି। ସାମାଜିକ ଦୂରତା ରଖି ପାଠ୍ୟପୁସ୍ତକ ବଣ୍ଟନ କେନ୍ଦ୍ରରୁ ବହି ନେବାକୁ କିଛି ଅଭିଭାବକକୁ ନିବେଦନ କରାଯାଇଛି। ସୁନ୍ଦରଗଡ ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୨୩୯୧ ସ୍କୁଲ ରହିଛି। ମୋଟ ୨ ଲକ୍ଷ ୭ ହଜାର ୬୯ ପିଲାମାନେ ପାଠ ପଢ଼ୁଛନ୍ତି। ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି। ଚଳିତ ଥର ୯୫% ମୋଟ ୪୨ ପ୍ରକାର ବହି ପ୍ରତ୍ୟେକ ବ୍ଳକ, ମ୍ୟୁନିସିପାଲିଟିରେ ପହଞ୍ଚି ସାରିଛି। ରାଉରକେଲା ସହରରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୮ ହଜାର ୯୯୬ ପିଲା ପାଠ ପଢ଼ୁଛନ୍ତି। ଏମାନଙ୍କୁ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୫୯୩, ଦ୍ବିତୀୟରେ ୧୮୯୭, ତୃତୀୟରେ ୨୦୯୩, ଚତୁର୍ଥରେ ୨୨୬୫, ପଞ୍ଚମରେ ୨୩୬୫, ଷଷ୍ଠରେ ୨୭୦୨, ସପ୍ତମରେ ୨୭୨୨, ଅଷ୍ଟମରେ ୩୩୫୯ ପିଲା ପଢ଼ୁଛନ୍ତି। ଅନୁରୂପ ଭାବେ ଜିଲ୍ଲାର ବାଲିଶଙ୍କରା, ବଡଗାଁ, ବିଶ୍ରା, ବଣାଇଁ, ଗୁରୁଣ୍ଡିଆ, ହେମଗିରି, କୋଇଡା, କୁତ୍ରା, ଲହୁଣୀପଡା, ଲାଠିକଟା, ଲେଫ୍ରିପଡା, ନୂଆଗାଁ, ସବଡଗୋ, ଟାଙ୍ଗରପାଲି, କୁଆରମୁଣ୍ଡା, ରାଜଗାଙ୍ଗପୁର, ସୁନ୍ଦରଗଡ ସଦର ସମେତ ରାଉରକେଲା ମହାନଗର ନିଗମ, ରାଜଗାଙ୍ଗପୁର, ବୀରମିତ୍ରପୁର ଓ ସୁନ୍ଦରଗଡ ପୌରପାଳିକାରେ ପ୍ରଥମ ଶ୍ରେଣୀରେ ୨୨,୪୦୭ ପିଲା ପଢ଼ୁଛନ୍ତି। ଦ୍ବିତୀୟରେ ୨୪ହଜାର ୬୧୮, ତୃ୍ତୀୟରେ ୨୫ ହଜାର ୭୨୬, ଚତୁର୍ଥରେ ୨୫ ହଜାର ୭୧୯, ପଞ୍ଚମରେ ୨୭ ହଜାର ୩୪୪, ଷଷ୍ଠରେ ୨୬ ହଜାର ୮୬୦, ସପ୍ତମରେ ୨୭ ହଜାର ୪୫୦, ଅଷ୍ଟମରେ ୨୬ ହଜାର ୯୪୫ ପିଲା ପାଠ ପଢ଼ୁଛନ୍ତି। ତ‌େବେ ପିଲାମାନଙ୍କ ଘରେ ବସି ସମୟ ଅତିବାହିତ କରୁଥିବାରୁ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଅଭିଭାବକମାନଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର