କେନ୍ଦୁପତ୍ର ପ୍ରସଙ୍ଗ: ଛଟେଇ ହେବେନି, ମିଶ୍ରଣ ହେବ, କମ୍‌ ଓ ଅଧିକ ଉତ୍ପାଦନ ହେଉଥିବା ଫଡ଼ିର ହେବ ମିଶ୍ରଣ

ଭୁବନେଶ୍ବର: ଓଡ଼ିଶା ସରକାର କୌଣସି କେନ୍ଦୁପତ୍ର ଶ୍ରମିକଙ୍କୁ ଛଟେଇ କରିବେ ନାହିଁ। ବରଂ ୧୯ଟି କେନ୍ଦୁପତ୍ର ଡିଭିଜନ୍‌ରେ କାମ କରୁଥିବା ଶ୍ରମିକମାନଙ୍କ ଅଧିକ କଲ୍ୟାଣ ପାଇଁ ସଂସ୍କାର ଆଣିବାକୁ ଯାଉଛନ୍ତି। ଗତକାଲି ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ଶ୍ରମିକ ଛଟେଇ ଅଭିଯୋଗ ଉପରେ ଆଜି ରାଜ୍ୟ ସରକାର ଏପରି ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସରକାରଙ୍କ କେନ୍ଦୁପତ୍ର ବିଭାଗର ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ (ପିସିସିଏଫ୍‌) ପ୍ରଭାକର ବେହେରାଙ୍କ କହିବା କଥା, ଉ​ତ୍ପାଦନ ଖର୍ଚ୍ଚ କମାଇବା ଉଦ୍ଦେଶ୍ୟରେ କମ୍‌ ଉତ୍ପାଦନ ହେଉଥିବା ଫଡ଼ିକୁ ଅଧିକ ଉତ୍ପାଦନ ହେଉଥିବା ଫଡ଼ିରେ ମିଶ୍ରଣ କରିବାକୁ ସରକାର ଯୋଜନା କରିଛନ୍ତି। ତେବେ କୋଭିଡ୍‌-୧୯ ପାଇଁ ଏସବୁ ସଂସ୍କାରକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

୧୯୭୩ ମସିହାରୁ କେନ୍ଦୁପତ୍ରକୁ ଜାତୀୟକରଣ କରାଯାଇଛି। କେନ୍ଦୁପତ୍ର ତୋଳାଳି, ସାମୟିକ କର୍ମଚାରୀ, ବନ୍ଧାଳି ଓ ଗୋଚ୍ଛାକଟା ଶ୍ରମିକମାନଙ୍କ କଲ୍ୟାଣ ପାଇଁ ୨୦୦୬ ମସିହା ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଏହାକୁ ଲଘୁ ବନଜାତ ଦ୍ରବ୍ୟରେ ସରକାର ସାମିଲ କରିଛନ୍ତି। ଓଡ଼ିଶାର ୨୨ଟି ଜିଲ୍ଲାରେ କେନ୍ଦୁପତ୍ର ସଂଗ୍ରହ କରାଯାଏ। ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ସମେତ ପ୍ରାୟ ସମସ୍ତ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମୋଟ ୭ ହଜାର ୫୦୦ କେନ୍ଦୁପତ୍ର ଫଡ଼ି (ଗୋଦାମ ଗୃହ) ରହିଛି। ଏଥିପାଇଁ ୧୭ ହଜାର ୪୪୪ ଜଣ ସାମୟିକ କର୍ମଚାରୀ, ୮ ଲକ୍ଷ ତୋଳାଳି, ୧୮ ହଜାର ବନ୍ଧାଳି ଓ ଗୋଚ୍ଛା କଟା ପାଇଁ ୨ ଲକ୍ଷ ୫୦ ହଜାର ଶ୍ରମିକ ନିୟୋଜିତ ହୋଇଥାନ୍ତି। ଏ ସମମ୍ତ କର୍ମଚାରୀ ବର୍ଷକର ୩ରୁ ୪ ମାସ କେନ୍ଦୁପତ୍ର ତୋଳା ଓ ବନ୍ଧା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ଶ୍ରମ ଆଇନ ଅନୁଯାୟୀ କୁଶଳୀ,ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ବର୍ଗଙ୍କୁ ଦୈନିକ ହିସାବରେ ମଜୁରୀ ପ୍ରଦାନ କରାଯାଇଥାଏ। କରୋନା ମହାମାରୀ ଓ ତଲାବନ୍ଦକୁ ଦୃଷ୍ଟିରେ ରଖି ମଜୁରୀ ବାବଦରେ ପ୍ରାୟ ୨୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଲଗାତାର ଭାବେ ଗତ ଦୁଇବର୍ଷ ହେଲାଣି ରାଜ୍ୟରେ କେନ୍ଦୁପତ୍ର ଉତ୍ପାଦନ କମ୍‌ ହେଉଛି। ଫଳରେ କେନ୍ଦୁପତ୍ର ତୋଳାଳିଙ୍କ ସାମାଜିକ କଲ୍ୟାଣ ଯୋଜନା, ବୋନସ୍‌ ଓ ପାରିଶ୍ରମିକ ପ୍ରଦାନ ପାଇଁ କେନ୍ଦୁପତ୍ର ଶ୍ରମିକ କଲ୍ୟାଣ ପାଣ୍ଠିରୁ ଅର୍ଥ ଆବଣ୍ଟନ ନେଇ କିଛିଟା ଅସୁବିଧା ଦେଖାଦେଉଛି। ଯେହେତୁ, ସରକାର କେନ୍ଦୁପତ୍ର କାରବାର ଜରିଆରେ ବର୍ଷକୁ ୧ କୋଟି ଶ୍ରମ ଦିବସ ସୃଷ୍ଟି କରୁଛନ୍ତି, ସେଥିପାଇଁ ଏସବୁ ସମସ୍ୟାକୁ ଦୂର କରିବାକୁ ସଂସ୍କାର ଆଣିବାକୁ ଯୋଜନା କରିଛନ୍ତି। ପିସିସିଏଫ୍‌ ଶ୍ରୀ ବେହେରା କହିଥିଲେ, ଅନେକ ଫଡ଼ି ଏପରି ଅଛି ଯେଉଁଠିକି ୨୦ କ୍ବିଣ୍ଟାଲରୁ କମ୍‌ ପତ୍ର ଉତ୍ପାଦନ ହୋଇ ଗଚ୍ଛିତ ରହିଛି। ସେସବୁ ସ୍ଥାନରେ ମୁନସୀଙ୍କ ପାଇଁ ପୂର୍ବରୁ ଜଣେ ଲେଖାଏଁ ଚପରାସି ନିୟୋଜିତ ଅଛନ୍ତି। ଏବେ ସେହି ଚପରାସିଙ୍କୁ ସେଠାରୁ ହଟାଇ ପାଖରେ ଅଧିକ ଉତ୍ପାଦନ କରୁଥିବା ଫଡ଼ିରେ ନିୟୋଜିତ କରିବା ପାଇଁ ପ୍ରସ୍ତାବ ରହିଛି। ଅତି କମ୍‌ରେ ୩୦ କ୍ବିଣ୍ଟାଲ ପତ୍ର ଉତ୍ପାଦନ କରୁଥିବା ଫଡ଼ିରେ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏଥିପାଇଁ କୌଣସି କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। କରୋନା ଯୋଗୁଁ ଏବେ ଏହି ପ୍ରସ୍ତାବକୁ ବି ସରକାର କାର୍ଯ୍ୟକାରୀ କରିନାହାନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର