କୋଭିଡ୍‌ ରୋଗୀଙ୍କ ସ୍ଥାନାନ୍ତର ନେଇ ଏସ୍‌ଓପି ଜାରି, ରୋଗୀଙ୍କ ସ୍ଥାନାନ୍ତରଣ ପୂର୍ବରୁ ସ୍ବୀକୃତିପ୍ରାପ୍ତ ଅଧିକାରୀଙ୍କୁ ଦିଆଯିବ ସୂଚନା

ଆବଶ୍ୟକ ଆମ୍ବୁଲାନ୍‌ସ ବ୍ୟବସ୍ଥା ସହିତ ରାଜ୍ୟସ୍ତରୀୟ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ନିର୍ଦେଶ

ଭୁବନେଶ୍ବର: ଏଣିକି କୋଭିଡ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ହେଲେ ସ୍ବୀକୃତିପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦେବାକୁ ହେବ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାର ସ୍ଥିତିକୁ ନିରୀକ୍ଷଣ କରାଯିବା ସହିତ ଆବଶ୍ୟକ ହେଲେ ରାଜ୍ୟସ୍ତରୀୟ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ କୁହାଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ଏ ନେଇ ସବୁ ଜିଲ୍ଲାପାଳ, ସିଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି।

ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଯଦି ତାଙ୍କର ଗୃହ ପୃଥକବାସର ସୁବିଧା ନାହିଁ ତାଙ୍କୁ କୋଭିଡ କେୟାର ହୋମ୍(ସିସିଏଚ୍‌) ଓ କୋଭିଡ କେୟାର ସେଣ୍ଟର(ସିସିସି)ରେ ରଖାଯାଇପାରିବ। କେବଳ ସ୍ବଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ସିସିସିରେ ରଖିବାର ଅନୁମତି ଦିଆଯାଇଛି। ଏ କେନ୍ଦ୍ରରେ ଥିବା ରୋଗୀ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ପର୍ଯ୍ୟନ୍ତ ସେଠାରେ ଅକ୍ସିଜେନ୍ ସୁବିଧା ରହିବା ଲାଗି କୁହାଯାଇଛି। ଏସ୍‌ଏଆରଆଇ ଓ ଆଇଏଲଆଇ ଲକ୍ଷଣ ଥିବା ରୋଗୀଙ୍କୁ ସିଧାସଳଖ ଡିସିଏଚ୍‌ରେ ରଖାଯାଇ ପାରିବ। ହେଲେ ସିସିସି ଓ ସିସିଏଚ୍‌ରେ ଶଯ୍ୟାର ଅଭାବ ରହିଥିଲେ ରୋଗୀଙ୍କୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତରିତ ହୋଇପାରିବ।

ରୋଗୀଙ୍କ ସ୍ଥାନାନ୍ତରଣ ପୂର୍ବରୁ ସ୍ବୀକୃତିପ୍ରାପ୍ତ ମେଡିକାଲ ଅଧିକାରୀ ସ୍ଥାନୀୟ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ରୋଗୀଙ୍କ ସ୍ଥିତି ସଂପର୍କରେ ସୂଚନା ଦେବେ। ଅନୁମତି ମିଳିବା ପରେ ଯେଉଁ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯିବ ରାଜ୍ୟସ୍ତରୀୟ ସ୍ବୀକୃତିପ୍ରାପ୍ତ ଅଧିକାରୀଙ୍କୁ ଏହାର ସୂଚନା ଦେବାକୁ ହେବ। ଆମ୍ବୁଲାନ୍‌ସର ବ୍ୟବସ୍ଥା କରିବା ସହିତ ଆବଶ୍ୟକ ପଡ଼ିଲେ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି ବିଶେଷଜ୍ଞଙ୍କ ମତାମତ ଲୋଡ଼ିବେ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ନ ଥିବା କିମ୍ବା ଆମ୍ବୁଲାନ୍‌ସରେ ଯିବା ଅବସ୍ଥାରେ ନ ଥିବେ ତାହାଲେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ପାରିବ ନାହିଁ। ଏହାସହ ରୋଗୀଙ୍କ ସଂପର୍କୀୟଙ୍କୁ ମଧ୍ୟ ସ୍ଥାନାନ୍ତରଣ ସଂପର୍କରେ ସୂପୂର୍ଣ୍ଣ ସୂଚନା ଦେବାକୁ କୁହାଯାଇଛି।
ରାଜ୍ୟର ୩୦ଟି ଜିଲ୍ଲାକୁ ସମୁଦାୟ ୧୧ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। କଟକ, କଳାହାଣ୍ଡି ଓ ଗଞ୍ଜାମ କ୍ଲଷ୍ଟରରେ ୪ଟି ଲେଖାଏ ଜିଲ୍ଲାକୁ ସାମିଲ କରାଯାଇଥିବା ବେଳେ ବଲାଙ୍ଗୀର ଓ କୋରାପୁଟ କ୍ଲଷ୍ଟରରେ ୩ଟି ଲେଖାଏ ଜିଲ୍ଲା ରହିଛି। ଭୁବନେଶ୍ବର କ୍ଲଷ୍ଟରରେ ଖୋର୍ଧା ଓ ପୁରୀ ଜିଲ୍ଲା ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର