ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ଜହ୍ନାପଙ୍କ/ ଲକ୍ଷ୍ମୀପ୍ରସାଦ: ମହାନଦୀରୁ କଳସ ଶୋଭାଯାତ୍ରା ଓ ବୌଦ୍ଧରୁ ମଶାଲ ଯାତ୍ରା ସହ ଅଷ୍ଟମ ଶତାବ୍ଦୀରେ ନିର୍ମିତ ହୋଇଥିବା ହରିହର ପୀଠରେ ନୂତନ ଭାବେ ତ୍ରିବସୀୟ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ-୨୦୨୨ର ଶୁକ୍ରବାର ଉଦ୍‌ଘାଟିତ‌ ହୋଇଯାଇଛି। ଏହି  ଅବସରରେ ଆଜି ସକାଳୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଲୁପ୍ତ ରାଜଧାନୀ ଯଯାତୀନଗର ନିକଟସ୍ଥ ମହାନଦୀ କୂଳରୁ ଶତାଧିକ  ମହିଳା କୀର୍ତ୍ତନ ମାଧ୍ୟମରେ କଳସ ଶୋଭାଯାତ୍ରାରେ ମନ୍ଦିର ପରିସରରେ ପହଂଚିଥିଲେ। ବ୍ରାହ୍ମଣ ସମାଜ ପକ୍ଷରୁ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏଥିରେ ମନରଞ୍ଜନ ପୁରୋହିତ ଓ ଭାରତୀ ପୁରୋହିତ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ଗନ୍ଧରାଢ଼ୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମହୋତ୍ସବ ସଚେତନତା ସାଇକେଲ ଶୋଭାଯାତ୍ରା ମହାବିଦ୍ୟାଳୟଠାରୁ ବାହାରୀ ନଗର ପରିକ୍ରମା କରି ଗନ୍ଧରାଢୀପୀଠରେ ପହଞ୍ଚିଥିଲେ।

ସଂଧ୍ୟାରେ ବୌଦ୍ଧ ସହରର ମା’ ଭୈରବୀପୀଠରୁ ତେଲିବନ୍ଧ ପନ୍ଥାଇ ଓ ଜହ୍ନାପଙ୍କ ହନୁମାନ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ୫୭ନମ୍ବର ଜାତୀୟ ରାଜପଥ ଦେଇ ଜହ୍ନାପଙ୍କଠାରେ ପହଂଚିବା ପରେ ସେଠାରୁ ସ୍ୱାଗତ ସମ୍ବର୍ଦ୍ଧନା ମାଧ୍ୟମରେ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ଗନ୍ଧରାଢ଼ୀଠାରେ ପହଞ୍ଚିଥିଲା। ଗୋଟିଏ ପୀଠରେ ବିରାଜମାନ କରିଥିବା ହରି ଓ ହରଙ୍କୁ ନୀତିକାନ୍ତି ମାଧ୍ୟମରେ ପୂଜାର୍ଚ୍ଚନା କରି ଐତିହାସିକ ମହୋତ୍ସବର ଉଦ୍‌ଘାଟନ ପର୍ବ ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ଅଶୋକ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସହ-ସମ୍ପାଦକ ସ୍ବାଧୀନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସଂପାଦକ ଶମ୍ଭୁ ଗିରି ମହୋତ୍ସବ ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ପାଠ କରିଥିଲେ।

ବୌଦ୍ଧ ବିଧାୟକ ପ୍ରଦୀପ ଅମାତ୍‌ ମୁଖ୍ୟ ଅତିଥି, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା କଳ୍ପନାରାଣୀ ସାହୁ, ଉର୍ମିଳା ଝାଙ୍କର, ସଭ୍ୟ ଇଂ ରାକେଶ ତ୍ରିପାଠୀ ଓ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ଭାରତୀ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାହିତ୍ୟିକ ହାଡିବନ୍ଧୁ ମହାକୁଡ଼ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ବୌଦ୍ଧର ଲୋକକଳା ଓ ସଂସ୍କୃତି ଉପରେ ଆଧାରିତ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହାକୁ ପୂଜା ଜେନା ଓ ରଶ୍ମିତା ମେହେର ପରିଚାଳନା କରିଥିଲେ। ଶୋଭାଯାତ୍ରାକୁ କୃତ୍ତିବାସ ପଲିଆ, ମନୋଜ ଗୁରୁ ପରିଚାଳନା କରିଥିବା ବେଳେ ଯଜ୍ଞ କାର୍ଯ୍ୟକ୍ରମକୁ ପଣ୍ଡିତ ସୁଶୀଲ ପାଣିଗ୍ରାହୀ ଓ ଧୀରେନ ଗୁରୁ ଆୟୋଜନ କରିଥିଲେ। ମଞ୍ଚ ପରିଚାଳନାରେ ପ୍ରବିର ଦାସ ଏବଂ ପ୍ରମୋଦ ପ୍ରଧାନ ସହଯୋଗ କରିଥିଲେ। ଶନିବାର ବୌଦ୍ଧର ଲୋକ ସଂସ୍କୃତି ଓ କଳା ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଆଲୋଚକ ଭାବେ ପ୍ର. ଜ୍ୟୋତିରଞ୍ଜନ ବହିଦାର, ନାଟ୍ୟଶ୍ରୀ ଗଦାଧର ବାରିକ, ପ୍ର. ବାସୁଦେବ ପାତ୍ର, ଗବେଷକ ସୁଦାମ ନାଏକ, କମଳଲୋଚନ ପଣ୍ଡା ଓ ରାଧାକାନ୍ତ ସେଠ୍ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର