ଜମିଜମା ବିବାଦରୁ ଡବଲ୍‌ ମର୍ଡର : ଦମ୍ପତିଙ୍କୁ ହତ୍ୟା କରି ଫିଙ୍ଗିଦେଲେ, କୂଅରୁ ସ୍ତ୍ରୀ, ଜଙ୍ଗଲରୁ ସ୍ୱାମୀଙ୍କ ମୃତଦେହ ଉଦ୍ଧାର

ସାରସକଣା : ମୟୂରଭଞ୍ଜ ଜିଲ୍ଲା ଝରପୋଖରିଆ ଥାନା ଶଙ୍ଖଭଙ୍ଗା ପଞ୍ଚାୟତର ଫୁଲଝରଣ ଗାଁରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଏକ ଦମ୍ପତିଙ୍କୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ଆଜି ଗାଁ ନିକଟ ଜଙ୍ଗଲରୁ ସ୍ବାମୀ ଓ ଏକ ପରିତ୍ୟକ୍ତ କୂଅରୁ ସ୍ତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ପୁଲିସ। ଜମିଜମା ବିବାଦରୁ ଏହି ଡବଲ ମର୍ଡର୍‌ ହୋଇଥିବା କୁହାଯାଉଥିବା ବେଳେ ଘଟଣାରେ ମୃତକଙ୍କ ସଂପର୍କୀୟ ସମ୍ପୃକ୍ତ ଥିବା ଆଲୋଚନା ହେଉଛି। ତେବେ ତଦନ୍ତ ବ୍ୟାହତ ଆଶଙ୍କାରେ ପୁଲିସ ଘଟଣା ସଂପର୍କରେ କିଛି କହିବାକୁ ମନା କରିଛି।

ସୂଚନା ମୁତାବକ ଫୁଲଝରଣ ଗାଁର ସୁରାଇ ଟୁଡ଼ୁ (୫୫) ଓ ତାଙ୍କ ପତ୍ନୀ ଲେଗାଇ ଟୁଡ଼ୁ (୫୦)ଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଥିଲା। ସୁରାଇଙ୍କ ମୃତଦେହକୁ ଗାଁ ନିକଟ ଜଙ୍ଗଲରେ ଓ ଲେଗାଇଙ୍କ ମୃତଦେହକୁ ଏକ ପରିତ୍ୟକ୍ତ କୂଅରେ ପକାଇ ଫେରାର୍‌ ହୋଇ ଯାଇଥିଲେ ଦୁର୍ବୃତ୍ତ। ଆଜି ଦିନ ପ୍ରାୟ ୧୧ଟା ବେଳେ ଗାଁ’ର କିଛି ଲୋକ ଜଙ୍ଗଲରେ ସୁରାଇଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖି ଝାରପୋଖରିଆ ଥାନାକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ଛାନ୍‌ଭିନ୍ କରିବା ବେଳେ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଲେଗାଇଙ୍କ ମୃତଦେହ ଠାବ କରିଥିଲା। ପରେ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍ ଆସି ଘଟଣାସ୍ଥଳରେ ତଦନ୍ତ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଉକ୍ତ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଜମିଜମା ବିବାଦରୁ ସୁରେଇଙ୍କ ସମ୍ପର୍କୀୟ ପୁତୁରା କାହ୍ନୁ (୨୫) ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରିଛି ପୁଲିସ। କାହ୍ନୁ ସମେତ ତାର ଦୁଇ ସାଙ୍ଗଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଏ ନେଇ ଥାନା କେସ୍‌ ନଂ ୧୩୧/୧୯ରେ ଏକ ମାମଲା ରୁଜୁ ହୋଇଛି ଓ ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବ ବୋଲି ଥାନା ଆଇଆଇସି ଶରତ କୁମାର ମହାଳିକ କହିଛନ୍ତି।

ସମ୍ବନ୍ଧିତ ଖବର