ନୂଆ ମୋଡ଼ ନେଲା ବସ ଦୁର୍ଘଟଣା ପ୍ରସଙ୍ଗ : ସାମ୍ନାକୁ ଆସିଲା ‘ମୋ ସରକାର’ରେ କଳି

ଜାଣିଶୁଣି ୧୦ଜଣଙ୍କୁ ମାରିଦେଲେ!

ଶକ୍ତି ବିଭାଗ ରିପୋର୍ଟ ମିଛ ପ୍ରମାଣିତ
ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଦ୍ମନାଭଙ୍କ କ୍ଲିନ୍‌ଚିଟ୍
ଆମକୁ ନପଚାରି ଖୁଣ୍ଟ ପୋତନି: ଗ୍ରାମ୍ୟ ଉନ୍ନୟନ ବିଭାଗ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଢାରାଜପୁର ଡଙ୍ଗଲପାଡୁ ଗ୍ରାମ୍ୟ ରାସ୍ତାରେ ୧୧କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ପ୍ରାଣହାନି ଘଟଣା ନାଟକୀୟ ମୋ଼ଡ ନେଇଛି। ଏହି ସମ୍ବେଦନଶୀଳ ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ସବୁ ଦୋଷ ଲଦି ଶକ୍ତି ବିଭାଗ ଯେଭଳି ନିଜକୁ ନିର୍ଦୋଷ ବୋଲି ସୂଚାଇଥିଲା, ତାହା ଉପରେ ରାଜ୍ୟ ସରକାରଙ୍କ ଆଉ ଦୁଇ ବିଭାଗ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି।

ନିଜେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘଟଣାର ସରଜମିନ୍ ଅନୁୁଧ୍ୟାନ କରିବା ପରେ ଆଜି ‘ସମ୍ବାଦ’କୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ମନ୍ତ୍ରୀ କେବଳ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କ୍ଲିନ୍‌ଚିଟ୍ ଦେଇଛନ୍ତି। କହିଛନ୍ତି ଯେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ତାଙ୍କର ଯାହା ହୃଦ୍‌ବୋଧ ହେଉଛି, ସେଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସେମିତି ଦୋଷ ନାହିଁ। ବରଂ ଶକ୍ତି ବିଭାଗର ଦୋଷ ଦୁର୍ବଳତା ରହିଛି। ଖୁଣ୍ଟ ଝୁଲିକି ଥିବାରୁ ଏପରି ଦୁଃଖଦ ଘଟଣା ଘଟିଛି। ଏହି ପୁରୁଣା ଖୁଣ୍ଟ ଏବେ ସୁଦ୍ଧା ଅଛି। ରାସ୍ତାର ଉଚ୍ଚତା ମାତ୍ର ଛଅ ଇଞ୍ଚ ଉଚ୍ଚା କରାଯାଇଛି, ଯାହାକୁ ଦୁର୍ଘଟଣା ପାଇଁ ପ୍ରମୁଖ କାରଣ ବୋଲି କୁହାଯାଇପାରିବ ନାହିଁ।

ଦ୍ବିତୀୟତଃ, ସ୍ଥାନୀୟ େଲାକେ ତାର ଝୁଲିବା ସଂପର୍କରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ସୂଚନା ଦେଇଥିଲେ ହେଁ, କେହି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିନଥିଲେ। କେବଳ ସେତିକି ନୁହେଁ, ମନ୍ତ୍ରୀ ଏକଥା ବି କହିଛନ୍ତି, ବିନା ଅନୁମତିରେ ସଂପୃକ୍ତ ଡ୍ରାଇଭର କିଭଳି ୧୨ଫୁଟ ଉଚ୍ଚାର ଏହି ବସ୍‌କୁ ଗାଁ ରାସ୍ତାରେ ପୂରାଇଦେଲା, ତାହା ବି ଆଶ୍ଚର୍ଯ୍ୟ କରୁଛି। ପରିବହନ ବିଭାଗ ଡ୍ରାଇଭରକୁ ତ ଗିରଫ କରିଛି, ଏହା ସହିତ ବସ ମାଲିକ ସଂଘକୁ ଡାକି ଏହି ଘଟଣା ଉପରେ ଆଲୋଚନା କରାଯିବ। ଭବିଷ୍ୟତରେ ମାଲିକମାନେ ଏଭଳି ନିଷ୍ପତ୍ତିରୁ କ୍ଷାନ୍ତ ରହିବା ଲାଗି ସତର୍କ କରିଦିଆଯିବ।

ପରିବହନ ବିଭାଗର ତଦନ୍ତ ରିପୋର୍ଟ ଆସିସାରିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସରିଛି। କିଛି ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ଓ ସବିଶେଷ ଅନୁଧ୍ୟାନ ପରେ ଘଟଣାରେ ଯେଉଁମାନେ ଦୋଷୀ ବୋଲି ଚିହ୍ନଟ ହେ‌େବ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପଟରେ ଏହି ଘଟଣାର ପୃଷ୍ଠଭୂମି ସଂପର୍କରେ ଅତ୍ୟନ୍ତ ନିରବତା ଅବଲମ୍ବନ କରି ଶକ୍ତି ବିଭାଗକୁ ଏକ କଡ଼ା ଚିଠି ଲେଖିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ସିଧା ସିଧା କହିଛି ଯେ ଆମକୁ ନ ପଚାରି ବିଦ୍ୟୁତ ଖୁଣ୍ଟ ପୋତି ପାରିବ ନାହିଁ। ପୂର୍ବରୁ ଶକ୍ତି ବିଭାଗ କହିଥିଲା ଯେ ଆମକୁ ନ ଜଣାଇ ଗ୍ରାମ୍ୟ ରାସ୍ତାର ବିକାଶ କରିପାରିବ ନାହିଁ।

ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶକ୍ତିବିଭାଗର ସଚିବଙ୍କୁ କହିଛନ୍ତି ଯେ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ଥାନୀୟ ନିର୍ବାହୀ ଅଧିକାରୀଙ୍କ ଅଜାଣତରେ ଶକ୍ତି ବିଭାଗ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ପୋତୁଛନ୍ତି। ଏଭଳି ବିଦ୍ୟୁତ ଖୁଣ୍ଟ ସ୍ଥାପନ ଦ୍ବାରା ପରବର୍ତୀ ସମୟରେ ସରକାରୀ କାର୍ଯ୍ୟ ତ୍ବରାନ୍ବିତ କରିବାରେ ସମସ୍ୟା ସୃଷ୍ଟି େହଉଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ଅଯଥା ଆର୍ଥିକ ଚାପ ବଢୁଛି। ଏଣୁ ଏଣିକି ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କର ଲିଖିତ ଅନୁମତି ପରେ ଯାଇ ବିଦ୍ୟୁତ ବିଭାଗ ଖୁଣ୍ଟ ପୋତିବା ଆଦି କାର୍ଯ୍ୟ ହେବା ଦରକାର।

ପରିବହନ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିବା ପରେ ଶକ୍ତି ବିଭାଗ ଉପରେ ରାଜ୍ୟ ସରକାର କି ପଦକ୍ଷେପ ନେବେ, ୧୦ଜଣଙ୍କ ଜୀବନ ହାନି ପାଇଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସର୍ବୋପରି ସରକାର କାହାକୁ ଉତ୍ତରଦାୟୀ କରିବେ, ତା ଉପରେ ସମସ୍ତଙ୍କ ନଜର ରହିଛି।

ସେହିଭଳି ଏହି ଗୋଟିଏ ଘଟଣା ‘ମୋ ସରକାର’ର କଳିକୁ ଦାଣ୍ଡକୁ ଟାଣିଆଣିଛି। ରାଜ୍ୟ ସରକାରଙ୍କ ବିଭାଗ ମାନଙ୍କ ମଧ୍ୟରେ ଯେ ସର୍ବନିମ୍ନ ସମନ୍ବୟ ନାହିଁ, ଏକଥା ଆଉ ଲୁଚି ରହିନାହିଁ। ନିଜ ବିଭାଗର ଓ କାର୍ଯ୍ୟକୁ ଉଚ୍ଚା ଦେଖାଇବାକୁ ଯାଇ ଅନ୍ୟ ବିଭାଗ ମୁଣ୍ଡରେ କିଭଳି ଦୋଷ ଲଦୁଛନ୍ତି, ତାହାର ଏହା ଏକ ଉଦାହରଣ।

ଉଲ୍ଲେଖଯୋଗ୍ୟ ଯେ ଦୁର୍ଘଟଣା ପରଦିନ ଲୋକସେବା ଭବନରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ୪ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହୋଇଥିଲା। ସାଉଥ୍‌କୋ ଯନ୍ତ୍ରୀ ଦେବାଶିଷ ନାୟକ, ଉପଖଣ୍ଡସ୍ତରୀୟ ଅଧିକାରୀ ବିଶ୍ବରଂଜନ ମହାପାତ୍ର ନିଲମ୍ବିତ େହାଇଥିଲେ। ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଉପଖଣ୍ଡସ୍ତରୀୟ ଅଧିକାରୀଙ୍କୁ ନିଲମ୍ବନ ନିର୍ଦେଶ ଦିଆଯାଇଥିବା ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ବ୍ରହ୍ମପୁର ବସ ଦୁର୍ଘଟଣା ନେଇ ଶକ୍ତି ବିଭାଗକୁ ସାଉଥ୍‌କୋ ଯେଉଁ ରିପୋର୍ଟ ଧରାଇଥିଲା, ତା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବୈଠକରେ ଅଧିକାରୀମାନେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କହି କହିଥିଲେ ଯେ ୨୦୧୮ରେ ସେହି ରାସ୍ତା ୩ରୁ ୪ ଫୁଟ ଉଚ୍ଚ ହେବା କାରଣରୁ ଭୂମି ଠାରୁ ବିଦ୍ୟୁତ ତାରର ଦୂରତା କମିଯାଇଥିଲା। ଯେଉଁଥିପାଇଁ ବସ ବିଦ୍ୟୁତ ସଂଯୋଗରେ ଆସି ଏତେ ବଡ ଅଘଟଣ ହେଲା। ପରିବହନ ମନ୍ତ୍ରୀ ନିଜେ ବୁଲିଆସିବା ପରେ ଏହି ରିପୋର୍ଟ ପଛରେ କେତେ ସତ ଥିଲା,ତାହା ଜଣାପଡିଯାଇଛି।

ସମ୍ବନ୍ଧିତ ଖବର