ପାରମିତାଙ୍କ ‌‘କଲର୍ସ ଅଫ୍ ଲୋନ୍‌ଲିନେସ୍’ ଉନ୍ମୋଚିତ

ଭୁବନେଶ୍ବର: ଇଣ୍ଡିଆ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର, ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ବିଶିଷ୍ଟ ଓଡ଼ିଆ ଗାଳ୍ପିକା ପାରମିତା ଶତପଥୀଙ୍କ ନିର୍ବାଚିତ ଗଳ୍ପର ଇଂରାଜୀ ଅନୁବାଦ ସଙ୍କଳନ ‘କଲର୍ସ ଅଫ୍ ଲୋନ୍‌ଲିନେସ୍ ଆଣ୍ଡ୍‌ ଅଦର ଷ୍ଟୋରିଜ୍’ ଉନ୍ମୋଚିତ ହୋଇଯାଇଛି। ଏହି ସଙ୍କଳନରେ ସ୍ଥାନୀତ ଚଉଦଟି ଯାକ ଗଳ୍ପର ଅନୁବାଦ କରିଛନ୍ତି ବିଶିଷ୍ଟ ଅନୁବାଦିକା ସ୍ନେହପ୍ରଭା ଦାସ। ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍ ଦ୍ବାରା ପ୍ରକାଶିତ ଏହି ପୁସ୍ତକକୁ ଉନ୍ମୋଚିତ କରି ବିଶିଷ୍ଟ କବି ଓ ସମାଲୋଚକ କେ. ସଚିଦାନନ୍ଦନ କହିଥିଲେ ଯେ ଆଧୁନିକ ସାହିତ୍ୟକୁ ପାରମିତାଙ୍କ ଗଳ୍ପର ବିଶେଷ ଅବଦାନ ରହିଛି। ସମାଜର ଉପେକ୍ଷିତ ବର୍ଗ ପ୍ରତି ଥିବା ତାଙ୍କର ସମବେଦନାକୁ ସେ କଳାତ୍ମକ ଢଙ୍ଗରେ ପ୍ରକାଶ କରିଛନ୍ତି। ଗାଳ୍ପିକା ଶ୍ରୀମତୀ ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଜଣେ ଲେଖିକା ଭାବରେ ମଣିଷ ଜୀବନର ଅବସାଦ ତାଙ୍କୁ ବ୍ୟଥିତ କରେ। ଆଲିସ୍ ମୁନ୍‌ରୋ, ଅମ୍ରିତା ପ୍ରୀତମ୍, ମହାଶ୍ବେତା ଦେବୀଙ୍କ ଭଳି ‌େଲଖିକା ତାଙ୍କର ନାରୀବାଦୀ ଚେତନାକୁ ପ୍ରଭାବିତ କରିଛନ୍ତି। ଲେଖିକାଙ୍କ ସହିତ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ ଯୁବ ଔପନ୍ୟାସିକ ଚନ୍ଦ୍ରହାସ ଚୌଧୁରୀ। ଅଭିଷେକ ତ୍ରିପାଠୀ ସଭା ପରିଚାଳନା କରିଥିବାବେ‌େଳ ଅତିଥିଙ୍କୁ ସ୍ବାଗତ କରିଥିଲେ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ର ଶିବାଙ୍ଗୀ ଶର୍ମା।

ସମ୍ବନ୍ଧିତ ଖବର