ପିୟୁସିଏଲର ଅଧ୍ୟୟନ ରିପୋର୍ଟ ଉନ୍ମୋଚିତ: ଖଣି ସମ୍ପ୍ରସାରଣ ଜମି ଅଧିଗ୍ରହଣରେ ପେସା ଆଇନର ଉଲ୍ଲଂଘନ ଅଭିଯୋଗ

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଓସିଏଲ୍ ଇଣ୍ଡିଆ ସିମେଣ୍ଟ କାରଖାନା, ଖଣି ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣରେ ପେସା ଆଇନକୁ ଉଲ୍ଲଂଘନ କରାଯାଇଛି। ମାନବିକ ଅଧିକାର ସଙ୍ଗଠନ ପିୟୁସିଏଲର ୩ ଜଣିଆ ପ୍ରତିନିଧି ଦଳ ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାବିତ ଗାଁ ପରିଦର୍ଶନ, ଜନପ୍ରତିନିଧି, ସରକାରୀ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ ଏହି ଅଭିଯୋଗ କରିଛନ୍ତି।

ଲୋହିଆ ଏକାଡେମିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିୟୁସିଏଲର ପ୍ରତିନିଧିମାନେ କହିଛନ୍ତି, ଓସିଏଲ୍‌ ଇଣ୍ଡିଆ ଲାଞ୍ଜିବେର୍ଣ୍ଣାର ଚୂନପଥର ଖଣିକୁ ଉପଯୋଗ କରି ୧୯୫୧ ମସିହାରୁ ସିମେଣ୍ଟ ଉତ୍ପାଦନ କରି ଆସୁଛି। ବିଭିନ୍ନ ପର୍ଯ୍ୟାୟରେ ଖଣି ସମ୍ପ୍ରସାରିତ ହୋଇଛି। କାରଖାନା କ୍ଷମତା ୪.୨ ନିୟୁତ ଟନରୁ ୯.୫ ନିୟୁତ ଟନ ବୃଦ୍ଧିର ପ୍ରସ୍ତାବ ରହିଛି। ଓଡ଼ିଶା ସରକାର ଖଣି ସମ୍ପ୍ରସାରଣ ପାଇଁ ୯୯୦.୬୭ ଏକର ଘରୋଇ କୃଷି ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି କରିଛନ୍ତି। ଏଥିଯୋଗୁଁ କୁତ୍ରା, ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ୫ ଗ୍ରାମପଞ୍ଚାୟତର ୭ଟି ରାଜସ୍ବ ଗାଁ ପ୍ରଭାବିତ ହେବ। ଏହି ଗାଁଗୁଡ଼ିକ ଆଦିବାସୀ ପ୍ରଭାବିତ ଅଞ୍ଚଳ। ଜମି ଅଧିଗ୍ରହଣ ଆଇନ ୨୦୧୩ ଏବଂ ଓଡ଼ିଶା ସରକାରଙ୍କ ନିୟମାବଳୀ ୨୦୧୬ରେ ଅନୁସୂଚିତ ଅଞ୍ଚଳରେ ଜମି ଅଧିଗ୍ରହଣ କରାଯିବା ଉଚିତ ନୁହେଁ। ଯଦି କରାଯିବ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବା ଉଚିତ। ଏଥିପାଇଁ ସର୍ବପ୍ରଥମେ ଜମି ଅଧିଗ୍ରହଣ ପାଇଁ ପ୍ରାଥମିକ ନୋଟିସ ପ୍ରକାଶ ପୂର୍ବରୁ ଗ୍ରାମସଭା, ପଞ୍ଚାୟତର ଅନୁମତି ନିଆଯିବ। ମାତ୍ର ଓସିଏଲ ଜମି ଅଧିଗ୍ରହଣରେ ଏହା କରାଯାଇ ନାହିଁ। କେବଳ ଔପଚାରିକତା ଦୃଷ୍ଟିରୁ ପ୍ରଶାସନ ଅଧ୍ୟୟନ ଚିଠା ରିପୋର୍ଟରେ ଜନଶୁଣାଣି କରାଯାଇଛି। ତାହା ମଧ୍ୟ ଲୋକେ କରାଇ ଦେଇ ନାହାନ୍ତି।

ପ୍ରକାଶିତ ଚୂଡ଼ାନ୍ତ ରିପୋର୍ଟରେ ଜନଶୁଣାଣି ସୁରୁଖୁରୁରେ ହୋଇଥିବା ଉଲ୍ଲେଖ ରହିଛି। ଜନଶୁଣାଣିରେ ଅଂଶଗ୍ରହଣ କରିନଥିବା ବ୍ୟକ୍ତିଙ୍କ ଜାଲ ହସ୍ତାକ୍ଷର ମଧ୍ୟ କରାଯାଇଛି। ୨୦୧୩ ଆଇନ ଅନୁଯାୟୀ, ଘରୋଇ କମ୍ପାନି ଜମି ଅଧିଗ୍ରହଣ ପାଇଁ ୮୦ ଭାଗ ପ୍ରଭାବିତ ପରିବାରଙ୍କ ସହମତି ଆବଶ୍ୟକ। ୨୦୨୦ ମସିହା ଜାନୁଆରି ୨୬ ତାରିଖରେ ହୋଇଥିବା ଜନଶୁଣାଣିରେ ଜମି ଅଧିଗ୍ରହଣକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ଜମି ଅଧିଗ୍ରହଣ ବେଳେ ସାମ୍ବିଧାନିକ ବ୍ୟବସ୍ଥା ଉଲ୍ଲଂଘନ ନକରିବାକୁ ଦାବି ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପିୟୁସିଏଲର ପ୍ରଫୁଲ୍ଲ ସାମନ୍ତରାଏ, ପ୍ରମୋଦିନୀ, ନିଗମ, ଗୋଲକ ବିହାରୀ ନାଥ, ବିବୁଲ ଟପ୍ନୋ, ଲିଓନିତା ଡୁଙ୍ଗଡୁଙ୍ଗ ଏବଂ ମମତା ଟପ୍ନୋ ଉପସ୍ଥିତ ଥିଲେ। ଏହି ଅବସରରେ ପିୟୁସିଏଲର ଅଧ୍ୟୟନ ରିପୋର୍ଟ ଏକ ବିତା ଜାମିନ ନି ଦେବ ଉନ୍ମୋଚିତ ହୋଇଛି।

ସମ୍ବନ୍ଧିତ ଖବର