ପୁଲିସ ପଞ୍ଝାରେ ଅନ୍ତଃରାଜ୍ୟ ଠକେଇ ରାକେଟ୍: ବଙ୍ଗୀୟ ଠକ ଦଂପତି ଗିରଫ

ଟାଟା କଂପାନିରେ ନିଯୁକ୍ତିଦେବା ନାଁରେ କୋଟି କୋଟିର ଠକେଇ, ୧୩ଶହ ଛାତ୍ରଛାତ୍ରୀ ହୋଇଛନ୍ତି ଠକେଇର ଶିକାର

ଅନୁଗୁଳ: ଟାଟାରେ ଚାକିରି ଦେବାକୁ କହି ଯୁବକଯୁବତୀଙ୍କୁ ଠକି ଚାଲିଥିବା ଏକ ଅନ୍ତଃରାଜ୍ୟ ଠକ ଗ୍ୟାଙ୍ଗକୁ ଧରିଛି ଅନୁଗୁଳ ପୁଲିସ। ଏହି ଜାଲି ନିଯୁକ୍ତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଦଂପତିଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ପାଖରୁ ବହୁ ଜାଲ କାଗଜପତ୍ର, ନିଯୁକ୍ତି ପତ୍ର, ସିଲ୍‌, ଷ୍ଟାମ୍ପ, କ୍ରେଡିଟ୍ କାର୍ଡ ଓ ୪ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ଏହି ଗ୍ୟାଙ୍ଗ ଓଡ଼ିଶାର ପ୍ରାୟ ୫୫୦ ଛାତ୍ରଛାତ୍ରୀଙ୍କୁ ଚୂନ ଲଗାଇ କୋଟି କୋଟି ଟଙ୍କା ଠକି ନେଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କେବଳ ସେତିକି ନୁହେଁ, ଦେଶର ବିଭିନ୍ନ ଭାଗରୁ ୧୩ଶହରୁ ଅଧିକ ଛାତ୍ରଛାତ୍ରୀ ଏମାନଙ୍କ ଶିକାର ହୋଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଗ୍ୟାଙ୍ଗର ୯ ଜଣ ଏବେସୁଦ୍ଧା ପୁଲିସ ହାତରେ ଧରା ପଡ଼ିଲେଣି। ଅନ୍ୟ କେତେକ ସଂପୃକ୍ତି ଥିବାରୁ ସେମାନଙ୍କୁ ଧରିବା ଲାଗି ତନାଘନା ଚାଲିଛି।

ଅନୁଗୁଳ ସହର ସମେତ ତାଳଚେର ଓ କୋଲିୟରୀ ଥାନା ଅଞ୍ଚଳରେ କିଛି ଛାତ୍ରଛାତ୍ରୀ ଚାକିରି ସନ୍ଧାନରେ ଥିବାବେଳେ ଏକ ଠକ ଗ୍ୟାଙ୍ଗ ହାବୁଡ଼ରେ ପଡ଼ିଥିଲେ। ଚାକିରି ଆଶାରେ ସେମାନେ ଏହି ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଟଙ୍କା ମଧ୍ୟ ଦେଇଥିଲେ। ଏହା ପରେ ଚାକିରି ଆଶାୟୀଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା। କିନ୍ତୁ ଏହା ନକଲି ନିଯୁକ୍ତିପତ୍ର ବୋଲି ପରେ ସେମାନେ ଜାଣି ପାରିଥିଲେ। ଏଥିନେଇ ସେମାନେ ବିଭିନ୍ନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅନୁଗୁଳ ଥାନାରେ ୨ଟି, ନାଲକୋନଗର ଥାନାରେ ୨ଟି, ତାଳଚେର ଥାନାରେ ଗୋଟିଏ ଓ କୋଲିୟରୀ ଥାନାରେ ଗୋଟିଏ ମାମଲା ରୁଜୁ କରି ଏହି ଠକ ଗ୍ୟାଙ୍ଗର କିଛି ମଧ୍ୟସ୍ଥିଙ୍କୁ ଗିରଫ କରିବା ପରେ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ପୁଲିସ ରାକେଟକୁ ଧରିବା ପାଇଁ ବଛା ବଛା ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା।

ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ଟାଟା ଗ୍ରୁପ୍‌ରେ ଚାକିରି କରାଇବାକୁ କହି ଛାତ୍ରଛାତ୍ରୀଙ୍କୁ ଠକୁଥିବା ଏକ ଅନ୍ତଃରାଜ୍ୟ ରାକେଟ କାମ କରୁଛି। ପୁଲିସ ଏହି ମାମଲାରେ ପ୍ରଥମେ ରାଉରକେଲାର ପ୍ରତାପ କୁମାର ଶତପଥୀଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ରାକେଟ୍‌ର ମାଷ୍ଟରମାଇଣ୍ଡଙ୍କ ଠିକଣା ପୁଲିସ ପାଇଥିଲେ ମଧ୍ୟ ସେମାନଙ୍କୁ ସହଜରେ ଠାବ କରି ପାରି ନ ଥିଲା। ସେମାନେ ବାରମ୍ବାର ଜାଗା ପରିବର୍ତ୍ତନ କରୁଥିବାରୁ ପୁଲିସ ପାଇଁ ଅଡୁଆ ହୋଇଥିଲା। ଶେଷରେ ଅନୁଗୁଳ ପୁଲିସ ପଶ୍ଚିମବଙ୍ଗର ଦୁର୍ଗାପୁରରୁ ମାଷ୍ଟରମାଇଣ୍ଡ ଚୈତାଳୀ ମୁଖାର୍ଜୀ ଓ ମୃଗାଙ୍କ ଗୁପ୍ତାଙ୍କୁ ଗିରଫ କରିଛି। ଉଭୟେ ପତି-ପତ୍ନୀ ବୋଲି ପୁଲିସ ତଦନ୍ତ କାଳରେ ଜାଣିପାରିଛି। ଏଥିରୁ ଚୈତାଳୀ ରାଉରକେଲାରେ ରହୁଥିଲାବେଳେ ମୃଗାଙ୍କ ଆଗ୍ରାରେ ରହୁଥିଲେ। ଚୈତାଳୀ ନିଜ ଜାଲ୍‌ ନାମ ଦୀପିକା ବାନାର୍ଜୀ ରଖିଥିଲେ ଓ ନିଜକୁ ଟାଟା ଗ୍ରୁପ୍‌ର ଏଚ୍‌ଆର ମୁଖ୍ୟ ଭାବେ ପରିଚୟ ଦେଉଥିଲେ । ସେହିପରି ମୃଗାଙ୍କ ନିଜକୁ ଶିବ କୁମାର ଜାଲ୍‌ ନାମରେ ନାମିତ କରି ଟାଟା ଗ୍ରୁପ୍‌ର ଏଜିଏମ୍ ବୋଲି ଦର୍ଶାଇଥିଲେ।

ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ଏମାନେ ଜାମସେଦପୁର ଓ ଝାଡ଼ଖଣ୍ଡର ଏନଟିଟିଏଫ୍‌ରେ ଚାକିରି ଦେବାକୁ କହି ଆଶାୟୀ ଛାତ୍ରଛାତ୍ରୀଙ୍କ ପାଖରୁ ଟଙ୍କା ନେଉଥିଲେ। ଏମିତି ଦେଶର ବିଭିନ୍ନ ଭାଗରୁ ୧୩ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେମାନେ ଠକି ଟଙ୍କା ନେଇଛନ୍ତି। ସେମାନଙ୍କ ପାଖରୁ ଜବତ କାଗଜପତ୍ରରୁ ମିଳିଥିବା ସୂଚନା ଅନୁସାରେ, ଠକେଇର ଶିକାର ହୋଇଥିବା ଯୁବକଙ୍କ ମଧ୍ୟରୁ ୫୫୦ ଜଣ ଓଡ଼ିଶାର ହୋଇଥିଲାବେଳେ ଜମ୍ମୁକାଶ୍ମୀରରୁ ୧୦ ଜଣ, ଝାଡଖଣ୍ଡରୁ ୪୦, ଛତିଶଗଡରୁ ୨ ଜଣ, ବିହାରରୁ ୨୫ ଜଣ, ପଶ୍ଚିମବଙ୍ଗରୁ ୨୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଏପରିକି ମହାରାଷ୍ଟ୍ରରୁ ମଧ୍ୟ ସେମାନେ ବହୁ ଯୁବକଙ୍କ ପାଖରୁ ଟଙ୍କା ଆଣି ଚାକିରି ଦେବାର ଲୋଭ ଦେଖାଇଛନ୍ତି। କିଛି ଦିନ ଭିତରେ ସେମାନେ ୫୦ ଜଣ ଯୁବକଯୁବତୀଙ୍କ ପାଖରୁ ୧ କୋଟି ୮୫ ଲକ୍ଷ ଟଙ୍କା ନେଣଦେଣ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ତେଣୁ ଏମାନଙ୍କ ଠକେଇ ସାମ୍ରାଜ୍ୟ ବେଶ୍ ବିଶାଳ ବୋଲି ଅନୁମାନ କରୁଛି ପୁଲିସ। ଚୈତାଳୀ ମୁଖାର୍ଜୀଙ୍କ ବିରୋଧରେ ମହାରାଷ୍ଟ୍ରରେ ବି ଠକେଇ ମାମଲା ରହିଛି।

ପୁଲିସ ଏହି ଠକ ପତି-ପତ୍ନୀଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ଟାଟା ଷ୍ଟିଲ୍‌ର ନକଲି ଷ୍ଟାମ୍ପ, ଲେଟରହେଡ, ଲଫାଫା, ଟାଟା ଗ୍ରୁପ୍‌ର ଜାଲ୍‌ ନିଯୁକ୍ତ ପତ୍ର, ୭ଟି ମୋବାଇଲ ଫୋନ୍‌, ଠକେଇର ଶିକାର ହୋଇଥିବା ଯୁବକଙ୍କ ତାଲିକା, ଗୋଟିଏ କ୍ରେଟା କାର୍, ୧୮ଟି କ୍ରେଡିଟ କାର୍ଡ ଓ ୩ଲକ୍ଷ ୯୭ ହଜାର ନଗଦ ଟଙ୍କା ଜବତ କରିଛି। ପୁଲିସ ତଦନ୍ତ ଜାରି ରଖିଥିଲାବେଳେ ଆଜି ସୁଦ୍ଧା ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି। ଏହି ରାକେଟରେ ଆହୁରି କିଛି ସଦସ୍ୟ ରହିଥିଲାବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ରାଜ୍ୟ ତଥା ବାହାରେ ଜାଲ ବିଛାଇଛି।

ସମ୍ବନ୍ଧିତ ଖବର