ପୁଲିସ ବାରାକ୍‌ରେ କ‌ନେଷ୍ଟବଳଙ୍କ ଆତ୍ମହତ୍ୟା

ଫୁଲବାଣୀ/ଟିକାବାଲି/ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗରି ଥାନା ପରିସର କ୍ବାର୍ଟର୍ସରେ ଗତ ସାତମାସ ତଳେ ଜଣେ ମହିଳା ଏସ୍‌ଆଇଙ୍କ ଆତ୍ମହତ୍ୟା ଘଟଣା ଏଯାଏ ରହସ୍ୟ ହୋଇ ରହିଯାଇଛି। ‌ତାହା ମନରୁ ନଲିଭୁଣୁ ସୋମବାର ଦିନ ଟିକାବାଲି ଥାନା ପୁଲିସ ବାରାକ୍‌ରେ ପୁଣି ଜଣେ କନେଷ୍ଟବଳ ଆତ୍ମହତ୍ୟା କରିବା ଆଲୋଡ଼ନ ସୃଷ୍ଟି କରିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ପାରିବାରିକ କାରଣ ବୋଲି ଅନୁମାନ କରାଯାଉଛି।

ମୃତ କନେଷ୍ଟବଳ ହେଲେ, ଶ୍ରୀନିବାସ ଘୋଟାଲ (୫୦) ଓ ତାଙ୍କ ନିଜ ଘର ଫୁଲବାଣୀ ସହରର ଡାକପାଲା। ଦୁଇବର୍ଷ ହେଲା ଶ୍ରୀନିବାସ ଟିକାବାଲି ଥାନାରେ ପୁଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ଆଜି ଦିନ ୧୧ଟା ‌ବେଳେ ଟିକାବାଲି ଥାନା କର୍ମଚାରୀ କୌଣସି କାମରେ ତାଙ୍କ କୋଠରିକୁ ଯାଇଥିବା ବେଳେ ଝରକା ଫାଙ୍କରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ସମ୍ପୃକ୍ତ କର୍ମଚାରୀ ତୁରନ୍ତ ଏ ବାବଦରେ ଟିକାବାଲି ଥାନାଧିକାରୀ କଲ୍ୟାଣୀମୟୀ ଷେଣ୍ଢଙ୍କୁ ଜଣାଇଥିଲେ। ଥାନାଧିକାରୀ ଏସ୍‌.ପିଙ୍କୁ ଜଣାଇବା ପରେ ଘୁ.ଉଦୟଗିରି ଏସ୍‌ଡିପିଓ ଡି.ତିରୁପତି ରାଓ ପଟ୍ଟନାୟକଙ୍କୁ ଏହି ଘଟଣାର ତଦନ୍ତ ଭାର ପ୍ରଦାନ କରାଯାଇଛି। ଏସ୍‌.ପି ଶୁଭେନ୍ଦୁ କୁମାର ପାତ୍ରଙ୍କ କହିବା ଅନୁସାରେ, ଗତକାଲି ରାତିପର୍ଯ୍ୟନ୍ତ ସେ ସରକାରୀ ଡ୍ୟୁଟିରେ ଥିଲେ। ଟିକାବାଲିରେ ଦୋଳଯାତ୍ରା ଡ୍ୟୁଟି ସାରି ଗତକାଲି ବାରାକ୍‌କୁ ଫେରିଥିଲେ।

ମୃତ କନେଷ୍ଟବଳଙ୍କ ଶବକୁ ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ଅଣାଯାଇଛି। ଖବର ପାଇ ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟ ଟିକାବାଲି ଥାନାରେ ପହଞ୍ଚିଥିଲେ। ସ୍ତ୍ରୀ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଆତ୍ମହତ୍ୟା କରିଥିବା କୋଠରିର କବାଟ ଖୋଲାଯାଇ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏ ନେଇ ୧/୨୦୨୩ରେ ମାମଲା ରୁଜୁ କରାଯାଇଛି। ତଦନ୍ତ ଜାରି ରହିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।
୧୯୯୦ ମସିହାରେ ଓଏଏସ୍‌ଏଫ୍‌ରେ ଯୋଗ ଦେଇଥିଲେ ଶ୍ରୀନିବାସ। ପରେ ଓଏଏସ୍‌ଏଫ୍‌ କମ୍ପାନି ଛାଡ଼ି ପାଖାପାଖି ୬ ବର୍ଷ ହେବ ଓଡ଼ିଶା ପୁଲିସରେ ପ୍ରଥମେ ଫୁଲବାଣୀ ହେଡ୍‌କ୍ୱାର୍ଟରରେ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ବଡ଼ ଝିଅ ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ଥିବାବେଳେ ସାନପୁଅ ଶିଶୁ ମନ୍ଦିରରେ ପଢୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୨ ଅଗଷ୍ଟ ୨୭ ତାରିଖରେ ଘୁ.ଉଦୟଗିରି ଥାନାର ମହିଳା ଏସ୍‌ଆଇ ସ୍ବାଗତିକା ବେହେରା ନିଜ ଥାନା ପରିସର ସରକାରୀ ବାସଭବନରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଏସ୍‌ଆଇ ସ୍ବାଗତିକା କାହିଁକି ଆତ୍ମହତ୍ୟା କରିଥିଲେ, ତାହାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର