ବର୍ଷା କମିଲା, ଏଣିକି ଶୀତ ବଢିବ

ଭୁବନେଶ୍ବର : ରାଜ୍ୟରେ ଗତ କିଛି ଦିନ ଧରି ଚାଲିଥିବା ଅଦିନିଆ ବର୍ଷା ଆଜି କମିଯାଇଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାଗ ଖରାଟିଆ ରହିଛି । ବର୍ଷା କମିବା ପରେ ରାଜ୍ୟରେ ଶୀତ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ରାଜ୍ୟରେ ଆସନ୍ତା କିଛି ଦିନ ପ୍ରବଳ ଶୀତ ଅନୁଭୂତ ହେବ । ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ପରବର୍ତ୍ତୀ କିଛି ଦିନରେ ବି ଶୀତପ୍ରବାହ ଜାରି ରହିବ ।

ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ କହିଛି । ଏସବୁ ଜିଲ୍ଲା ମଧ୍ୟରେ ରହିଛି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ନୟାଗଡ଼, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦୁଝର । ଏସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କତା ବା ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ପୁରୀରେ ସର୍ବୋଚ୍ଚ ତାପମାତ୍ରା ୨୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

 

ସମ୍ବନ୍ଧିତ ଖବର