ବାତ୍ୟା ପ୍ରଭାବିତ ୫ ଜିଲ୍ଲାରେ ଘରୋଇ ସ୍କୁଲକୁ ମାସକର ସ୍କୁଲ ଫି’ ଛାଡ କରିବାକୁ ଏସଆରସିଙ୍କ ଆହ୍ୱାନ

ଭୁବନେଶ୍ବର : ବାତ୍ୟା ଫୋନି ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ୫ଟି ଜିଲ୍ଲାରେ ସ୍କୁଲ ଫି ଛାଡ କରିବାକୁ ଉଭୟ ଇଂରାଜୀ ଓ ଓଡ଼ିଆ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି । ବାତ୍ୟା ପ୍ରଭାବିତ ୫ ଜିଲ୍ଲା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡାରେ ଥିବା ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମାସକର ସ୍କୁଲ ଫି ଛାଡ କରିବାକୁ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ହାଇସ୍କୁଲ ପର୍ଯ୍ୟନ୍ତ ସବୁଠି ସ୍କୁଲ ଫି ଓ ପରୀକ୍ଷା ଫି ଛାଡ କରିଛନ୍ତି ରାଜ୍ୟ ସରକାର । ଏପରିକି ଆଂଶିକ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ହଳ ସ୍କୁଲ ୟୁନିଫର୍ମ ଦେବାକୁ ନିଷ୍ପତି ନେଇଛନ୍ତି । ଏପରିକି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାର ସ୍କୁଲ ଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ ଗୋଟିଏ ହଳ ୟୁନିଫର୍ମ ଦେବାକୁ ନିଷ୍ପତି ନେଇଛନ୍ତି ।

ଏସବୁ ଭିତରେ ଓଡ଼ିଶା ଅଭିଭାବକ ମହାସଂଘ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ଥିବା ଘରୋଇ ଓଡିଆ ଓ ଇଂରାଜୀ ମିଡିୟମ ସ୍କୁଲ କିଭଳି ସ୍କୁଲ ଫି ଛାଡ କରିବେ ସେ ଦିଗରେ ହସ୍ତକ୍ଷେପ କରିବାକୁ ରିଲିଫ୍ କମିଶନରଙ୍କୁ ଅନୁରୋଧ କରିଥିଲେ ।  ଅଭିଭାବକ ସଂଘର ଅନୁରୋଧ ପରେ ଆଜି ବାତ୍ୟା ପ୍ରଭାବିତ ଜିଲ୍ଲାର ସମସ୍ତ ଘରୋଇ ଇଂରାଜୀ ଓ ଓଡିଆ ମିଡିୟମ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ମାସର ସ୍କୁଲ ଫି ଛାଡ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଆହ୍ୱାନ କରିଛନ୍ତି ।

ସମ୍ବନ୍ଧିତ ଖବର