ବାରଣ୍ଡାରେ ପଡ଼ିରହିଛି ବାମଣ୍ଡା ଐତିହ୍ୟ, ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପା‌ଇଥାନ୍ତା

ଦେବଗଡ଼: ମାସେ କି ୨ ମାସ ନୁହେଁ ବର୍ଷ ବର୍ଷ ହେଲା ଦେବଗଡ଼ ସରକାରୀ ଛାପାଖାନାର ବାରଣ୍ଡାରେ ପଡ଼ିଛି ବାମଣ୍ଡାର ଐତିହ୍ୟ। ଓଡ଼ିଆ ଭାଷା ଆନ୍ଦୋଳନର ସ୍ମୃତି ବହନ କରୁଥିବା ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ୍‌ର ପୁରୁଣା ଛାପା ମେସିନ ବାରଣ୍ଡାରେ ପଡ଼ି ରହିଥିଲେ ମଧ୍ୟ ନା ଜିଲ୍ଲା ପ୍ରଶାସନ, ନା ବୁଦ୍ଧିଜୀବୀ ନା ଜନସାଧାରଣ କେହି ତତ୍ପରତା ପ୍ରକାଶ କରୁନାହାନ୍ତି। ରାଜ୍ୟ ସଂଗ୍ରହାଳୟରେ ସ୍ଥାନୀତ କରିବାକୁ ଦେବଗଡ଼ ସରକାରୀ ଛାପାଖାନାରୁ ୨୦୧୪ ଏପ୍ରିଲ ମାସରେ କଟକ ସ୍ଥାନାନ୍ତରିତ କରାଯାଇଥିଲା ଏହି ଐତିହାସିକ ମେସିନ। ତେବେ ଏହି ଛାପା ମେସିନ ବାମଣ୍ଡା ସ୍ମୃତିକୁ ବହନ କରୁଥିବାରୁ ଦେବଗଡ଼କୁ ଏହି ମେସିନକୁ ଫେରାଇ ଅଣାଯାଉ ବୋଲି ବିଭିନ୍ନ ସଂଗଠନ ସେତେବେଳେ ଦାବି କରିଥିଲେ। ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଏହି ମେସିନ ଦେବଗଡ଼ ଫେରାଇ ଅଣାଯାଇଥିଲା। ମେସିନ ଫେରିଆସିବା ପରେ ସମସ୍ତେ ଭୁଲିଯାଇଛନ୍ତି।
ଏହେ ନା ଏହି ମେସିନ ରାଜ୍ୟ ସଂଗ୍ରହାଳୟରେ ରହିଲା ନା ତାକୁ ତାର ଉପଯୁକ୍ତ ସମ୍ମାନ ମିଳିଲା।

ଓଡ଼ିଆ ଭାଷା ଅନ୍ଦୋଳନକୁ ଅଧିକ ତୀବ୍ରତର କରିବା ଓ ପତ୍ରିକା ପ୍ରକାଶ କରି ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାର ମହତ୍‌ ଉଦ୍ଦେଶ୍ୟ ନେଇ ତତ୍‌କାଳୀନ ବାମଣ୍ଡାର ପ୍ରଜାନୁରାଗୀ ରାଜା ସାର ବାସୁଦେବ ସୁଢଳଦେବ ୧୮୮୬ରେ ତାଙ୍କ ରାଜଧାନୀ ଦେବଗଡ଼ର ମଧ୍ୟଭାଗରେ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ୍‍ ସ୍ଥାପନ କରିଥିଲେ। ଏହି ପ୍ରେସରୁ ୧୮୮୯ ମସିହାରେ ମେ’ ୩୦ ତାରିଖରେ ଓଡ଼ିଆଭାଷା ଆନ୍ଦୋଳନର ବୀଜ ବୁଣିବା ପାଇଁ ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ପ୍ରକାଶିତ ହୋଇଥିଲା ‘ସମ୍ୱଲପୁର ହିତୈଷିଣୀ ପତ୍ରିକା। ତେବେ ଏହି ପତ୍ରିକା କେବଳ ଭାଷା ଆନ୍ଦୋଳନକୁ ତୀବ୍ରତର କରିଥିଲା ତା’ ନୁହେଁ ଏହାଦ୍ୱାରା ସୃଷ୍ଟି ହୋଇଥିଲା ଏକ ସାହିତ୍ୟର ଯୁଗ। କିନ୍ତୁ ଏହି ପତ୍ରିକାର ପ୍ରକାଶନ ୧୯୨୩ ମସିହାରେ ବନ୍ଦ ହୋଇଗଲା। ଏହି ଜଗନ୍ନାଥ ବଳ୍ଲଭ ପ୍ରେସର ନାମ ପରିବର୍ତ୍ତନ କରାଯାଇ ୧୯୧୨ରେ ଏହାର ନାମ ହିତୈଷିଣୀ ଇଲେଟ୍ରିକ ମେସିନ୍‌ ପ୍ରେସ ନାମରେ ନାମିତ କରାଯାଇଥିଲା। ଅନ୍ୟପଟେ ଏହି ଗୋଟିଏ କୋଠରିରେ ଜଗନ୍ନାଥ ବଲ୍ଲଭ ପ୍ରେସ ପରବର୍ତ୍ତୀ ସମୟରେ କଳିକା ପରେ ସୁଢଳ ପ୍ରେସ ନାମରେ ନାମିତ ହୋଇଥିଲା।

ସମ୍ବନ୍ଧିତ ଖବର