ବାଲେଶ୍ୱର: ଖାଉଟି ଅଦାଲତରେ କର୍ମଚାରୀ ମରୁଡ଼ି, ପଡ଼ିରହିଛି ୫ ଶହରୁ ଊର୍ଦ୍ଧ୍ୱ ମାମଲା

ବାଲେଶ୍ୱର: ସେବା ପ୍ରଦାନକାରୀ ସଂସ୍ଥା ବୃଦ୍ଧି ପାଇବା ସାଙ୍ଗକୁ ଖାଉଟିଙ୍କ ଅଭିଯୋଗ ସଂଖ୍ୟା ବି ପୂର୍ବ ଅପେକ୍ଷା‌ ବୃଦ୍ଧି ପାଇଛି। ହେଲେ ଖାଉଟି ଅଦାଲତରେ ମାମଲା ବର୍ଷ ବର୍ଷ ଧରି ପଡ଼ିରହିଥିବା ବେଳେ ଏହାର ତ୍ବରିତ ସମାଧାନ ହେଉନାହିଁ। କାରଣ ହେଲା, ଖାଉଟି ଅଦାଲତରେ କର୍ମଚାରୀ ମରୁଡ଼ି। ମାମଲା ସମାଧାନ ପାଇଁ ଖାଉଟି ଅଦାଲତର ସଭାପତି ସହ ଜଣେ ପୁରୁଷ ସଦସ୍ୟ ଓ ଜଣେ ମହିଳା ସଦସ୍ୟ ରହିବା ଜରୁରୀ। ଦୀର୍ଘ ମାସ ହେଲା ସଭାପତି ପଦବି ଫାଙ୍କା ରହିଥିଲା ବେଳେ ପୁରୁଷ ସଦସ୍ୟ ପଦବି ବି ଫ‌ାଙ୍କା ପଡ଼ିଛି। ଫଳରେ ବହୁ ମାମଲା ସମାଧାନ ହୋଇ ପାରୁନାହିଁ। ଯଦିଓ ଦୁଇମାସ ହେବ ସଭାପତି ପଦବି ପୂରଣ ହୋଇଛି, ହେଲେ ସଦସ୍ୟ ପଦବି ୨୦୧୯ ମସିହାରୁ ଫାଙ୍କା ରହିଛି। ଯାହାଫଳରେ ମାମଲାଗୁଡ଼ିକର ସମାଧାନ ପ୍ରକ୍ରିୟା ପ୍ରଭାବିତ ହୋଇଛି।

ସୂଚନା ମୁତାବକ, ୨୦୧୯ ମସିହାରେ ୮୩ଟି ମାମଲା ରୁଜୁ ହୋଇଥିବା ବେ‌ଳେ ୧୬ଟି ମାମଲାର ଫଇସଲା ହୋଇଛି। ୨୦୨୦ରେ ଏହି ସଂଖ୍ୟା କମି ୫୬ରେ ପହଞ୍ଚିଥିବା ବେଳେ ମାତ୍ର ୨ଟି ମାମଲାର ସମାଧାନ ହୋଇଥିଲା। ୨୦୨୧ରେ ୬୮ଟି ମାମଲା ରୁଜୁ ହୋଇଥିଲା ବେଳେ ମାତ୍ର ୫ଟି ଫଇସଲା ହୋଇଛି। ସେମିତି ଚଳିତ ବର୍ଷ ଏପ୍ରିଲ ୩୦ ତାରିଖ ସୁଦ୍ଧା ୧୭ଟି ମାମଲା ରୁଜୁ ହୋଇଥିବା ବେଳେ ୨ଟି ମାମଲା ଫଇସଲା ହୋଇଛି। ସେହିପରି ମିସ୍‌କେସ୍‌ (ଅଦାଲତ ଶୁଣାଣିକୁ ଅବମାନନା କରିବାରୁ ଆଉ ଏକ ମାମଲା ରୁଜୁ କରାଯିବା) ୨୧୧ଟି ବିଚାରଧୀନ ରହିଛି। ୧୯୮୬ ମସିହାରୁ ଜିଲ୍ଲାରେ ଖାଉଟି ଅଦାଲତ ପ୍ରତିଷ୍ଠା ହେବା ଦିନଠୁ ଆଜିଯାଏ ମୋଟ୍‌ ୫ ହଜାର ୨୮୫ଟି ମାମଲା ରୁଜୁ ହୋଇଛି। ଯଦିଓ ସଚେତନତା ଅଭାବରୁ ମାମଲା ଆଶାନୁରୂପକ ବୃଦ୍ଧି ପାଉନାହିଁ। ହେଲେ ଯେତିକି ବି ମାମଲା ଆସୁଛି ସମାଧାନ ହୋଇପାରୁନାହିଁ। ଖାଉଟି ଅଦାଲତରେ ୫୧୮ଟି ମାମଲା ବିଚାର ନ ହୋଇ ପଡ଼ିରହିଛି। ପ୍ରତିମାସ ୫/୬ଟି ମାମଲା ରୁଜୁ ହେଉଥିବା ବେ‌ଳେ ସମସ୍ତ ମାମଲା ବର୍ଷେ ମଧ୍ୟରେ ସମାଧାନ ହୋଇଯିବା କଥା। ହେଲେ କର୍ମଚାରୀଙ୍କ ଅଭାବରୁ ତ୍ବରିତ ସମାଧାନ ହେଉନାହିଁ। ସେହିପରି ଅଭିଯୋଗ କରିଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ଅଦାଲତରେ ହାଜର ନ ହେବା ମାମଲା ସମାଧାନ ନ ହୋଇପାରିବାର ଅନ୍ୟ ଏକ କାରଣ। ୨୦୦୫ ମସିହା ପର୍ଯ୍ୟନ୍ତ ଯେତିକି ମାମଲା ଆସିଥିଲା ସମାଧାନ ହୋଇଯାଇଛି। ଏହାପରଠୁ ମାମଲା ବକେୟା ରହିଥିବା ଜଣାଯାଇଛି। ଅଦାଲତକୁ ଚଲାଇବାକୁ ଯେଉଁ ଦୁଇ ଜଣ (ସଭାପତି ଓ ମହିଳା ସଦସ୍ୟ) କର୍ମଚାରୀ ରହିଛନ୍ତି, କୌଣସି କାରଣରୁ ଯଦି କେହି ଛୁଟିରେ ଯାଉଛନ୍ତି ଶୁଣାଣି ପ୍ରକ୍ରିୟା ବନ୍ଦ ରହୁଛି। ସେହିପରି ଅଫିସ୍‌ କାମ ପାଇଁ ୧୦ ଜଣ ଅଫିସ୍‌ କର୍ମଚାରୀ ରହିବାର ନିୟମ ଥିବା ବେଳେ ୭ ଜଣ ରହିଛନ୍ତି।

ଅନ୍ୟପକ୍ଷରେ ଖାଉଟି ଅଦାଲତରେ ସର୍ବାଧିକ ମାମଲା ବିଦ୍ୟୁତ୍ ବିଭାଗ, ବ୍ୟାଙ୍କିଙ୍ଗ, ଫାଇନାନ୍ସ, ଇନ୍‌ସ୍ୟୁରାନ୍ସ ବିଭାଗୀୟ ମାମଲା ଅଧିକ ଆସୁଥିବା ଜଣାଯାଇଛି। ରୁଜୁ ହେଉଥିବା ମାମଲାରେ ଉପଭୋକ୍ତାମାନେ ନିଜର କ୍ଷତିପୂରଣ ବି ପାଉଛନ୍ତି। ହେଲେ କେବଳ ସଚେତନ ନାଗରିକଙ୍କୁ ଛାଡ଼ିଦେଲେ ସାଧାରଣ ଲୋକ ଖାଉଟି ଅଧିକାର ନିୟମ ବିଷୟରେ ଜାଣିନାହାନ୍ତି। ଶୁଣାଣି ପ୍ରକ୍ରିୟା ବିଳମ୍ବକୁ ନେଇ ଅନେକ ଅଦାଲତକୁ ଆସୁନାହାନ୍ତି। ଯାହାଫଳରେ ମାମଲା ସଂଖ୍ୟା ଆଖିଦୃଶିଆ ବୃଦ୍ଧି ପାଉନାହିଁ।

ସମ୍ବନ୍ଧିତ ଖବର