ବିଳମ୍ବରେ ପ୍ରଶ୍ନପତ୍ର ପହଞ୍ଚିବା ନେଇ ସମୀକ୍ଷା ହେବ: ମନ୍ତ୍ରୀ

‘ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ପାଇଁ ହେବ କ୍ଲଷ୍ଟର୍’

ଭୁବନେଶ୍ବର: ଏକକ ପରୀକ୍ଷା ପ୍ରଶ୍ନପତ୍ର ବିଳମ୍ବରେ ପହଞ୍ଚିଥିବା ନେଇ ସମୀକ୍ଷା କରାଯିବ। କଣ ପାଇଁ ଓ କେଉଁ ପରିସ୍ଥିତିରେ କେତେକ ବିଦ୍ୟାଳୟରେ ପ୍ରଶ୍ନପତ୍ର ଆବଶ୍ୟକତାଠାରୁ କମ୍‌ ଓ ଆଉ କେତେକ ବିଦ୍ୟାଳୟରେ ଆଦୌ ପ୍ରଶ୍ନପତ୍ର ପହଞ୍ଚି ନ ଥିଲା ତାହାର କାରଣ ଖୋଜିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆଜି ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ପ୍ରଥମ ଥର ପାଇଁ ଏହି ଏକକ ପ୍ରଶ୍ନପତ୍ର ବ୍ୟବସ୍ଥା ହୋଇଥିବାରୁ କିଛି ସ୍ଥାନରେ ଅସୁବିଧା ଉପୁଜିଛି। ସ୍ବଳ୍ପ ସମୟ ଓ ଅଚାନକ ବର୍ଷା ଯୋଗୁଁ କିଛି ସ୍ଥାନରେ ପ୍ରଶ୍ନପତ୍ର ବିଳମ୍ବରେ ପହଞ୍ଚିଥିଲା ବୋଲି ସେ କହିଥିଲେ। ପ୍ରକାଶ ଥାଉକି, ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଗତକାଲିଠାରୁ ଏକକ ପରୀକ୍ଷା ପ୍ରଶ୍ନପତ୍ରରେ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ପିପିଲି, ପୁରୀ, ପଟ୍ଟାମୁଣ୍ଡାଇ ଓ ବାଲେଶ୍ବର ଜିଲ୍ଲାର କେତେକ ବିଦ୍ୟାଳୟରେ ପ୍ରଶ୍ନପତ୍ର ଆଦୌ ପହଞ୍ଚି ନ ଥିଲା। ଏସବୁ ଜିଲ୍ଲାର କେତେକ ବିଦ୍ୟାଳୟରେ ଆବଶ୍ୟକତାଠାରୁ କମ୍‌ ପ୍ରଶ୍ନପତ୍ର ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଫଳରେ ଛାତ୍ରଛାତ୍ରୀମାନଙ୍କୁ ଜେରକ୍ସ କରି ପ୍ରଶ୍ନପତ୍ର ଶିକ୍ଷକମାନେ ଯୋଗାଇଥିଲେ। ଆଉ କେତେକ ସ୍କୁଲରେ କଳାପଟାରେ ପ୍ରଶ୍ନ ଲେଖାଯିବା ପରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ।

‘ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଶିକ୍ଷକଙ୍କ ପାଇଁ ହେବ କ୍ଲଷ୍ଟର୍’
ଭୁବନେଶ୍ବର: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ପାଇଁ ଖୁସି ଖବର। ବହୁ ଦୂରରୁ ପାଠ ପଢ଼ାଇବାକୁ ଆସୁଥିବା ଶିକ୍ଷକମାନଙ୍କୁ ସରକାର କ୍ବାର୍ଟର୍ସ ଯୋଗାଇଦେବେ। ଏଥିପାଇଁ ଶିକ୍ଷକ କ୍ଲଷ୍ଟର କରାଯିବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ। ସେଥିରୁ ଶିକ୍ଷାର ବିକାଶ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ଶିକ୍ଷକମାନଙ୍କ ପାଇଁ ସରକାରୀ କ୍ବାର୍ଟର୍ସ ସୁବିଧା କରାଯିବ। ଯାହାଫଳରେ ଶିକ୍ଷକମାନଙ୍କ ଯିବା ଆସିବାରେ ଆଉ ସମୟ ଅପଚୟ ହେବନି ଓ ଜିଲ୍ଲାର ସ୍କୁଲଗୁଡ଼ିକରେ ଠିକ୍ ସମୟରେ ଶିକ୍ଷାଦାନ ହୋଇପାରିବ।

ସମ୍ବନ୍ଧିତ ଖବର