ବିସିସି ବ୍ୟାଙ୍କ୍‌ରେ ନକଲି ସୁନା ରଖି ଋଣ ହଡ଼ପ ଘଟଣା: ଅଳଙ୍କାର ଜବତ, ସୁନାରୀ ଅଟକ

ଥାନାରେ ମାମଲା ରୁୁଜୁ, ତତ୍କାଳୀନ ବିଏମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ

ବ୍ରହ୍ମପୁର/ପାରଳାଖେମୁଣ୍ଡି: ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ (ବିସିସି ବ୍ୟାଙ୍କ୍‌)ର ପାରଳାଖେମୁଣ୍ଡି ମହିଳା ଶାଖାରେ ନକଲି ସୁନା ଅଳଙ୍କାର ବନ୍ଧକ ରଖି ଋଣ ହଡ଼ପ ଘଟଣାରେ ପରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ଆଜି ମାମଲା ରୁଜୁ କରିଛି। ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍ ଆଜି ଥାନାରେ ପହଞ୍ଚି ସୁନାର ମାନ ଯାଞ୍ଚ କରିବା ସହ ତାହାକୁ ଜବତ କରିଛି। ଜବତ ସୁନାକୁ ବ୍ୟାଙ୍କ୍‌ ହେପାଜତ୍‌ରେ ଲକର୍‌ରେ ରଖିଛି। ଅନ୍ୟପକ୍ଷରେ ନକଲି ସୁନା ରଖି ଋଣ ନେଇଥିବା ବ୍ୟାଙ୍କର ଅଧିକୃତ ସୁନାରୀ କେ.ଗୋପୀଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିଛି। ଘଟଣାକୁ ୨୪ଘଣ୍ଟା ବିତିବାକୁ ବସିଥିଲେ ହେଁ ମହିଳା ଶାଖାର ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜରଙ୍କ ବିିରୋଧରେ ବ୍ୟାଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ବିସିସି ବ୍ୟାଙ୍କ ପାରଳାଖେମୁଣ୍ଡି ମହିଳା ଶାଖାର ଶାଖା ପରିଚାଳକ ବିନୋଦ କୁମାର ନନ୍ଦ ପରଳାଖେମୁଣ୍ଡି ଥାନାରେ ଗତକାଲି ରାତିରେ ଏତଲା ଦେଇଥିଲେ। ସେ ଏତଲାରେ ଦର୍ଶାଇଛନ୍ତି, କେ.ଗ‌ୋପୀ ସୁନା ବନ୍ଧକ ରଖି ଋଣ ଉଠାଇଥିଲେ। ମୂଳ ଓ ସୁଧ ମିଶି ୧୧ଲକ୍ଷ ୫୩ ହଜାର ୬୬୧ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। ମହିଳା ଶାଖାରେ ତତ୍‌କାଳୀନ ବ୍ୟାଙ୍କ୍‌ ମ୍ୟାନେଜର ଆର.ଭୁଜଙ୍ଗ ରାଓ ଋଣ ଭାର ବଢ଼ି ଚାଲିଥିଲେ ହେଁ ସୁନାର ନିଲାମ ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ। ସେ ଜାଣିଶୁଣି ଏଭଳି ସମୟ ଗଡ଼ାଉଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଥିଲା। ବିସିସି ବ୍ୟାଙ୍କ୍‌ ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

‌ଡିଆର୍‌ସିଏସ୍‌ ବିଶ୍ବରଞ୍ଜନ ଦାସ ଗୁରୁବାର ସାଙ୍ଗରେ ବଣିଆ ଧରି ଯାଇ ବ୍ୟାଙ୍କ୍‌ ଶାଖାରେ ଅତର୍କିତ ଚଢ଼ଉ କରି ସୁୁନାର ମାନ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ବନ୍ଧକ ସୁନା ନକଲି ବୋଲି ଜଣା ପଡ଼ିଥିଲା। ବ୍ୟାଙ୍କ୍‌ ଦ୍ବାରା ଅଧିକୃତ ସୁନାରୀ କେ.ଗ‌ୋପୀ ସୁନା ବନ୍ଧକ ରଖି ନିଜ ନାମରେ ନେଇଥିବା ୪ଟି ଋଣ ଆକାଉଣ୍ଟ୍‌ର ସୁଧ ଓ ମୂଳ ମିଶି ୧୧ଲକ୍ଷ ୫୩ ହଜାର ୬୬୧ଟଙ୍କା ବକେୟା ରହିଛି। ତେଣୁ ସେତେବେଳର ମହିଳା ବ୍ୟାଙ୍କ୍‌ ଶାଖା ମ୍ୟାନେଜର୍‌ ତଥା ବର୍ତ୍ତମାନର କାଶୀନଗର ବିସିସି ବ୍ୟାଙ୍କ୍‌ ଶାଖା ପରିଚାଳକ ଆର.ଭୁଜଙ୍ଗ ରାଓ ଏବଂ ବଣିଆ ତଥା ଋଣଗ୍ରହୀତା କେ.ଗ‌ୋପୀଙ୍କ ନାମରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ। ଏହି ଲିଖିିତ ଅଭିଯୋଗକୁ ଭିତ୍ତି କରି ପରାଳାଖେମୁଣ୍ଡି ଥାନା ପୁଲିସ ଗତକାଲି ୪୦୯/୪୬୮/୪୬୭/୪୭୧/୪୨୦/ ୧୨୦-ବି ଦଫାରେ ୩୦୨ ନମ୍ବର କେସ୍‌ ରୁଜୁ କରିଛି।

ପ୍ରକାଶ ଯେ, କେ.ଗ‌ୋପୀ ୨୦୧୬ ସେପ୍ଟେମ୍ବର ମାସରେ ୮୦ଗ୍ରାମ ସୁନା ଅଳଙ୍କାର ରଖି ଦେଢ଼ ଲକ୍ଷ ଟଙ୍କ ରଣ ନେଇଥିଲେ। ଚଢ଼ଉ ବେଳେ ସୁନା ନକଲି ବୋଲି ଜଣା ପଡ଼ିଥିଲା। ନିର୍ଦ୍ଧାରିତ ଓଜନର ଅଳଙ୍କାର ନ ଥିଲା। ମାତ୍ର ୬୧ ଗ୍ରାମ ଅଳଙ୍କାର ରହିଥିଲା। ସେହିପରି ସେ ୨୦୧୭ ଜୁନ୍‌ ମାସରେ ୧୩୫ ଗ୍ରାମ ଅଳଙ୍କାର ରଖି ୧ଲକ୍ଷ ୯୦ହଜାର ଟଙ୍କା ରଣ ନେଇଥିଲେ। ଉକ୍ତ ସୁନା ଅଳଙ୍କାର ମଧ୍ୟ ନକଲି ଥିବା ବେଳେ ଅଳଙ୍କାର ଓଜନ ମାତ୍ର ୩୫ ଗ୍ରାମ। ସେହିପରି ୨୦୧୭ ଏପ୍ରିଲରେ ୧୧୫ ଗ୍ରାମ ଅଳଙ୍କାର ରଖି ୧ଲକ୍ଷ ୬୪ ହଜାର ଟଙ୍କା ଋଣ ନେଇଥିଲେ। ଚଢ଼ଉ ବେଳେ ମାତ୍ର ୧୬ଗ୍ରାମ ଅଳଙ୍କାର ରହିଥିବା ଜଣାପଡ଼ିଛି। ସେ ୨୦୧୭ ଏପ୍ରିଲରେ ୧୧୫ଗ୍ରାମ ସୁନା ଅଳଙ୍କାର ବନ୍ଧକ ରଖି ୧ଲକ୍ଷ ୬୪ହଜାର ଟଙ୍କା ଋଣ ନେଇଥିଲେ। ଯାଞ୍ଚ ବେଳେ ତାହା ମାତ୍ର ୧୬ଗ୍ରାମ ବୋଲି ଜଣା ପଡ଼ିଥିଲା। ସମୁଦାୟ ୪୫୦ ଗ୍ରାମ ଅଳଙ୍କାର ବନ୍ଧକ ରଖିଥିବା ବେଳେ ନିର୍ଦ୍ଧାରିତ ପରିମାଣର ସୁନା ତ ନଥିଲା, ଯାହା ବି ଥିଲା ନକଲି।

ସମ୍ବନ୍ଧିତ ଖବର