ବ୍ରାହ୍ମଣୀ ନଦୀ ଜଳସ୍ତର କମିଲା; ଉପରମୁଣ୍ଡରେ ବର୍ଷା ହେଲେ ବିପଦ ଆଶଙ୍କା

ରାଉରକେଲା: ଗତ ତିନି ଦିନ ଧରି ଲଗାଣ ବର୍ଷାରେ ଆଜି ବିରାମ ଲାଗିଛି। ଏହାସହ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା, ସମ୍ଭବତଃ ଟଳିଯାଇଛି। କୋଏଲ ଓ ଶଙ୍ଖ ନଦୀର ଉପରମୁଣ୍ଡରେ ବର୍ଷା ନହେଲେ ବ୍ରାହ୍ମଣୀ ନଦୀ ଜଳସ୍ତର ବୃଦ୍ଧି ଆଶଙ୍କା କ୍ଷୀଣ। ବର୍ତ୍ତମାନ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦସଙ୍କୁଳ ସ୍ତରଠାରୁ ପାଖାପାଖି ୩ ମିଟର କମ୍‌ ରହିଛି।

କୋଏଲ ନଦୀ ଓ ଶଙ୍ଖ ନଦୀର ସମ୍ମିଶ୍ରଣରେ ସୃଷ୍ଟି ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦସଙ୍କୁଳ ସ୍ତରଠାରୁ କମ୍‌ ରହିବା, ବହୁମାତ୍ରାରେ ଆଶ୍ବସ୍ତ କରିଛି। ଗତ ତିନି ଦିନର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ନିୟମିତଭାବେ ଜଳସ୍ତର ଯାଞ୍ଚ କରାଯାଉଛି। ଜିଲ୍ଲାର ମୋଟ୍‌ ୪ଟି ସ୍ଥାନରେ ବ୍ରାହ୍ମଣୀ ନଦୀର ଜଳସ୍ତର ମପାଯାଉଛି। ଆଜି ପୂର୍ବାହ୍ନ ୧୨ଟାରେ ମପାଯାଇଥିବା ଜଳସ୍ତର ତଥ୍ୟ ଅନୁସାରେ, ପାନପୋଷଠାରେ ଜଳସ୍ତର ୧୭୫.୧୦୦ ମିଟର ଥିବାବେଳେ ଟିମ୍‌ଯୋର୍‌ରେ ୧୬୬.୪୮୦ ମିଟର, ଗୁମଲେଇରେ ୧୪୧.୯୦୦ ମିଟର ଓ ବଣାଇଁଗଡ଼ରେ ୧୩୭.୦୭୦ ମିଟର ରହିଛି। ଏହି ତଥ୍ୟ ଅନୁସାରେ, ଅନ୍ତତଃ ସୁନ୍ଦରଗଡ଼ ଜିଲ୍ଲାରେ ବ୍ରାହ୍ମଣୀ ନଦୀ କୌଣସି ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି କରିବନିବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ, ଯଦି କୋଏଲ ନଦୀ ଓ ଶଙ୍ଖ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୁଏ, ତା’ହେଲେ ଏହି ପୂର୍ବାନୁମାନ ଫେଲ୍‌ ମାରିବବୋଲି ବିଭାଗ ଚେତାଇ ଦେଇଛି। ଆଜିମଧ୍ୟ କୋଏଲ ଓ ଶଙ୍ଖ ନଦୀର ଜଳସ୍ତର ମଧ୍ୟ ବିପଦସଙ୍କୁଳ ସ୍ତରରେ ପହଞ୍ଚିନି। ଶଙ୍ଖ ନଦୀର ଉପରମୁଣ୍ଡ ସିମଡେଗାର ତିଲ୍‌ଗାରେ ଆଜି ଜଳସ୍ତର ମପାଯାଇଥିଲା। ‌ସେଠାରେ ନଦୀର ଜଳସ୍ତର ୩୭୬.୪୯୦ ମିଟର ରହିଛି। ସେହିଭଳି କୋଏଲ ନଦୀର ଉପରମୁଣ୍ଡ ଜରୈକେଲାଠାରେ ମପାଯାଇଥିବା ଜଳସ୍ତରର ମାତ୍ରା ହେଉଛି ୧୯୧.୨୯୦ ମିଟର। ଆଜି ରାତିରେ ଯଦି ଉଭୟ କୋଏଲ ଓ ଶଙ୍ଖ ନଦୀରେ ପୁନର୍ବାର ବର୍ଷା ନ ହୁଏ, ତା’ହେଲେ ଉଭୟ ନଦୀର ଜଳସ୍ତର ବୃଦ୍ଧି ଆଶଙ୍କା କରାଯାଇନପାରେ। ସୂଚନାଯୋଗ୍ୟ, ବ୍ରାହ୍ମଣୀ ନଦୀର ବିପଦସଙ୍କୁଳ ଜଳସ୍ତର ହେଉଛି ୧୭୮.୪୨୦ ମିଟର। ଗତ ୨୦୧୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ଏଠାରେ ଜଳସ୍ତର ବିପଦସଙ୍କୁଳ ସ୍ତର ପାର୍‌ କରିଥିଲା। ଉକ୍ତ ଦିନ ବ୍ରାହ୍ମଣୀ ନଦୀର ଜଳସ୍ତର ୧୮୧.୪୪୦ ମିଟର ଛୁଇଁଥିଲା।

ଜିଲ୍ଲାରେ ହାରାହାରି ୬୨.୫୮ ମିଲିମିଟର ବର୍ଷା

ଆଜି ଜିଲ୍ଲାରେ ହାରାହାରା ୬୨.୫୮ ମିଲିମିଟର ବର୍ଷା ହୋଇଛି। ସକାଳ ୮ଟାରେ କରାଯାଇଥିବା ରେକର୍ଡ ଅନୁଯାୟୀ ସବଡେଗା ବ୍ଲକରେ ସର୍ବାଧିକ ୧୧୮ ମିଲିମିଟର ବର୍ଷା ହୋଇଛି। ସେହିଭଳି ସୁନ୍ଦରଗଡ଼ ସଦର ବ୍ଲକରେ ଦ୍ବିତୀୟ ସର୍ବାଧିକ ୧୧୬.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏତଦ୍‌ବ୍ୟତୀତ ହେମଗିର ବ୍ଲକରେ ୩୯ ମିଲିମିଟର ବର୍ଷା ହୋଇଥିବାବେଳେ ଲେଫ୍ରିପଡ଼ାରେ ୩୫ ମିଲିମିଟର, ଟାଙ୍ଗରପଲ୍ଲୀରେ ୪୫.୪ ମିଲିମିଟର, ବାଲିାଙ୍କରାରେ ୫୬.୪ ମିଲିମିଟର, ବଡ଼ଗାଁରେ ୩୦ ମିଲିମିଟର, କୁତ୍ରାରେ ୩୦.୨ ମିଲିମିଟର, ରାଜଗାଙ୍ଗପୁରରେ ୩୧ ମିଲିମିଟର, କୁଆରମୁଣ୍ଡାରେ ୪୫.୨ ମିଲିମିଟର, ନୂଆଗାଁରେ ୭୧.୩ ମିଲିମିଟର, ବିଶ୍ରାରେ ୮୬.୩ ମିଲିମିଟର, ଲାଠିକଟାରେ ୯୪ ମିଲିମିଟର, ବଣାଇଁରେ ୮୬.୩ ମିଲିମିଟର, ଲହୁଣୀପଡ଼ାରେ ୭୭ ମିଲିମିଟର, ଗୁରୁଣ୍ଡିଆରେ ୭୯ ମିଲିମିଟର ଓ କୋଇଡ଼ା ବ୍ଲକରେ ସର୍ବନିମ୍ନ ୧୨ ମିଲିମିଟର ବର୍ଷା ହୋଇଛି।

ସମ୍ବନ୍ଧିତ ଖବର