ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ଘରୋଇ ବ୍ୟାଙ୍କରେ ରଖିବା ପ୍ରସଙ୍ଗ : ୬କୋଟି ରଖିଲେ ବିଦେଶ ଟୁର୍, ୬୦୦ କୋଟିରୁ କାହାକୁ କେତେ?

ତମ୍ବିତୋଫାନ ପରେ ବି ମୁହଁ ଲୁଚାଉଛି ମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ଏସ୍ ବ୍ୟାଙ୍କ ନାମକ ଏକ ଘ‌ରୋଇ ଜମା ରଖିବା ଘଟଣାକୁ ନେଇ ଏବେ ସନ୍ଦେହର ବାତାବରଣ ତିଆରି ହୋଇଛି। ଗତ ୪ ଦିନ ହେବ ଏ ଖବର ଗଣମାଧ୍ୟମ‌ର ଶିରୋନାମାରେ ରହିବା, ବି‌ରୋଧୀମାନେ ପ୍ରଶାସନକୁ ଘେରିବା, ଶ୍ରୀମନ୍ଦିର ପ୍ରଶାସନକୁ ପରିଚାଳନା କମିଟି ସଦସ୍ୟଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ମହାପ୍ରଭୁଙ୍କ ପାଣ୍ଠିକୁ ଘରୋଇ ବ୍ୟାଙ୍କକୁ ଟେକି ଦେବାକୁ ନେଇ ନିନ୍ଦା କରିଛନ୍ତି। ମାତ୍ର ଏ ଘଟଣାରେ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଚାଟାର୍ଡ ଆକାଉଣ୍ଟାଣ୍ଟ କିନ୍ତୁ ମୁହଁ ଲୁଚାଉଛନ୍ତି। ଏ ନେଇ ସେମ‌ାନେ ନା ସ୍ପଷ୍ଟୀକରଣ ରଖୁଛନ୍ତି ନା ସାମ୍ନାକୁ ଆସୁଛନ୍ତି। ପ୍ରସଙ୍ଗକୁ ଏଡାଇବାକୁ ଉଦ୍ୟମ କରୁଛନ୍ତି। ଏହି ଘଟଣାରେ ସିଧାଳସଖ ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ବିଭାଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ନେଇ ମୁହଁ ଖୋଲୁନାହାନ୍ତି। ଯଦି ଅଧିକ ସୁଧ ଆଶାରେ ସେମାନେ ଟଙ୍କା ରଖିଥିଲେ ତେବେ ପୁନର୍ବାର ଅବଧି ପୂର୍ବରୁ ସାନି ଟେଣ୍ଡର କରି ପ୍ରଶାସନ ସନ୍ଦେହ ଘେରକୁ ଆସିଛି। ଟଙ୍କା କାରବାରରେ ସଂପୃକ୍ତ ଅଧିକାରୀଙ୍କ ବ୍ୟାଙ୍କ କାରବାର, ବିଦେଶ ଗସ୍ତ ଓ ଅନ୍ୟ ବିବରଣୀକୁ ତଦନ୍ତକୁ ନେଲେ ବହୁ ରହସ୍ୟ ଉନ୍ମୋଚନ ହେବ ବୋଲି ଜଣାପଡିଛି।

ତେବେ ଏଠାରେ ଏବେ ପ୍ରଶ୍ନ ଉଠୁଛୁ ଗତ ବର୍ଷକ ତଳୁ ମହାପ୍ରଭୁଙ୍କ ପାଣ୍ଠିକୁ ଏସ୍ ବ୍ୟାଙ୍କରେ ରଖାଯାଇଥିବା ବେଳେ ହଠାତ୍ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ କଥା କାହିଁକି ଉଠିଲା ତାକୁ ନେଇ ଚର୍ଚ୍ଚା ହେଉଛି। ଗତ କିଛି ଦିନ ହେବ ଶ୍ରୀମନ୍ଦିର ଚାରିପାଖରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର ହୋଇଛି। ଏହି ଉଚ୍ଛେଦରେ ଏବେ ଲୋକଙ୍କୁ ଭଲ ପରିମାଣରେ ଟଙ୍କା ମଧ୍ୟ ମିଳୁଛି। ଏ ଟଙ୍କାକୁ ନେଇ ଲୋକ ବ୍ୟାଙ୍କରେ ଜମା କରୁଛନ୍ତି। ତେବେ ଗ୍ରାହକଙ୍କୁ ନିଜ ବ୍ୟାଙ୍କକୁ ଆକୃଷ୍ଟ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି। ବ୍ୟାଙ୍କରମାନେ ଏଥିପାଇଁ ବିଭିନ୍ନ ଆକର୍ଷଣୀୟ ପ୍ୟାକେଜ ମଧ୍ୟ ରଖିଛନ୍ତି। ଗତ କିଛି ଦିନ ତଳେ ଏସ ବ୍ୟାଙ୍କ କର୍ମଚାରୀ ଗ୍ରାହକଙ୍କ ପାଖକୁ ଆସିଥିଲେ। ସେଥିରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ ମଧ୍ୟ ଥିଲେ। ସଂପୃକ୍ତ ସଭ୍ୟ ୧୨ କୋଟି ଟଙ୍କା ପାଇଥିଲେ। ତେବେ ବ୍ୟାଙ୍କ କର୍ମଚାରୀ ତାଙ୍କୁ ୬ କୋଟି ଟଙ୍କା ରଖିଲେ ବିଦେଶ ଟୁର ଓ ଅନ୍ୟାନ୍ୟ ସୁବିଧା ମିଳିବ ବୋଲି ଲୋଭ ଦେଖାଇଥିଲେ। ଏହି ପ୍ରସଙ୍ଗ ଆସିବା ପରେ ସଂପୃକ୍ତ ପରିଚାଳନା କମିଟି ତଥା ଅର୍ଥ ସବ୍‌କମିଟି ସଦସ୍ୟ ମୁଣ୍ଡ ଚକ୍କର କାଟିଥିଲା। ଯଦି ୬ କୋଟି ଟଙ୍କା ରଖିଲେ ବିଦେଶ ଟୁରର ସୁଯୋଗ ମିଳୁଛି, ତେବେ ମନ୍ଦିରର ସମସ୍ତ ୬୦୦କୋଟି ଟଙ୍କାରେ ଜମା ହୋଇଥିବାରୁ ଡାଲମେ କୁଛ କାଲା ହେ… କଥାକୁ ଗଣ୍ଠି କରିଥିଲେ। ଏହାକୁ ନେଇ ତର୍ଜମା ଆରମ୍ଭ କରିଥିଲେ। କିଛି ପରିଚାଳନା କମିଟି ସଦସ୍ୟ ପରେ ଗତ ୨୦ ତାରିଖ ବୈଠକରେ ଏ ପ୍ରସଙ୍ଗ ଉଠାଇଥିଲେ। ଏ କଥା ନିଜେ ମୁଖ୍ୟ ପ୍ରଶାସକ ମଧ୍ୟ ଅବଗତ ନଥିଲେ। ମହାରାଜ ଗଜପତି ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବୈଠକର ଠିକ ୪ ଦିନ ପରେ ତରବରିଆ ଭାବେ ଗତ ୨୪ ତାରିଖ ଦିନ ଏହାକୁ ନେଇ ସାନି ଟେଣ୍ଡର ଆହ୍ବାନ ହୋଇଥିଲା। ମାତ୍ର ଏଥିରେ ୧୭ଟି ଜାତୀୟକରଣ ବ୍ୟାଙ୍କକୁ ଆମନ୍ତ୍ରଣ କରାଯାଇଥିବା‌ ବେଳେ ଏସ ବ୍ୟାଙ୍କକୁ ଡକାଯାଇନଥିବାରୁ ସ‌ନ୍ଦେହ ଉପୁଜିଥିଲା। ତେବେ ଏସ ବ୍ୟାଙ୍କରେ ଟଙ୍କା ଜମା ରଖିବା ପଛରେ କାହାର ହାତ ଅଛି କିଏ କେତେ ପ୍ୟାକେଜ ନେଇଛନ୍ତି, ବିଦେଶ ଟୁର ପ୍ୟାକେଜ ନା ଆଉ କିଛି ତାକୁ ନେଇ ତଦନ୍ତ କଲେ ବହୁ ରହସ୍ୟ ଫିଟିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର