ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୯ ଲକ୍ଷ ଲୁଟ୍

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ଡୁଙ୍ଗୁରା ବଜାର ନିକଟରେ ୩ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ଜଣେ ଯୁବକଙ୍କଠାରୁ ୯ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଆଜି ଡୁଙ୍ଗୁରା ଗ୍ରାମର ଶିଶିର କୁମାର ସାମଲଙ୍କ ପୁଅ ରାକେଶ କୁମାର ସାମଲ ଘରୁ ସକାଳ ୮ଟାରେ ଏକ ବ୍ୟାଗରେ ୯ଲକ୍ଷ ଟଙ୍କା ଧରି ଡୁଙ୍ଗୁରା ବଜାରରେ ଥିବା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ପଞ୍ଜିକୃତ କିଓସ୍କ ମିନିବ୍ୟାଙ୍କକୁ ଚାଲି ଚାଲି ଯାଉଥିଲେ। ଏହିସମୟରେ ଡୁଙ୍ଗୁରା ମେଡିକାଲ ସମ୍ମୁଖରେ ଦୁଇଟି ବାଇକରେ ୩ଜଣ ଦୁର୍ବୃତ୍ତ ଆସି ହଠାତ୍ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଭୁଜାଲି ଦେଖାଇ ଟଙ୍କା ବ୍ୟାଗ୍‌ଟି ଛଡ଼ାଇ ନେଇଥିଲେ। ପରେ, ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କର ପିଛା କରିବାରୁ ଦୁବୁର୍ତ୍ତମାନେ ସିମୁଳିଆ ଥାନା ଅଡ଼ା କେନାଲ ବନ୍ଧ ନିକଟରେ ବାଇକଟିକୁ ଛାଡ଼ି ଚାଲି ଯାଇଥିଲେ। ଖବରପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଜବତ କରିଛି। ଅନ୍ୟପଟେ, ବଜାରରେ ଲାଗିଥିବା ସିସିକ୍ୟାମେରାରେ ଦୁର୍ବୃତ୍ତଙ୍କ ଭିଡିଓ କଏଦ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସନ୍ଦେହରେ ଜଣେ ଯୁବକଙ୍କୁ ଧରି ଖଇରା ପୁଲିସ ଜିମାରେ ଦେଇଛନ୍ତି। ଖଇରା ପୁଲିସ ଅଭିଯୋଗ ଆଧାରରେ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର