ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ପ୍ରଜନନ ହାର: ୫ଜଣ ମହିଳା ଜନ୍ମ ଦେଉଛନ୍ତି ୯ ଶିଶୁ

କଣ୍ଡୋମ ବ୍ୟବହା‌ରରେ ବୃଦ୍ଧି, ଗର୍ଭ ନି‌ରୋଧକ ବଟିକା ହ୍ରାସ
ବାଲ୍ୟ ବାଳିକା ବିବାହରେ ହ୍ରାସ, ବାଳକଙ୍କ କ୍ଷେତ୍ରରେ ବୃଦ୍ଧି
୫ବର୍ଷରୁ କମ୍ ଶିଶୁଙ୍କଠାରେ ରକ୍ତହୀନତା ବଢ଼ିଛି
ଇଣ୍ଟରନେଟ୍‌ ବ୍ୟବହାର କ୍ଷେତ୍ରରେ ମହିଳାଙ୍କଠାରୁ ପୁରୁଷ ଆଗରେ

ନୂଆଦିଲ୍ଲୀ/ଭୁବନେଶ୍ବର : ରାଜ୍ୟରେ ପ୍ରଜନନ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ପୂର୍ବ ତୁଳନାରେ ମହିଳାମାନେ ଏବେ କମ୍ ଶିଶୁଙ୍କୁ ଜନ୍ମ ଦେଉଛନ୍ତି। ଗତ ୫ବର୍ଷ ଭିତରେ ଏହା ୦.୩ ପଏଣ୍ଟ ହ୍ରାସ ପାଇଛି। ୨୦୧୫/୧୬ ମସିହାରେ ରାଜ୍ୟର ପ୍ରଜନନ ହାର ୨.୧ ଥିବା ବେଳେ ୨୦୨୦/୨୧ରେ ଏହା ୧.୮କୁ ଖସି ଆସିଛି। ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଏହି ହାର ସାମାନ୍ୟ ଅଧିକ ରହିଛି। ସହରାଞ୍ଚଳରେ ଏହା ୧.୫ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ୧.୯ ରହିଛି। ଅତି ସରଳ ଭାବେ କହିବାକୁ ଗଲେ ରାଜ୍ୟର ୫ଜଣ ମହିଳା ଏବେ ୯ଜଣ ଶିଶୁଙ୍କୁ ଜନ୍ମ ଦେଉଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଦମ୍ପତ୍ତିଙ୍କ ଭିତରେ ପରିବାର ନିୟୋଜନର ବିଭିନ୍ନ ପଦ୍ଧତି ଆପଣାଇବା କାରଣରୁ ମୋଟ୍‌ ପ୍ରଜନନ ହାର ବା ଟିଏଫ୍‌ଆରରେ ହ୍ରାସ ଦେଖିବାକୁ ମିଳିଛି।

ଜଣେ ମହିଳା ନିଜ ପ୍ରଜନନ ବୟସ ଭିତରେ ଯେତିକି ସଂଖ୍ୟକ ଶିଶୁଙ୍କୁ ଜନ୍ମ ଦେଇଥାନ୍ତି ତାହାକୁ ଟିଏଫ୍‌ଆର ବୋଲି କୁହାଯାଏ। ୨୦୧୭ ମସିହାରେ ହୋଇଥିବା ସାମ୍ପୁଲ ରେଜିଷ୍ଟ୍ରେସନ୍ ସର୍ଭେ ବା ଏସ୍‌ଆରଏସ୍‌ରେ ରାଜ୍ୟରେ ଟିଏଫ୍‌ଆର ୧.୯ ରହିଥିଲା। ମାତ୍ର ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୧.୮କୁ ଖସି ଆସିଛି। ଅତି ସରଳଭାବେ କହିବାକୁ ଗଲେ ରାଜ୍ୟର ୫ଜଣ ମହିଳା ଏବେ ୯ଜଣ ଶିଶୁଙ୍କୁ ଜନ୍ମ ଦେଉଛନ୍ତି। ପୂର୍ବରୁ ଏହା ୧୦.୫ ରହିଥିଲା। ପ୍ରଜନନ ହ୍ରାସ ଦିଗରେ ପରିବାର ନିୟୋଜନ ପଦ୍ଧତିର ଏକ ବଡ଼ ଭୂମିକା ରହିଛି। ୨୦୧୫/୧୬ ମସିହା ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ରାଜ୍ୟର ୫୭ ପ୍ରତିଶତ ଦମ୍ପତ୍ତି ପରିବାର ନିୟୋଜନ ପଦ୍ଧତି ଆପଣାଉଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୭୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ ତୁଳନାରେ ୫ରେ ରାଜ୍ୟରେ କଣ୍ଡୋମ ବ୍ୟବହାର ବଢ଼ିଛି। ପୂର୍ବରୁ ଏହା ୩.୪ ପ୍ରତିଶତ ଥିବା ବେଳେ ଏବେ ୫.୫କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଗର୍ଭ ନିରୋଧକ ବଟିକା ବ୍ୟବହାରୀଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ପୂର୍ବରୁ ଏହା ୧୨ ପ୍ରତିଶତ ଥିବା ବେଳେ ଏବେ ୧୦.୮ ପ୍ରତିଶତକୁ ଖସି ଆସିଛି। ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ପରିବାର ନିୟୋଜନ ବିଷୟରେ ଦମ୍ପତ୍ତିମାନଙ୍କୁ ଅଧିକ ସଚେତନ କରୁଥିବା ନଜରକୁ ଆସିଛି।

ସେହିପରି ୧୮ବର୍ଷରୁ କମ୍ ବୟସରେ ବିବାହ କରୁଥିବା ମହିଳାଙ୍କ ସଂଖ୍ୟା ମଧ୍ୟ କମିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ଏହା ୨୧.୩ ପ୍ରତିଶତ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୨୦.୫ ପ୍ରତିଶତ ରହିଛି। ହେଲେ ସହରାଞ୍ଚଳରେ ୧୪.୫ ପ୍ରତିଶତ ବାଳିକ ୧୮ବର୍ଷ ପୂର୍ବରୁ ବିବାହ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ୨୧.୭ ପ୍ରତିଶତ ରହିଛି। ମାତ୍ର ୨୧ବର୍ଷରୁ କମ୍ ବୟସର ପୁରୁଷଙ୍କ କ୍ଷେତ୍ରରେ ଏଥିରେ ବୃଦ୍ଧି ନଜରକୁ ଆସିଛି। ପୂର୍ବରୁ ଏହା ୧୧ ପ୍ରତିଶତ ଥିବା ବେଳେ ବର୍ତମାନ ୧୩.୩ ପ୍ରତିଶତରେ ପହଞ୍ଚିଛି। ଏଥିରେ ସହରାଞ୍ଚଳରେ ୭.୮ ପ୍ରତିଶତ ଥିବା ବେ‌ଳେ ଗ୍ରାମାଞ୍ଚଳରେ ୧୪.୮ ପ୍ରତିଶତ ରହିଛି। ତେବେ ୧୫-୧୯ବର୍ଷର ବାଳିକା ମା’ କିମ୍ବା ଗର୍ଭବତୀ ହେବା ହାରରେ କୌଣସି ପରିବର୍ତନ ଦେଖିବାକୁ ମିଳିନାହିଁ। ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ଏହା ୭.୬ ପ୍ରତିଶତ ଥିବା ବେଳେ ଏବେ ମଧ୍ୟ ତାହା ସମାନ ରହିଛି।

ରାଜ୍ୟରେ ପ୍ରାୟ ୮୫ ପ୍ରତିଶତ ପୁରୁଷ ଓ ୭୦ ପ୍ରତିଶତ ମହିଳା ଶିକ୍ଷିତ ଥିବା ଜଣାପଡ଼ିଛି। ତେବେ ଇଣ୍ଟରନେଟ୍‌ ବ୍ୟବହାର କ୍ଷେତ୍ରରେ ମହିଳାଙ୍କଠାରୁ ପୁରୁଷ ଆଗରେ ରହିଛନ୍ତି। ରାଜ୍ୟର ୫୧ ପ୍ରତିଶତ ପୁରୁଷ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ ମାତ୍ର ୨୫ ପ୍ରତିଶତ ମହିଳା ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଯଦିଓ ରାଜ୍ୟରେ ସ୍ବାସ୍ଥ୍ୟାନୁଷ୍ଠାନରେ ପ୍ରସବ ପୂର୍ବ ତୁନଳାରେ ବୃଦ୍ଧି ପାଇଛି, ମାତ୍ର ୫ବର୍ଷରୁ କମ୍ ବୟସର ଶିଶୁଙ୍କଠାରେ ରକ୍ତହୀନତା ବୃଦ୍ଧି ପାଇବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ରାଜ୍ୟରେ ୬-୫୯ ମାସର ୬୪.୨ ପ୍ରତିଶତ ଶିଶୁଙ୍କଠାରେ ରକ୍ତହୀନତା ଦେଖିବାକୁ ମିଳିଛି। ଏଥିରେ ସହରାଞ୍ଚଳରେ ୫୬ ପ୍ରତିଶତ ଓ ଗ୍ରାମାଞ୍ଚଳର ୬୬ ପ୍ରତିଶତ ଶିଶୁ ଏହାର ଶିକାର ହେଉଛନ୍ତି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ଏହା ୪୫ ପ୍ରତିଶତ ରହିଥିଲା। ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ଟିଏଫ୍‌ଆରରେ ହ୍ରାସ ନିଶ୍ଚିତଭାବେ ଖୁସିର ବିଷୟ। ଏବେ ଅଧିକରୁ ଅଧିକ ଦମ୍ପତ୍ତି ପରିବାର ନିୟୋଜନ ପଦ୍ଧତି ଆପଣାଉଥିବାରୁ ଏଥିରେ ହ୍ରାସ ଘଟିଛି ବୋଲି ଡା.ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର