ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ନୁହନ୍ତି; ଭାରତର ସମନ୍ବୟୀ ଚେତନା

ନୂଆଦିଲ୍ଲୀ: ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ପରିଚିତି ନୁହନ୍ତି, ସେ ଭାରତବର୍ଷର ସବୁଧର୍ମ, ସବୁ ମତବାଦରେ ସ୍ବୀକୃତ ପରଂବ୍ରହ୍ମ ଏବଂ ମାନବୀୟଲୀଳା କରିବା ପାଇଁ ସେ ଦାରୁରୂପରେ ଆବିର୍ଭୂତ ହୋଇଛନ୍ତି ବୋଲି ‘ଆଜ୍‌ତକ୍‌’ ପକ୍ଷରୁ ଏଠାରେ ଆୟୋଜିତ ସାହିତ୍ୟୋତ୍ସବରେ ଆଲୋଚକମାନେ ମତ ପ୍ରକାଶ କରିଛନ୍ତି।‘ସାହିତ୍ୟ-ଆଜ୍‌ତକ୍‌’ ଶୀର୍ଷକ ଏହି ତିନିଦିନିଆ ସାହିତ୍ୟୋତ୍ସବର ‘ହଲ୍ଲାବୋଲ୍‌’ ମଞ୍ଚରେ ‘ଟିଭି ଟୁଡେ’ ନେଟ୍‌ୱାର୍କର ସଂପାଦକୀୟ ବିଭାଗ ସଂପାଦକ ମନୋଜ୍ଞା ଲୋୟିୱାଲ୍‌ଙ୍କ ସଂଯୋଜନାରେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଆଲୋଚ୍ୟ ବିଷୟ ଥିଲା ‘ଶ୍ରୀଜଗନ୍ନାଥଙ୍କ କାହାଣୀ ଓ କିମ୍ବଦନ୍ତୀ: ଓଡ଼ିଆ ସାହିତ୍ୟର ଉତ୍ସବ’। ଏଥିରେ ଆଲୋଚକ ଭାବେ ଡକ୍ଟର ସୁବାସ ପାଣି, ଗବେଷକ ଅସିତ ମହାନ୍ତି ଓ କଥାଶିଳ୍ପୀ ପାରମିତା ଶତପଥୀ ଯୋଗ ଦେଇଥିଲେ। ‘ଓଡ଼ିଶାକୁ ରସଗୋଲାର ମିଠା ଅନୁଭୂତି ଦେଇଥିବା ବ୍ୟକ୍ତି ଭାବେ ପରିଚିତ କରି ସଂଯୋଜିକା ଶ୍ରୀ ମହାନ୍ତିଙ୍କଠାରୁ ଆଲୋଚନା ଆରମ୍ଭ କରିଥିଲେ। ଶ୍ରୀ ମହାନ୍ତି ଶ୍ରୀଜଗନ୍ନାଥଙ୍କୁ ଶୈବ, ବୌଦ୍ଧ, ନୈୟାୟିକ ଓ ମୀମାଂସକମାନଙ୍କ ଦ୍ବାରା ସ୍ବୀକୃତ ତ୍ରୈଲୋକ୍ୟନାଥ ବୋଲି ଶାସ୍ତ୍ରମତ ଆଧାରରେ ଅଭିହିତ କରିଥିଲେ। ଏବଂ ସେ କିପରି ଏ ସମଗ୍ର ସୃଷ୍ଟିରେ ବାଞ୍ଛିତ ଫଳଦାୟକ ତାହା ଉପସ୍ଥାପିତ କରିଥିଲେ। ‘ସ୍କନ୍ଦ ପୁରାଣ’ ଅନୁସାରେ, ମାନବୀୟ ଲୀଳା କରିବା ପାଇଁ ସେ ଦାରୁରୂପରେ ଆର୍ବିଭୂତ ହୋଇଛନ୍ତି ବୋଲି ଦର୍ଶାଇ, ଏହି ମାନବୀୟ ଲୀଳାରେ ସେ ସତ୍ୟଯୁଗର କାଶ୍ୟପ-ଅଦିତି, ତ୍ରେତାଯୁଗର ଦଶରଥ-କୌଶଲ୍ୟା, ଦ୍ବାପରଯୁଗର ବସୁଦେବ-ଦେବକୀ ଓ ଇନ୍ଦ୍ରଦ୍ୟୁମ୍ନ-ଗୁଣ୍ଡିଚାଙ୍କୁ ପିତା ଓ ମାତା ରୂପେ ଶ୍ରାଦ୍ଧ ଦିଅନ୍ତି ବୋଲି କହିଥିଲେ। ଶ୍ରୀଜଗନ୍ନାଥଙ୍କ ନବକଳେବର ମଧ୍ୟ ଏହି ମାନବୀୟ ଲୀଳାର ଏକ ବ୍ୟଞ୍ଜନାତ୍ମକ ପରିପ୍ରକାଶ ବୋଲି ସେ କହିଥିଲେ।

ଡ. ସୁବାସ ପାଣି ଶ୍ରୀଜଗନ୍ନାଥଙ୍କ ଇତିହାସ ଓ କିମ୍ବଦନ୍ତୀ ସଂପର୍କରେ ସଂକ୍ଷିପ୍ତ ଆଲୋକପାତ କରି ଦିବ୍ୟଦାରୁ ଉପରେ ତାଙ୍କର ଆବିର୍ଭାବ ଠାରୁ ଆରମ୍ଭ କରି ଜଗନ୍ନାଥ-ବଳଭଦ୍ର ଦୁଇଭାଇ କିପରି ଏ ଜାତି ତଥା ଏ ଜାତିର ଗଜପତି ରାଜାଙ୍କ ସମ୍ମାନ ପାଇଁ କଳା ଓ ଧଳା ଘୋଡ଼ାରେ ଚଢ଼ି ଯୁଦ୍ଧଯାତ୍ରା କରନ୍ତି ସେ ସଂପର୍କରେ ଉପସ୍ଥିତ ଶ୍ରୋତା ଓ ଦର୍ଶକଙ୍କୁ ସୂଚାଇଥିଲେ। ସାହିତ୍ୟିକା ପାରମିତା ଶତପଥୀ ବଳରାମ ଦାସଙ୍କ ‘ଲକ୍ଷ୍ମୀପୂରାଣ’ କିପରି ସମାଜର ନିମ୍ନବର୍ଗ ଓ ଉଚ୍ଚବର୍ଗ ମଧ୍ୟରେ ସମନ୍ବୟ ଏବଂ ତାହା କିପରି ଆଧୁନିକ ପରିଭାଷାରେ ନାରୀ-ଅସ୍ମିତାର ଦ୍ୟୋତକ ତାହା ସୂଚାଇଥିଲେ। ଏହି ଆଲୋଚନା ପର୍ଯ୍ୟାୟରେ ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଆରେ ରଚିତ ବିପୁଳ ସାହିତ୍ୟର ପ୍ରସଙ୍ଗ ମଧ୍ୟ ଉପସ୍ଥାପିତ ହୋଇଥିଲା ଏବଂ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସଂପର୍କିତ ପୁସ୍ତକ ହିନ୍ଦୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅଧିକରୁ ଅଧିକ ପ୍ରକାଶିତ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର