ସାମ୍ବାଦିକଙ୍କୁ ମାଡ ଘଟଣା: ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି

ବାଲେଶ୍ବର: ନୀଳଗିରିରେ ସମ୍ବାଦ ଓ କନକ ନ୍ୟୁଜ୍‌ ରିପୋର୍ଟର ଲୋକନାଥ ଦଳେଇଙ୍କୁ ଆକ୍ରୋଶମୂଳକ ଭାବେ ପୁଲିସ ଗିରଫ କରିବା ଏବଂ ଡାକ୍ତରଖାନାରେ ଚିକିତ୍ସା ବେଳେ ବେଡ଼ି ପକାଇ ଜଗିବା‌ ଘଟଣାକୁ ନେଇ ଗୁରୁବାର ସମ୍ବାଦ ଭବନରେ ଅନୁଷ୍ଠିତ ବୈଠକ‌ରେ ତୀବ୍ର ନିନ୍ଦା କରାଯାଇଥିଲା। ଏକ ସାମାନ୍ୟ ବଚସା ଯାହା ସାମ୍ବାଦିକ ଶ୍ରୀ ଦଳେଇ ଏବଂ ନୀଳଗିରି ଥାନାର ଜଣେ ହୋମଗାର୍ଡଙ୍କ ମଧ୍ୟରେ ଘଟିବା ସହ ସମାଧାନ ହୋଇସାରିଥିଲା। ତାକୁ ପୁଣିଥରେ ଉଦ୍ଦେଶ୍ୟମୂଳକ ଭାବେ ସାମ୍ନାକୁ ଆଣି ନିଜ କ୍ଷମତାର ଦୁରୁପଯୋଗ କରିବା ସହ ସେଠାକାର ପୁଲିସ କେତେ ତଳକୁ ଖସି ଯାଇପାରିଛି ତାହା ଆଲୋଚନା କରାଯାଇଥିଲା।

‌‘ସମ୍ବାଦ’ର ବାଲେଶ୍ବର ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁଙ୍କ ଆହ୍ବାନରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଶିବଦାସ କୁଣ୍ଡୁ, ରଂଜନ ବାଗ, ଉବାଚକ ମହାନ୍ତି, ଗଙ୍ଗାଧର ରାଉତ, ‘ସମାଜ’ର ବାଲେଶ୍ବର ଶାଖା ପରିଚାଳକ ମଧୁସୂଦନ ଦାସ, ବ୍ରହ୍ମାନନ୍ଦ ସ୍ବାଇଁ ଓ ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଜିଲ୍ଲା ପୁଲିସର ଅସହିଷ୍ଣୁ ମନୋଭାବ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ଦଳେଇଙ୍କ ବିରୋଧରେ ପୁଲିସ ନେଇଥିବା ଏପରି ନିନ୍ଦନୀୟ ଘଟଣା ପଛର ପ୍ରକୃତ କାରଣ, କେଉଁ ଆଇନ ବଳରେ ପୁଲିସ ଏପରି ବେଆଇନ କାମ କରିବାକୁ ସାହସ କଲା ଏବଂ ଏହା ପଛରେ କାହାର ଚାପ ରହିଛି ସେ ନେଇ ବିଧିବଦ୍ଧ ଯାଞ୍ଚ୍‌ କରାଯିବା ସହ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା।

ଏଥିସହ ସାମ୍ବାଦିକଙ୍କ ସୁରକ୍ଷା ‌ଏବଂ ନୀଳଗିରି ସାମ୍ବାଦିକଙ୍କ ପ୍ରତି ହୋଇଥିବା ପୁଲିସର ବର୍ବରତା ବିରୋଧରେ ତୁରନ୍ତ ଜିଲ୍ଲାପାଳଙ୍କୁ ଭେଟି ଅାଲୋଚନା କରିବା ସହ ତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜି, ‌ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ଓ ମାନବାଧିକାର କମିସନ୍‌ଙ୍କୁ ଏକ ଦାବିପତ୍ର ପଠାଇବାକୁ ନିଷ୍ପତ୍ତି ହୋଇଛି।

ପୁଲିସ ସଂପୂର୍ଣ୍ଣ ଆକ୍ରୋଶମୂଳକ ଭାବେ କରିଛି

ପୁଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରୁଛି। ଏଭଳି ଘଟଣା ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ସାମାନ୍ୟ ଘଟଣାରେ କିଛି ନ ବୁଝି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଏପରି ବ୍ୟବହାର କରାଯିବା ଗ୍ରହଣଯୋଗ୍ୟ ନୁହେଁ। ପୁଲିସ ସଂପୂର୍ଣ୍ଣ ଆକ୍ରୋଶମୂଳକ ଭାବେ ଏହା କରିଛି। ଲୋକନାଥ ଜଣେ ଆତଙ୍କବାଦୀ ନୁହନ୍ତି ଯେ, ତାଙ୍କୁ ଏପରି ବ୍ୟବହାର କରାଯିବ। ଥାନା ଅଧିକାରିଣୀଙ୍କୁ ନିଲମ୍ବନ କରାଯିବା ଦରକାର।

-ଶିବଦାସ କୁଣ୍ଡୁ, ସାମ୍ବାଦିକ ତଥା ଆଇନଜୀବୀ

ସାମ୍ବାଦିକଙ୍କର କଣ୍ଠରୋଧ କରିବାକୁ ଉଦ୍ୟମ

ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଏପରି ଅମାନୁଷିକ ବ୍ୟବହାର କରିବା କ୍ଷମଣୀୟ ନୁହେଁ। ସାମ୍ବାଦିକଙ୍କ କଣ୍ଠରୋଧ କରିବାକୁ ପୁଲିସ ଚେଷ୍ଟା କରୁଛି। ଗଣତନ୍ତ୍ର ରାଷ୍ଟ୍ରରେ ଏହା ଗ୍ରହଣୀୟ ନୁହେଁ। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏଭଳି ଘଟଣା ପୁନରାବୃତ୍ତି ନ ହେବା ଉଚିତ। ସଂପୃକ୍ତ ପୁଲିସ୍‌ ଅଧିକାରିଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

– ଗଙ୍ଗାଧର ରାଉତ, ଜିଲ୍ଲା ସଭାପତି, ଓଡ଼ିଶା ସାମ୍ବାଦିକ ସଂଘ

ଆଇଆଇସିଙ୍କୁ ତୁରନ୍ତ ବହିଷ୍କାର କରାଯାଉ

ନିହାତି ଭାବେ ଏହା ନିନ୍ଦନୀୟ କଥା। ବର୍ତ୍ତମାନ ପୁଲିସର ସାମ୍ବାଦିକଙ୍କ ପ୍ରତି ଆକ୍ରୋଶମୂଳକ ବ୍ୟବହାର ବଢ଼ିଚାଲିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସାମ୍ବାଦିକ ଲୋକନାଥ ଜଣେ ଆତଙ୍କବାଦୀ ନୁହଁନ୍ତି ଯେ, ଏମିତି ବ୍ୟବହାର ଆଶା କରାଯିବ। ବାଲେଶ୍ବର ପୁଲିସକୁ ମୁଁ ସଂପୂର୍ଣ୍ଣ ନିନ୍ଦା କରୁଛି। ସମ୍ବିଧାନର ଚତୁର୍ଥ ସ୍ତମ୍ଭ ପ୍ରତି ଏପରି ବ୍ୟବହାର କ୍ଷମଣୀୟ ନୁହେଁ। ଥାନା ଆଇଆଇସିଙ୍କୁ ତୁରନ୍ତ ବହିଷ୍କାର କରାଯାଉ।

– ଉବାଚକ ମହାନ୍ତି, ସାମ୍ବାଦିକ

ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଘଟଣା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ

ସାମ୍ବାଦିକଙ୍କୁ ମାଡ଼ ମାରିବା ଏବଂ ଡାକ୍ତରଖାନାରେ ବେଡ଼ି ପକେଇ ରଖିବା ନିନ୍ଦନୀୟ ଘଟଣା। ସାମାନ୍ୟ କଥାକୁ ନେଇ ପୁଲିସର ଏଭଳି ବ୍ୟବହାର ଦ୍ବାରା ସମଗ୍ର ରାଜ୍ୟରେ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରାଯାଇଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ହୋଇନାହିଁ। ଆଇଆଇସିଙ୍କୁ ତୁରନ୍ତ ନିଲମ୍ବନ କରାଯିବା ଦରକାର।

– ରଂଜନ ବାଗ୍‌, ସଭାପତି, ପ୍ରେସ୍‌ କ୍ଲବ

ବହୁତ ବଡ଼ ମାନବ ଅଧିକାରର ଉଲ୍ଲଂଘନ ହୋଇଛି

ହ୍ୟାଣ୍ଡକପ୍‌ ପକାଇବା ପୂର୍ବରୁ କୋର୍ଟର ଅନୁମତି ଦରକାର ପଡ଼ିଥାଏ। କେଉଁ ଅପରାଧୀ ହାତରେ ହ୍ୟାଣ୍ଡକପ୍‌ ପକାଯିବାର ଆବଶ୍ୟକତା ରହିଛି ତାହା ପୁଲିସ୍‌କୁ ବି ଭଲଭାବେ ଜଣା। ଡାକ୍ତରଖାନାର ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ ଏପରି ବ୍ୟବହାର କରିବା ବହୁତ ବଡ଼ ମାନବ ଅଧିକାରର ଉଲ୍ଲଂଘନ ହୋଇଛି। ପ୍ରଥମେ ଥାନା ଆଇଆଇସିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

-ଦିଲ୍ଲୀପ କୁମାର ଦାସ, ମାନବ ଅଧିକାର କର୍ମୀ

ବଡ଼ ଅପରାଧୀ କ୍ଷେତ୍ରରେ ବି ଏପରି କରା ଯାଇନାହିଁ

ପୁଲିସ୍‌ ମିଥ୍ୟା ଆରୋପ ଲଗାଇ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଏଭଳି ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ଏଥିରେ ପୁଲିସର ଉଦ୍ଦେଶ୍ୟମୂଳକ ଆକ୍ରୋଶ ରହିଥିବା ସ୍ପଷ୍ଟ ବୁଝାପଡ଼ୁଛି। ବଡ଼ ଅପରାଧୀ କ୍ଷେତ୍ରରେ ବି କେବେ ଏପରି କରାଯାଇଥିବା ଦେଖିବାକୁ ମିଳେନାହିଁ। କେଉଁ ଅପରାଧରେ ଏପରି ଗୋଡ଼ରେ ବେଡ଼ି ପକାଗଲା? ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

– ବ୍ରହ୍ମାନନ୍ଦ ସ୍ବାଇଁ, ସାମ୍ବାଦିକ

 

ସମ୍ବନ୍ଧିତ ଖବର